ଅବିଭକ୍ତ କୋରାପୁଟରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ୍ ଦାବି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲା ମିଳିତ କ୍ରିୟାନୁଷ୍ଠାନ କମିଟି

ଭୁବନେଶ୍ବର,12।1(ବୁୟରୋ): ଶଅବିଭକ୍ତ କୋରାପୁଟ ଯଶୋବନ୍ତ ସିଂହ କମିଶନ ପ୍ରଦତ୍ତ ସମସ୍ତ ସର୍ତ୍ତ।ବଳୀ ପୂରଣ କରୁଛି। ତେଣୁ ଅବିଭକ୍ତ କୋରାପୁଟରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରାଯାଉତ। ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକଙ୍କୁ ଭେଟି ଏଭଳି ଦାବି ରଖିଛି ଅବିଭକ୍ତ କୋରାପୁଟ ମିଳିତ କ୍ରିୟାନୁଷ୍ଠାନ କମିଟି। ଏହି କମିଟିର ଅଧ୍ୟକ୍ଷ ଆଇନଜୀବୀ ବୀରେଶ କୁମାର ପଟ୍ଟନାୟକ ଓ ଆବାହକ ଆଇନଜୀବୀ ରବୀନ୍ଦ୍ର କୁମାର ପାତ୍ରଙ୍କ ସହ ଶତାଧିକ ସଦସ୍ୟ ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇଥିଲେ।
ଏହି ପ୍ରତିନିଧିମାନଙ୍କ ଦାବି ଶୁଣିବା ପରେ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ସୂଚାଇ ଦେଇଥିଲେ, ଏହା ପୂର୍ବରୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ସ୍ଥାୟୀ ବେଞ୍ଚ ସ୍ଥାପନ ପାଇଁ କେନ୍ଦ୍ର ଆଇନ୍ ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ନିକଟକୁ ସେ ପତ୍ର ଲେଖିଛନ୍ତି। ହାଇକୋର୍ଟର ମୂଳ ବେଞ୍ଚ୍ଠାରୁ ଦୂରରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଜଷ୍ଟିସ୍ ଯଶୋବନ୍ତ ସିଂହ କମିଶନଙ୍କ ସୁପାରିସ ସହିତ ସୁପ୍ରିମକୋର୍ଟଙ୍କ ବିଭିନ୍ନ ସମୟର ନିଷ୍ପତ୍ତି ବିଷୟରେ ରାଜ୍ୟ ସରକାର ଅବଗତ ଅଛନ୍ତି। ତେବେ ସ୍ଥାୟୀ ବେଞ୍ଚ ସୃଷ୍ଟି ନିଷ୍ପତ୍ତି ନେବା କ୍ଷମତା ଭାରତ ସରକାରଙ୍କର ରହିଛି। ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ସବୁ ପ୍ରକାର ଭିତ୍ତିଭୂମି ସୁବିଧା ଯୋଗାଇ ଦେବାକୁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଜଷ୍ଟିସ ଯଶୋବନ୍ତ ସିଂହ କମିଶନଙ୍କ ସୁପାରିସ ନେଇ ମୁଖ୍ୟମନ୍ତ୍ରୀ କହିବା ପରେ ଅବିଭକ୍ତ କୋରାପୁଟ ମିଳିତ କ୍ରିୟାନୁଷ୍ଠାନ କମିଟି ଏହାକୁ ସ୍ବାଗତ କରିଥିଲେ। ମୁଖ୍ୟମନ୍ତ୍ରୀ ଏ ଦିଗରେ ପଦକ୍ଷେପ ନେଇଥିବା ଯୋଗୁ କ୍ରିୟାନୁଷ୍ଠାନ କମିଟି ସଦସ୍ୟମାନେ ତାଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ। କୋରାପୁଟ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ, ରାଜ୍ୟ ଯୋଜନା ବୋର୍ଡ ସଭ୍ୟ ଇଶ୍ବର ପାଣିଗ୍ରାହୀ, ଓକିଲ ସଂଘ ମନୋନୀତ ଦୁଇ ଜଣିଆ କମିଟି ଆଇନଜୀବୀ ଶିଶିର ମିଶ୍ର ଓ ଅନୁପ କୁମାର ପାତ୍ରଙ୍କ ସଂଯୋଜନାରେ ମୁଖ୍ୟମନ୍ତ୍ରୀଙ୍କ ସହ ଏହି ସାକ୍ଷାତକାର ଅନୁଷ୍ଠିତ ହୋଇଥିଲା। ଏହି ସାକ୍ଷାତକାର ସମୟରେ ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା, ବିଧାୟକ ପ୍ରଫୁଲ୍ଲ ପାଙ୍ଗୀ, ଚନ୍ଦ୍ରଶେଖର ମାଝୀ, ତାରା ପ୍ରସାଦ ବାହିନୀପତି ପ୍ରମୁଖ ଉପସ୍ଥିତ ଥିଲେ।