କଟକ, ୨୬/୦୭: ଏସ୍‌ସିବି ମେଡିକାଲ୍‌ରେ ଅକ୍ସିଜେନ୍ ନ ମିଳିବାରୁ ଜଣେ ରୋଗୀଙ୍କ ମୃତ୍ୟୁ ହେବା ଘଟଣାରେ ଜାତୀୟ ମାନବାଧିକାର କମିସନ(ଏନ୍ଏଚ୍ଆରସି) ରାଜ୍ୟ ସ୍ୱାସ୍ଥ୍ୟ ସଚିବଙ୍କୁ ନୋଟିସ୍ କରି ରିପୋର୍ଟ ତଲବ କରିଛନ୍ତି । ଏହି ଘଟଣାରେ କି’ ପଦକ୍ଷେପ ଗ୍ରହଣ କରାଯାଇଛି ସେ ସଂକ୍ରାନ୍ତରେ ଚାରି ସପ୍ତାହ ମଧ୍ୟରେ ଜବାବ ରଖିବାକୁ ସ୍ୱାସ୍ଥ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଆଇନଜୀବୀ ତଥା ମାନବାଧିକାର କର୍ମୀ ଅନୁପ କୁମାର ପାତ୍ର ଦାଖଲ କରିଥିବା ପିଟିସନ୍‌ରେ ଦର୍ଶାଇଛନ୍ତି ଯେ, ଭୁବନେଶ୍ୱର ପୋଖରୀପୁଟ ଅଞ୍ଚଳର ରତ୍ନମଞ୍ଜରୀ ମିଶ୍ରଙ୍କ ସ୍ୱାମୀ ରାମକୃଷ୍ଣ ମିଶ୍ର ଏସ୍ସିବିର ନେଫ୍ରୋଲୋଜି ବିଭାଗରେ ଆଡମିସନ୍ ହୋଇଥିଲେ । ଗତ ମାର୍ଚ୍ଚ ୨୫ ତାରିଖ ରାତିରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ବିଗିଡ଼ି ଯାଇଥିଲା । ସେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ । ପରିବାର ଲୋକେ ଏ ସଂକ୍ରାନ୍ତରେ ସେଠାରେ ଉପସ୍ଥିତ ଥିବା ମେଡିକାଲ କର୍ମଚାରୀଙ୍କୁ ଜଣାଇଥିଲେ । ଏକ ଅକ୍ସିଜେନ୍ ସିଲିଣ୍ଡର ନେଇ କର୍ମଚାରୀମାନେ ଆସିଥିଲେ ମଧ୍ୟ ତାହା ଖାଲି ଥିବା ଜଣାପଡ଼ିଥିଲା । ଆଉ ଏକ ସିଲିଣ୍ଡର ଆସିଲାବେଳକୁ ରାମକୃଷ୍ଣଙ୍କ ଦେହାନ୍ତ ହୋଇଯାଇଥିଲା । ଏହି ଘଟଣାକୁ ନେଇ ମେଡିକାଲରେ ଉତ୍ତେଜନା ପ୍ରକାଶ ପାଇଥିଲା । ଆବେଦନକାରୀ ଶ୍ରୀ ପାତ୍ର ଏହି ଘଟଣାର ନିରପେକ୍ଷ ତଦନ୍ତ ଓ ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପାଇଁ ପ୍ରାର୍ଥନା କରିଛନ୍ତି । କମିସନ୍ ଏହି ଅଭିଯୋଗକୁ ଗ୍ରହଣ କରି ରାଜ୍ୟ ସ୍ୱାସ୍ଥ୍ୟ ସଚିବଙ୍କୁ ରିପୋର୍ଟ ତଲବ କରିଛନ୍ତି ।

ଅଧିକ ପଢ଼ନ୍ତୁ :-  ହୋମ୍‌ଗାର୍ଡଙ୍କ ଭରସାରେ ସହର ସୁରକ୍ଷା , ନିଦ୍ରାରେ ବଡ଼ ବାବୁ...