ଭୁବନେଶ୍ୱର,୨୬/୦୭: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପଦରୁ ଇସ୍ତଫା ପରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । କିନ୍ତୁ ସେ ସବୁବେଳେ ନିଜ କାମ ପ୍ରତି ନିଷ୍ଠା ପାଇଁ ପରିଚିତ । ପଦପଦବୀ ଅପେକ୍ଷା ଦେଶ ଓ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ, ଓ ଯୁବ ସମାଜର କଲ୍ୟାଣକୁ ସବୁଠୁ ଅଧିକ ପ୍ରାଥମିକତା ଦେଇଛନ୍ତି । କେନ୍ଦ୍ର ମନ୍ତ୍ରୀ ପଦବୀରୁ ଇସ୍ତଫା ଦେଇ ସେ ତାଙ୍କର ରାଜନୈତିକ ପରିପକ୍ୱତା, ଉଚ୍ଚ ଆଦର୍ଶ ଓ ସମର୍ପଣ ଭାବର ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି ।
ଶ୍ରୀ ପ୍ରଧାନଙ୍କ ଶିକ୍ଷା ମନ୍ତ୍ରୀ କାର୍ଯ୍ୟକାଳରେ ଦେଶର ଶିକ୍ଷା ବ୍ୟବସ୍ଥାରେ ଅନେକ ଯୁଗାନ୍ତକାରୀ ପରିବର୍ତ୍ତନ ଆସିଛି । ୩୪ ବର୍ଷ ପରେ ଆସିଥିବା ନୂଆ ଜାତୀୟ ଶିକ୍ଷା ନୀତିକୁ ସେ ୫+୩+୩+୪ ଶିକ୍ଷା ଢାଞ୍ଚାରେ ଦେଶରେ କାର୍ଯ୍ୟକାରୀ କରିଥିଲେ । ଦେଶର ୧୪,୫୦୦ରୁ ଅଧିକ ସ୍କୁଲକୁ ଆଦର୍ଶ ବିଦ୍ୟାଳୟ ଭାବେ ବିକଶିତ କରିବାକୁ ପ୍ରୟାସ କରିଥିଲେ ।
ଅଧିକ ପଢ଼ନ୍ତୁ :- ମହଣ ମହଣ ସୁନାରେ ଝଟକିଲେ ମହାବାହୁ, ଦୁର୍ଲଭ ବେଶ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଜାତୀୟ ଶିକ୍ଷା ନୀତିକୁ ସଫଳତାର ସହ କାର୍ଯ୍ୟକାରୀ କରିଥିଲେ
ଜେଇଇ, ନିଟ୍ ଓ ସିୟୁଇଟି ଭଳି ସବୁ ଜାତୀୟ ପ୍ରବେଶିକା ପରୀକ୍ଷାକୁ ଓଡ଼ିଆ ସମେତ ୧୩ଟି ଭାଷାରେ କରାଗଲା । ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପାଇଁ ସବୁ ଭାରତୀୟ ଭାଷାରେ ଡିଜିଟାଲ୍ ପାଠ୍ୟପୁସ୍ତକ ଉପଲବ୍ଧ ହେଲା । ପ୍ରାୟ ୧୩୮,୮୦୨ ରୁ ଅଧିକ ସ୍କୁଲରେ ଆଇସିଟି ଓ ସ୍ମାର୍ଟ କ୍ଲାସରୁମ୍ ବ୍ୟବସ୍ଥା ହୋଇଛି । ୮୦,୧୦୫ରୁ ଅଧିକ ସ୍କୁଲର ଭିତ୍ତିଭୂମି ସୁଦୃଢ଼ ହୋଇଛି । ତାଙ୍କ କାର୍ଯ୍ୟକାଳରେ ଦଶମ ଶ୍ରେଣୀ ପାସ୍ ହାର ୫୮% ରୁ ବୃଦ୍ଧି ପାଇ ୯୫.୫% ରେ ପହଞ୍ଚିଥିଲା ।
