ନୂଆଦିଲ୍ଲୀ ୦୯/୦୨: ଅଭିନେତ୍ରୀ କ୍ରିତିକା କାମରା ଗତ ଡିସେମ୍ବରରେ ନିଜଠୁ ୭ ବର୍ଷ ବଡ଼ କ୍ରିକେଟ ଉପସ୍ଥାପକ ଗୌରବ କପୁରଙ୍କ ସହ ସଂପର୍କକୁ ସାର୍ବଜନୀନ କରିଥିଲେ । ଏହି ସମୟରେ ଇନ୍ଷ୍ଟାଗ୍ରାମରେ ଗୌରବଙ୍କ ସହ ନିଜର କିଛି ଫଟୋ ସେ ପୋଷ୍ଟ କରିଥିଲେ । ସେବେଠାରୁ ଏହି ଯୋଡ଼ି ଚର୍ଚ୍ଚାରେ ରହିଥିଲେ । ସଦ୍ୟତମ ଖବର ଅନୁସାରେ ଖୁବ୍ ଶୀଘ୍ର କ୍ରିତିକା ଏବଂ ଗୌରବ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ।
ଆହୁରି ପଢ଼ନ୍ତୁ...ପ୍ରେମିକାକୁ ୫୦ ବର୍ଷ ଅପେକ୍ଷା ପରେ ଏବେ ବାହାଘର, ବାଟରେ କଣ୍ଟା ସାଜିଥିଲା ପୁଅ
ଉଭୟଙ୍କ ସହ ଘନିଷ୍ଠ ଜଣେ ବ୍ୟକ୍ତିଙ୍କ ଅନୁସାରେ, ମାର୍ଚ୍ଚ ଶେଷ ଆଡ଼କୁ କିମ୍ବା ଏପ୍ରିଲ ମାସ ଆରମ୍ଭରେ ପ୍ରେମୀଯୁଗଳ ବିବାହ କରିବେ । ବିବାହ ଲାଗି କୌଣସି ଭବ୍ୟ ଡେଷ୍ଟିନେସନ୍ ବଦଳରେ ସେମାନେ ମୁମ୍ବାଇକୁ ବାଛିଛନ୍ତି ଯେପରିକି ପରିବାର ଏବଂ ବନ୍ଧୁମାନେ ସହଜରେ ସେଥିରେ ସାମିଲ ହୋଇପାରିବେ । ଏହାପରେ ମୁମ୍ବାଇରେ ହିଁ ସେମାନେ ରିସେପସନ୍ ପାର୍ଟି ଦେବେ । ଗୌରବଙ୍କ ଏହା ଦ୍ୱିତୀୟ ବିବାହ ହେବ । ସେ ୨୦୧୪ରେ କିରତ ଭଟ୍ଟଲଙ୍କୁ ବିବାହ କରିଥିଲେ । କିନ୍ତୁ ୭ ବର୍ଷର ଦାମ୍ପତ୍ୟ ଜୀବନ ପରେ ଉଭୟଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଥିଲା । କ୍ରିତିକାଙ୍କୁ ଶେଷ ଥର ପାଇଁ ଓଟିଟି ଫିଲ୍ମ ‘ଦ ଗ୍ରେଟ୍ ଶାମସୁଦ୍ଦିନ ଫ୍ୟାମିଲି’ରେ ଦେଖିବାକୁ ମିଳିଥିଲା । ତାହା ଗତବର୍ଷ ରିଲିଜ୍ ହୋଇଥିଲା । ଆଗକୁ ତାଙ୍କୁ ୱେବ୍ ସିରିଜ୍ ‘ମଟ୍କା କିଙ୍ଗ୍’ରେ ଦେଖିବାକୁ ମିଳିବ ।