PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଏକାଧିକ କିଓସ୍କୋରେ ନାହିଁ ଇଣ୍ଟରନେଟ୍, ହେଉନି ବ୍ୟବହାର… ଖତ ଖାଉଛି ଡିଜିଟାଲ୍ କିଓସ୍କୋ
  • ||
  • ଭୁବନେଶ୍ଵର : ନନ୍ଦନକାନନକୁ ଆସିବେ ନୂଆ ଅତିଥି, ଯିବେ ୨ ବାଘ ଆସିବେ ହୁଲୁକ ଗିବନ
  • ||

କୋଟିଆର ଏନଙ୍ଗାୱାଲସା ପରେ ଆନ୍ଧ୍ର କବ୍‌ଜାରେ ତନାମ ଗାଁ

କୋରାପୁଟ,୨ା୨(ଆପ୍ର): ଏନଙ୍ଗାୱାଲସା ପରେ ଆନ୍ଧ୍ରର କବ୍‌ଜାରେ ରହିଛି ତନାମ ଗାଁ । ଆମ କୋଟିଆ ସଂଗଠନ ଏହାକୁ ଚିହ୍ନଟ କରିଛି । ଆନ୍ଧ୍ର ସୀମାନ୍ତ ଫାଟୁସିନେରିଠାରୁ କୋଟିଆର ଏହି ଗାଁ ମାତ୍ର ୩ କିମି ଦୂରରେ ରହିଛି । ଏନଙ୍ଗାବାଲସାରୁ ୭ କିମି ଦୂରରେ ତନାମ ଗାଁ ରହିଥିବା ବେଳେ ଫାଟୁସିନେରିର ଏହା ପଡୋଶୀ ଗାଁ ଭାବେ ପରିଚିତ । ମାଡକାର ନଦୀ ଆରପଟେ ଏହି ଗାଁ ରହିଛି । କୋଟିଆ ସଂଗଠନ ଆବାହକ ଗଦାଧର ପରିଡା ଏବଂ କୋଟିଆର ପୂର୍ବତନ ଆର୍‌ଆଇ ଗଦାଧର ସ୍ୱାଇଁ ଏହି ଗାଁକୁ ଯାଇ ଗ୍ରାମବାସୀଙ୍କ ସହ ଆଲୋଚନା କରିବା ବେଳେ ବିଭିନ୍ନ ତଥ୍ୟ ଲୋକଲୋଚନକୁ ଆସିଛି ।
ଉଭୟଙ୍କ ସୂଚନା ଅନୁଯାୟୀ, ଏହି ଗାଁରେ ୭୦ ଭାଗ ଲୋକ ଓଡି଼ଆ ଜାଣନ୍ତି । ଫାଟୁସିନେରି-ଡୋଲିଆମ୍ବ ଗାଁର କେତେକ ବ୍ୟକ୍ତି ଆନ୍ଧ୍ରର ଜାତି ସାର୍ଟିଫିକେଟ୍‌ ହାସଲ ପାଇଁ ଏଠାରେ ବସବାସ କରୁଛନ୍ତି । ଓଡି଼ଶା ସରକାର ଦୋରା ସଂପ୍ରଦାୟଙ୍କୁ ଜାତି ପ୍ରମାଣପତ୍ର ଦେଉ ନଥିବାରୁ କୋଟିଆ ପଞ୍ଚାୟତ ଫାଟୁସିନେରି ଏବଂ ଡୋଲିଆମ୍ବ ଗାଁର ଲୋକମାନେ ଏଠାକୁ ଆସି ବାସ କରୁଛନ୍ତି । ଏହା ଗାଁରେ ବାସକରୁଥିବା କେତେକ ବ୍ୟକ୍ତି ଆନ୍ଧ୍ରରୁ ଜାତି ପ୍ରମାଣପତ୍ର ଆଣି ସେମାନଙ୍କ ପିଲାମାନଙ୍କୁ ହଷ୍ଟେଲ ରଖି ପଢାଉଛନ୍ତି । ଜାତି ପ୍ରମାଣପତ୍ର ସହ ଆନ୍ଧ୍ରଠାରୁ ସରକାରୀ ସୁବିଧା ମଧ୍ୟ ପାଉଛନ୍ତି । ଗାଁରେ ୪୮ରୁ ୫୦ ଘର ବାସ କରୁଛନ୍ତି । ସାଲୁର୍‌ରୁ ଆନ୍ଧ୍ରର ବସ୍‌ ସେବା ମଧ୍ୟ ରହିଛି । ଏଠାରେ ବ୍ରିଟିଶ ଅମଳର ଏକ ଆର୍‌ଆଇ ଅଫିସ୍‌ ରହିଥିଲା । ସେଠାରେ ଖଜଣା ଆଦାୟ କରାଯାଉଥିଲା । ସ୍ୱାଧୀନତା ପରେ ମଧ୍ୟ ଆର୍‌ଆଇ ଅଫିସ୍‌ ଚାଲୁଥିବା ଗ୍ରାମବାସୀ କହିଥିଲେ । ଆନ୍ଧ୍ର ଗଠନ ପରେ ଏହି ଅଞ୍ଚଳକୁ କେବେ ବି ଓଡ଼ିଶାର କୌଣସି ଅଧିକାରୀ କିମ୍ବା ଜନସାଧାରଣ ଆସିନାହାନ୍ତି । ତନାମରୁ ଡୋଳିିଆମ୍ବକୁ ସଡ଼କପଥ ରହିଛି । କିନ୍ତୁ ମାଡକାର ନଦୀରେ ପୋଲ ନଥିବାରୁ କୋଟିଆକୁ ସଂଯୋଗ ହୋଇନାହିଁ । ଏନଙ୍ଗାୱାଲସାରୁ ୭ କିମି ଦୂରରେ ଅନେକ ଗାଁ ଏବଂ ଖଣିଖାଦାନ ପାହାଡ଼ ରହିଛି । ୧୯୩୬ରେ ତତ୍କାଳୀନ ଜିଲ୍ଲାପାଳ ଆର୍‌.ସି.ବେଲ୍‌ଙ୍କ ସର୍ଭେ ରିପୋର୍ଟ ସହ ୧୯୪୫ ମସିହାରେ ପାଟନାରୁ ପ୍ରକାଶିତ ମ୍ୟାପକୁ ରାଜ୍ୟ ସରକାର ଅନୁଧ୍ୟାନ କଲେ କୋଟିଆର ବିବାଦୀୟ ୨୧ ଖଣ୍ଡ ଗାଁ ବ୍ୟତୀତ ଏନଙ୍ଗାୱାଲସା ଏବଂ ତନାମ ପରି ଅନେକ ଗାଁ ଆବିଷ୍କାର ହୋଇପାରିନ୍ତା ବୋଲି କୋଟିଆ ସଂଗଠନ ଆବାହକ ଶ୍ରୀ ପରିଡା କହିଛନ୍ତି ।