ତାଙ୍କ ପ୍ରୟାସରେ ଦେଶରେ ୭୬ରୁ ଅଧିକ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ହୋଇଥିଲା । ଗ୍ଲୋବାଲ ଇନାଭେସନ ଇଣ୍ଡେକ୍ସରେ ଦେଶର ସ୍ଥାନ ୮୧ତମ ସ୍ଥାନରୁ ୩୮ତମ ସ୍ଥାନକୁ ଉଠିଲା । ଆଇଆଇଟି ସଂଖ୍ୟା ବଢ଼ି ୧୬ରୁ ୨୩ ହୋଇଛି । ଆଗରୁ ୧୩ଟି ଆଇଆଇଏମ ଥିବାବେଳେ ଏହା ୨୧କୁ ବଢ଼ିଛି । ଏମସ୍ ସଂଖ୍ୟା ୭ରୁ ବଢ଼ି ୨୦ ଓ ବିଶ୍ୱବିିଦ୍ୟାଳୟ ସଂଖ୍ୟା ୭୨୩ରୁ ବଢ଼ି ୧୨୧୩ରେ ପହଞ୍ଚିଛି ।
୪୦୧ କୋଟି ଖର୍ଚ୍ଚରେ ଆଇଆଇଏମ ସମ୍ବଲପୁରର ନୂଆ କ୍ୟାମ୍ପସ ପ୍ରତିଷ୍ଠା ହୋଇଛି । କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟକୁ ୬୦୦ କୋଟି ଟଙ୍କାର ଅନୁଦାନ ମିଳିଛି । ଆଇଆଇଟି ଭୁବନେଶ୍ୱର ପାଇଁ ୪୦୪ କୋଟି ଟଙ୍କା ଅନୁଦାନ ମିଳିଛି । କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ପାଇଁ ୧୦୧ କୋଟି ଟଙ୍କା ଦିଆଯାଇଛି । ଏନଆଇଟି ରାଉରକେଲାକୁ ୩୦୦ କୋଟି ଟଙ୍କା ମିଳିଛି । ୧୨୩୦ କୋଟି ଟଙ୍କା ବ୍ୟୟରେ ବ୍ରହ୍ମପୁରରେ ଆଇଜରର ସ୍ଥାୟୀ କ୍ୟାମ୍ପସ ଖୋଲିଛି ।
ପିଏମ-ଉଷା ଯୋଜନାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟକୁ ୧୦୦ କୋଟି ଓ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଓ ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟକୁ ୨୦ କୋଟି ଲେଖାଏଁ ଅନୁଦାନ ଦିଆଯାଇଛି । ୧୦୦ କୋଟି ଖର୍ଚ୍ଚରେ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ସଦାଶିବ କ୍ୟାମ୍ପସ, ପୁରୀର ଭିତ୍ତିଭୂମି ବିକାଶ ହାଇଛି । ୧୬ କାଟି ବ୍ୟୟରେ କେନ୍ଦ୍ରୀୟ ଭାରତୀୟ ଭାଷା ପ୍ରତିଷ୍ଠାନର ଭୁବନେଶ୍ୱର ସ୍ଥିତ ପୂର୍ବାଞ୍ଚଳ ଆଞ୍ଚଳିକ ଭାଷା କେନ୍ଦ୍ରର ବିକାଶ ହୋଇଛି ।
ଓଡ଼ିଶାରେ ଏକାଧିକ ଶିକ୍ଷାନୁଷ୍ଠାନ, ଦକ୍ଷତା ବିକାଶ କେନ୍ଦ୍ର, ଗବେଷଣା ଲ୍ୟାବ ଖୋଲିଛନ୍ତି
ଓଡ଼ିଶାର ଯୁବପିଢ଼ିଙ୍କ ଦକ୍ଷତା ଓ ଭବିଷ୍ୟତ ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ପ୍ରୟାସରେ ରାଜ୍ୟରେ ଜାତୀୟ ସ୍ତରର ଅନେକ ଖ୍ୟାତନାମା ଅନୁଷ୍ଠାନର ସ୍ଥାୟୀ କ୍ୟାମ୍ପସ ଖୋଲିଛି । ସ୍କିଲ ଇଣ୍ଡିଆ ମିଶନ ଅଧୀନରେ ୨.