କୋଲକାତା, ୯।୫: ପଶ୍ଚିମବଙ୍ଗର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶୁଭେନ୍ଦୁ ଅଧିକାରୀଙ୍କ ନାମ ଘୋଷଣା ହେବା ପରେ ଦେଶର ରାଜନୈତିକ ମହଲରେ ପ୍ରତିକ୍ରିୟାର ସୁଅ ଛୁଟିଛି। ଏହି କ୍ରମରେ କଂଗ୍ରେସର ବରିଷ୍ଠ ନେତା ଉଦିତ ରାଜ୍ ଏକ ବିବାଦୀୟ ତଥା ଚିନ୍ତାଜନକ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ଶୁଭେନ୍ଦୁ ଅଧିକାରୀ ପ୍ରତିଶୋଧ ପରାୟଣ ନହୋଇ ବଙ୍ଗଳାର ବିକାଶ ପାଇଁ କାର୍ଯ୍ୟ କଲେ ଭଲ ହେବ, ନଚେତ୍ ପରିସ୍ଥିତି ଭୟଙ୍କର ହୋଇପାରେ ।

"ଭୟଙ୍କର ଭବିଷ୍ୟତ ନଜର ଆସୁଛି"

ଉଦିତ ରାଜ୍ କହିଛନ୍ତି ଯେ, ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗରେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି, କିନ୍ତୁ ବର୍ତ୍ତମାନର ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ । ଗତ କିଛି ଦିନ ହେବ ବଙ୍ଗଳାରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳୁଛି, ତାହା ଏକ ଭୟଙ୍କର ଭବିଷ୍ୟତର ସଙ୍କେତ ଦେଉଛି । ଶୁଭେନ୍ଦୁଙ୍କ ପିଏଙ୍କ ହତ୍ୟା ସମେତ ତାଙ୍କର ପ୍ରାୟ ୫ ଜଣ ନିକଟତର ସହଯୋଗୀଙ୍କୁ ହତ୍ୟା କରାଯାଇଥିବା ନେଇ ଚର୍ଚ୍ଚା ହେଉଛି, ଯାହା ଗୁରୁତର ବିଷୟ ।

ବଙ୍ଗଳାକୁ ମଣିପୁର ନ କରିଦେଉ ବିଜେପି:

କଂଗ୍ରେସ ନେତା ଜଣକ ବିଜେପି ଉପରେ ବର୍ଷି କହିଛନ୍ତି, "ବଙ୍ଗଳା ଯେମିତି ମଣିପୁର ନ ପାଲଟୁ।" ମଣିପୁରରେ ଘଟିଥିବା ଜାତିଗତ ହିଂସା ଭଳି ସ୍ଥିତି ବଙ୍ଗଳାରେ ସୃଷ୍ଟି ହେବାର ଆଶଙ୍କା କରି ସେ କହିଛନ୍ତି ଯେ, ବିଜେପି ନେତାମାନେ ହିନ୍ଦୁ-ମୁସଲିମ ରାଜନୀତି କରି ରାଜ୍ୟର ଶାନ୍ତି ଭଙ୍ଗ କରିପାରନ୍ତି । ତାଙ୍କ କହିବା ଅନୁସାରେ, ଶୁଭେନ୍ଦୁଙ୍କ ଠାରୁ ବିକାଶର ବିଶେଷ ଆଶା ନାହିଁ, କିନ୍ତୁ ସେ ଅନ୍ତତଃ ପକ୍ଷେ ହିଂସା ରୋକିବା ଉପରେ ଧ୍ୟାନ ଦେବା ଉଚିତ୍ ।

ପ୍ରତିଶୋଧ ନୁହେଁ ବିକାଶ ଉପରେ ଦିଅନ୍ତୁ ଧ୍ୟାନ:

ଉଦିତ ରାଜ୍ ମନେ ପକାଇ ଦେଇଛନ୍ତି ଯେ ଶୁଭେନ୍ଦୁ ଦିନେ ମମତା ବାନାର୍ଜୀଙ୍କ ସହ କାମ କରୁଥିଲେ ଏବଂ ଦଳର ଦ୍ୱିତୀୟ ପ୍ରଭାବଶାଳୀ ନେତା ଥିଲେ । ସେ ମମତାଙ୍କ ଦୁର୍ବଳତା ଏବଂ କାର୍ଯ୍ୟଶୈଳୀ ବିଷୟରେ ଭଲ ଭାବେ ଜାଣନ୍ତି । ଏଭଳି ସ୍ଥିତିରେ ସେ ମୁଖ୍ୟମନ୍ତ୍ରୀ ହେବା ପରେ ପୁରୁଣା ଶତ୍ରୁତା ରଖି ପ୍ରତିଶୋଧ ନେବା ପରିବର୍ତ୍ତେ ରାଜ୍ୟର ଅଟକି ଯାଇଥିବା ବିକାଶ କାର୍ଯ୍ୟକୁ ଆଗକୁ ନେବା ଆବଶ୍ୟକ ।

ଆଜି ଶପଥ ଗ୍ରହଣ ଉତ୍ସବ:

ସୂଚନାଯୋଗ୍ୟ ଯେ, ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର ଦିନ ଶୁଭେନ୍ଦୁଙ୍କ ନାମରେ ମୋହର ମାରିଥିଲେ । ଆଜି ଆୟୋଜିତ ହେବାକୁ ଥିବା ଏହି ଭବ୍ୟ ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବିଜେପି ଶାସିତ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗ ଦେଉଛନ୍ତି । ତେବେ ରାଜ୍ୟରେ ଜାରି ରହିଥିବା ହିଂସା ଏବଂ ନିଆଁଜଳା ଘଟଣା ମଧ୍ୟରେ ଶୁଭେନ୍ଦୁଙ୍କ ପାଇଁ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେବ ।

ଆହୁରି ପଢ଼ନ୍ତୁ... ​​​​​​​ମମତାଙ୍କ 'ସାପ' କଟାକ୍ଷରୁ ମୁଖ୍ୟମନ୍ତ୍ରୀ ଗାଦି, ବଙ୍ଗଳା ରାଜନୀତିର ନୂଆ 'ସୁଲତାନ' ଶୁଭେନ୍ଦୁ ଅଧିକାରୀ !