ପଶ୍ଚିମବଙ୍ଗ, ୯।୫: ପଶ୍ଚିମବଙ୍ଗ ରାଜନୀତିର ଇତିହାସରେ ଆଜି ଏକ ସ୍ୱର୍ଣ୍ଣିମ ଅଧ୍ୟାୟ । କୋଲକାତାର ଐତିହାସିକ ବ୍ରିଗେଡ୍ ପରେଡ୍ ଗ୍ରାଉଣ୍ଡ ଆଜି ସାକ୍ଷୀ ରହିଛି ଏକ ଏମିତି ଭାବପୂର୍ଣ୍ଣ ଦୃଶ୍ୟର, ଯାହା କୋଟି କୋଟି ଭାରତୀୟଙ୍କ ହୃଦୟ ଜିତିଛି । ବଙ୍ଗଳାରେ ଶୁଭେନ୍ଦୁଙ୍କ ରାଜତିଳକ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ । ମଞ୍ଚ ଉପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦେଖିବାକୁ ମିଳିଲା ଭିନ୍ନ ଅନ୍ଦାଜ । ଜଣେ ବୃଦ୍ଧ ବିଜେପି କର୍ମୀଙ୍କ ପାଦ ଛୁଇଁ ପ୍ରଣାମ କଲେ ପିଏମ୍ । କିଏ ସେହି ବୃଦ୍ଧ, ଯାହାଙ୍କୁ କୁଣ୍ଢାଇ ପକାଇ ଭାବବିହ୍ୱଳ ହେଲେ ମୋଦୀ ? ବ୍ରିଗେଡ୍ ପରେଡ୍ ଗ୍ରାଉଣ୍ଡରେ ଯେତେବେଳେ ଲକ୍ଷ ଲକ୍ଷ ଲୋକଙ୍କ ଜୟକାର ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଞ୍ଚକୁ ଆସିଲେ, ସମସ୍ତଙ୍କ ନଜର ତାଙ୍କ ଉପରେ ଥିଲା । କିନ୍ତୁ, ହଠାତ୍ ପ୍ରଧାନମନ୍ତ୍ରୀ ସେଠାରେ ବସିଥିବା ଜଣେ ୯୮ ବର୍ଷୀୟ ବୃଦ୍ଧଙ୍କ ପାଦ ଛୁଇଁ ସମସ୍ତଙ୍କୁ ଚକିତ କରିଦେଲେ । କେବଳ ସେତିକି ନୁହେଁ, ତାଙ୍କୁ ଆଦରରେ କୁଣ୍ଢାଇ ପକାଇଲେ, ଶାଲ୍ ଓଢ଼େଇ ସମ୍ମାନିତ କଲେ ଏବଂ ଅନେକ ସମୟ ଧରି ତାଙ୍କ ହାତ ଧରି କଥା ହେଲେ ।

ଏହି ବୃଦ୍ଧ ଜଣକ ହେଉଛନ୍ତି  ମାଖନଲାଲ ସରକାର । ଯେତେବେଳେ ବଙ୍ଗଳାରେ ବିଜେପିର ନାଁ ଗନ୍ଧ ନଥିଲା, ସେତେବେଳେ ସେ ଥିଲେ ଏହି ଦଳର ମୂଳଦୁଆ । ୧୯୫୨ ମସିହାରେ ସେ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ସହ ଗିରଫ ହୋଇଥିଲେ । ଜମ୍ମୁ-କାଶ୍ମୀରର ଲାଲ୍ ଚୌକରେ ଶ୍ୟାମା ପ୍ରସାଦଙ୍କ ସହ ତ୍ରିରଙ୍ଗା ଉଡ଼ାଇବାର ସୌଭାଗ୍ୟ ପାଇଥିଲେ ମାଖନଲାଲ୍ । ବାମପନ୍ଥୀଙ୍କ ଦମନ ସତ୍ତ୍ୱେ ସେ ଦାର୍ଜିଲିଂ ଓ ପଶ୍ଚିମ ଦିନାଜପୁର ଅଞ୍ଚଳରେ ବିଜେପିକୁ ଘରେ ଘରେ ପହଞ୍ଚାଇଥିଲେ । ଆଜି ତାଙ୍କରି ସଂଘର୍ଷର ପରିଣାମ ସ୍ୱରୂପ ବଙ୍ଗଳାରେ ବିଜେପି ସରକାର ଗଠନ କରିଛି । ଅନ୍ୟପଟେ, ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଶୁଭେନ୍ଦୁ ଅଧିକାରୀ । ରାଜ୍ୟପାଳ ଆର.ଏନ. ରବି ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ତାଙ୍କ ସହ ମନ୍ତ୍ରୀ ଭାବେ ଦିଲୀପ ଘୋଷ, ଅଗ୍ନିମିତ୍ରା ପଲ୍, ଅଶୋକ କୀର୍ତ୍ତନିଆ, ନିଶିଥ ପ୍ରମାଣିକ ଏବଂ କ୍ଷୁଦିରାମ ଟୁଡୁ ମଧ୍ୟ ଶପଥ ଗ୍ରହଣ କରିଛନ୍ତି ।

ମଇଦାନ ଉପରେ ଏମିତି ଦୃଶ୍ୟ ଥିଲା ଅତି ମନୋରମ । କେବଳ ବଙ୍ଗଳା ନୁହେଁ, ବରଂ ଝାଡ଼ଖଣ୍ଡ ଏବଂ କାନାଡ଼ାରୁ ମଧ୍ୟ ସମର୍ଥକମାନେ ଏହି ଦୃଶ୍ୟ ଦେଖିବାକୁ ଆସିଥିଲେ । ଛଉ ନାଚ, ଆଦିବାସୀ ନୃତ୍ୟ ଏବଂ "ଜୟ ଶ୍ରୀରାମ" ଧ୍ୱନିରେ ପୂରା କୋଲକାତା ଉତ୍ସବମୁଖର । ଲୋକମାନେ ପରସ୍ପରକୁ ଝାଲ୍‌ମୁଢ଼ି ଖୁଆଇ ଏହି ଐତିହାସିକ ବିଜୟର ଉତ୍ସବ ପାଳନ କରୁଛନ୍ତି । ପ୍ରତିଶୋଧ ନୁହେଁ, ବିକାଶର ନୂଆ ନାରା ସହ ଆରମ୍ଭ ହୋଇଛି ଶୁଭେନ୍ଦୁ ସରକାର । କିନ୍ତୁ ଆଜିର ଦିନଟି ମାଖନଲାଲ ସରକାରଙ୍କ ଭଳି ଜଣେ ନିଷ୍ଠାପର କର୍ମୀଙ୍କ ପାଇଁ ସବୁଠାରୁ ବଡ଼ ଶ୍ରଦ୍ଧାଞ୍ଜଳି । ପ୍ରଧାନମନ୍ତ୍ରୀଙ୍କ ଏହି ସମ୍ମାନ ଦର୍ଶାଉଛି ଯେ, ବିଜେପି ନିଜର ମୂଳ କର୍ମକର୍ତ୍ତାଙ୍କୁ କେବେବି ଭୁଲେ ନାହିଁ ।

ଆହୁରି ପଢ଼ନ୍ତୁ... ​​​​​​​ହିଂସା ମଧ୍ୟରେ ଶୁଭେନ୍ଦୁଙ୍କ ରାଜତିଳକ: ପ୍ରତିଶୋଧ ନୁହେଁ, ବିକାଶ ଉପରେ ଧ୍ୟାନ ଦିଅନ୍ତୁ; ବିଜେପିକୁ ଘେରିଲେ ଉଦିତ ରାଜ୍