୫ କୋଟିରୁ ଅଧିକ ଲୋକଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ଭୁବନେଶ୍ୱରରେ ରିସର୍ଚ୍ଚ ପାର୍କ ଓ ଆଇଆଇଏମ ସମ୍ବଲପୁରରେ ୧୦୦ କ୍ୟୁବ୍ ଷ୍ଟାର୍ଟଅପ୍ ଓ ରଙ୍ଗବତୀ ରିସର୍ଚ୍ଚ ସେଣ୍ଟର ସହ ସୁବିଧା ହୋଇଛି । ନାଇଜର ଭୁବନେଶ୍ୱରରେ ୬୫୦ କୋଟି ବ୍ୟୟରେ ହୋମି ଭାବା କ୍ୟାନ୍ସର ହସ୍ପିଟାଲ୍ ଆଣ୍ଡ ରିସର୍ଚ୍ଚ ସେଣ୍ଟର ସୁବିଧା କରାଯାଇଛି । ଆଇସି-ଆଇସିଟି ସ୍କିଲ ଡେଭେଲପମେଣ୍ଟ ଇନଷ୍ଟିଚ୍ୟୁଟ, ଜଟଣୀରେ ଏନଏସଟିଆଇ, ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର ଓ ଦେବଗଡ଼ ଓ ଭଦ୍ରକ ଜିଲ୍ଲାରେ ସ୍କିଲ ଇଣ୍ଡିଆ ସେଣ୍ଟର ପ୍ରତିଷ୍ଠା ହୋଇଛି । ସମ୍ବଲପୁରରେ ସିଆଇଆଇ ନ୍ୟାସନାଲ କୌଶଳ କେନ୍ଦ୍ର ଉଦଘାଟିତ ହୋଇଛି । ଓଡ଼ିଶାରେ ଉଦ୍ୟମିତାର ବିକାଶ ପାଇଁ ଓଡ଼ିଶା ଏଣ୍ଟ୍ରପ୍ରିନରସ ଡେଭଲପମେଣ୍ଟ ଫୋରମ୍ ଓ ସିଆଇଆଇ ସେଲ୍ ମାଇକ୍ରୋ ଓ ସ୍ମଲ ଏଣ୍ଟ୍ରପ୍ରିନରସ ପ୍ରକଳ୍ପ ଆରମ୍ଭ ହୋଇଛି । ଓଡ଼ିଶାରେ ତୈଳ ଓ ଗ୍ୟାସ କ୍ଷେତ୍ରରେ ୨.୪ ଲକ୍ଷ କୋଟିର ନିବେଶ ହୋଇଛି ।
୮ କୋଟି ଗ୍ୟାସ୍ ସଂଯୋଗ ଦେଇ ପାଲଟିଥିଲେ ଉଜ୍ଜ୍ୱଳା ମ୍ୟାନ
ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ୮ କୋଟିରୁ ଅଧିକ ଗରିବ ପରିବାର ଏବଂ ଓଡ଼ିଶାରେ ୫୫ ଲକ୍ଷ ଗରିବ ମହିଳାଙ୍କୁ ମାଗଣା ଗ୍ୟାସ୍ ସଂଯୋଗ ମିଳିଛି । ଏଭଳି ମିଶନ ଆରମ୍ଭ କରି ଉଜ୍ଜ୍ୱଳା ମ୍ୟାନ୍ ଭାବେ ପରିଚିତ ହୋଇଥିଲେ ଧର୍ମେନ୍ଦ୍ର । ପାରାଦ୍ୱୀପ ରିଫାଇନାରୀର ସମ୍ପ୍ରସାରଣ, ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ଏବଂ ମାନା ଏଥିଲିନ ଗ୍ଲାଇକୋଲ ପ୍ରକଳ୍ପ ସ୍ଥାପନ କରିଥିଲେ । ଧାମରା ଏଲଏନଜି ଟର୍ମିନାଲ, ବରଗଡ଼ ଇଥାନଲ ରିଫାଇନାରୀ, ଓଡ଼ିଶାରେ ପ୍ରାକୃତିକ ଗ୍ୟାସ ପାଇପଲାଇନ, ତୈଳ ଡିପୋ, ବଟଲିଂ ପ୍ଲାଣ୍ଟ, କୋଲ୍-ଗ୍ୟାସିଫିକେସନ୍ ପ୍ରଯୁକ୍ତିରେ ତାଳଚେର ସାର କାରଖାନାର ପୁନରୁଦ୍ଧାର, ଓଡ଼ିଶାରେ ରାଜପଥ ବିକାଶ ପାଇଁ ସେ ଅନେକ ପଦକ୍ଷେପ ନେଇଥିଲେ ।
ଧର୍ମେନ୍ଦ୍ରଙ୍କ ପ୍ରୟାସରେ ଉପକୂଳ ରାଜପଥକୁ ମଞ୍ଜୁରି ମିଳିଛି । ବରୁଣେଇରେ ପାଇକ ସ୍ମାରକୀ ସ୍ଥଳ ନିର୍ମାଣ, ସନ୍ଥକବି ଭୀମ ଭାଇଙ୍କ ସ୍ମୃତିରେ ଗବେଷଣା ପୀଠ, ସମ୍ବଲପୁର ଭୀମମଣ୍ଡଳୀ ଇକୋ ହେରିଟେଜ ସାଇଟର ଭୂମିପୂଜନ, କଳା, ଭାଷା, ହସ୍ତଶିଳ୍ପ ଓ ପ୍ରତିଭାମାନଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରତିଷ୍ଠା କରିଥିଲେ । କେନ୍ଦ୍ର ଶିକ୍ଷା ମନ୍ତ୍ରୀ, ପେଟ୍ରାଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ,କେନ୍ଦ୍ର ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଓ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଭାବେ ସେ ଗତ ୧୨ ବର୍ଷ ଧରି କେନ୍ଦ୍ର ମନ୍ତ୍ରିମଣ୍ଡଳରେ ରହି ସଫଳତାର ସହ କାମ କରିଥିଲେ ।
ଛାତ୍ର ରାଜନୀତିରୁ ଜାତୀୟ ରାଜନୀତିରେ ଦବ୍ଦବା, ବିଜେପିର ସଫଳ ରଣନୀତିକାର
ସେ ୧୯୮୬ ମସିହାରେ ଏବିଭିପିରୁ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ଯୁକ୍ତ ତିନି ପ୍ରଥମ ବର୍ଷରେ ତାଳଚେର କଲେଜ ଛାତ୍ର ସଂସଦର ସଭାପତି ଭାବେ ନିର୍ବାଚିତ ହେବା ପରେ, ଉତ୍କଳ ବିଶ୍ୱବିଦ୍ୟାଳୟରେ ୧୯୯୦ ସୁଦ୍ଧା ଜଣେ ଲଢୁଆ ଛାତ୍ରନେତା ଭାବେ ନିଜ ପରିଚୟ ସୃଷ୍ଟି କରିଥିଲେ । ୨୦୦୦ ମସିହାରେ ଅତି କମ୍ ବୟସରେ ପାଲଲହଡ଼ାରୁ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇ ନିଜର ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଶ୍ରେଷ୍ଠ ବିଧାୟକ ହୋଇଥିଲେ ।
୨୦୦୧ରେ ବିଜେପି ଯୁବମୋର୍ଚ୍ଚାର ସଭାପତି, ୨୦୦୪ରେ ବିଜେପି ଯୁବମାର୍ଚ୍ଚାର ରାଷ୍ଟ୍ରୀୟ ସଭାପତି ହୋଇଥିଲେ । ୨୦୦୪ରୁ ୨୦୦୯ ଯାଏ ଦେବଗଡ଼ରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ୨୦୦୭ରେ ବିଜେପିର ରାଷ୍ଟ୍ରୀୟ ସମ୍ପାଦକ ଓ ୨୦୧୦ରେ ଦୁଇଥର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ନିର୍ବାଚିତ ହୋଇଥିଲେ । ଜଣେ ଓଡ଼ିଆ ଭାବେ ସେ ବିହାରରୁ (୨୦୧୨ ମସିହା) ଏବଂ ମଧ୍ୟପ୍ରଦେଶ (୨୦୧୮) ରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ବିଜେପିର ଜଣେ ବିଶ୍ୱସ୍ତ ଓ ଦୂରଦ୍ରଷ୍ଟା ନିର୍ବାଚନୀ ରଣନୀତିକାର ଭାବେ ଧର୍ମେନ୍ଦ୍ର ପରିଚିତ । ସେ ପଶ୍ଚିମବଙ୍ଗ, କର୍ଣ୍ଣାଟକ, ଉତ୍ତରପ୍ରଦେଶ, ତ୍ରିପୁରା, ଛତିଶଗଡ଼, ଝାଡ଼ଖଣ୍ଡ, ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ, ହରିୟାଣା ଏବଂ ବିହାର ଭଳି ଗୁରୁତ୍ୱପୂର୍ଣ୍ଣ ରାଜ୍ୟରେ ପ୍ରଭାରୀ ଓ ପର୍ଯ୍ୟବେକ୍ଷକ ଦାୟିତ୍ୱ ତୁଲାଇ ଦଳକୁ ଐତିହାସିକ ସଫଳତା ଦେଇଛନ୍ତି ।