କୂଳଭୂଷଣ ଯାଦବଙ୍କ ମାମଲାରେ ନିଜର ପକ୍ଷ ରଖିବ ପାକିସ୍ତାନ, ହେଗ୍ ଗଲେ ପ୍ରତିନିଧି ମଣ୍ଡଳି

ଇସଲାମାବାଦ,୧୫।୨: କୂଳଭୂଷଣ ଯାଦବଙ୍କ ମାମଲାରେ ଅନ୍ତଃର୍ଜାତୀୟ କୋର୍ଟରେ ନିଜର ପକ୍ଷ ରଖିବା ପାଇଁ ପାକିସ୍ତାନର ଏକ ପ୍ରତିନିଧି ମଣ୍ଡଳି ଗତ ଶୁକବ୍ରାର ହେଗ୍ ଅଭିମୁଖେ ଗସ୍ତ କରିଛନ୍ତି। ଏହି ସୂଚନା ସେଠାର ଜଣେ ବରିଷ୍ଠ ଅଧିକାରୀ ଦେଇଛନ୍ତି। ଅନ୍ତଃର୍ଜାତୀୟ କୋର୍ଟରେ ଏହି ମାମଲାର ଶୁଣାଣି ୧୮ ଫେବୃଆରୀରେ ହେବ। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ପାକିସ୍ତାନର ଆଟର୍ଣ୍ଣିଂ ଜେନରାଲ ଅନଓ୍ବର ମନସୁର ଆଇସିଜେରେ ପାକିସ୍ତାନୀ ପ୍ରତିନିଧି ମଣ୍ଡଳୀର ନେତୃତ୍ବ କରିବେ।

ଏଠାରେ ଉଲ୍ଲେଖନୀୟ ଯେ, ଆଇସିଜେର ୧୦ ସଦସ୍ୟ ବିଶିଷ୍ଟ ଖଣ୍ଡପୀଠ ଭାରତର ଆବେଦନ ଉପରେ ନିଷ୍ପତ୍ତି ନେବା ପର୍ଯ୍ୟନ୍ତ ଯାଦବଙ୍କ ଦଣ୍ଡ ଉପରେ ରୋକ ଲଗାଇ ରଖିଛି। ପାକିସ୍ତାନର ଏକ ସୈନ ଅଦାଲତ ଭାରତର ନାଗରିକ କୂଳଭୂଷଣ ଯାଦବଙ୍କୁ ଅପ୍ରେଲ ୨୦୧୭ରେ ଗୁପ୍ତଚର ଓ ଆତଙ୍କବାଦ ଅଭିଯୋଗରେ ମୃତ୍ୟୁ ଦଣ୍ଡାଦେଶ ଦେଇଥିଲେ। ପାକିସ୍ତାନ ସେନାର ଏହି ନିଷ୍ପତ୍ତିକୁ ବିରୋଧ କରି ଭାରତ ଅନ୍ତଃର୍ଜାତୀୟ କୋର୍ଟର ଦ୍ବାରସ୍ତ ହୋଇଥିଲା। ଏହାପରେ କୋର୍ଟ କୂଳଭୂଷଣଙ୍କ ମୃତ୍ୟୁ ଦଣ୍ଡାଦେଶକୁ ସ୍ଥଗିତ କରିଦେଇଥିଲେ। ଆସନ୍ତା ୧୮ରୁ ୨୧ ମଧ୍ୟରେ କୋର୍ଟରେ ଆଗାମୀ ଶୁଣାଣି କରାଯିବ ।

ନିଜର ଲିଖିତ ଦଲିଲରେ ଭାରତ ପାକିସ୍ତାନ ଉପରେ ଭିଏନା ସନ୍ଧିର ଉଲଂଘନ କରାଯାଇଥିବାର ଅଭିଯୋଗ କରିଛି। ଏହି ମାମଲାରେ ପାକିସ୍ତାନ କହୁଛି ତା ପାଖରେ ସବୁ ପ୍ରମାଣ ରହିଛି ଏବଂ କୂଳଭୂଷଣ ନିଜେ ମଧ୍ୟ ଆତଙ୍କବାଦୀ ଗତିବିଧିରେ ସାମିଲ ଥିବା କଥା ସ୍ବୀକାର କରିଛନ୍ତି। ୨୦୧୬ରେ କୂଳଭୂଷଣ ଇରାନରୁ ବଲୁଚିସ୍ତାନକୁ ବେଆଇନ୍ ଭାବରେ ପଶି ଆସିଥିବାରୁ ଗିରଫ କରାଯାଇଛି ବୋଲି ପାକିସ୍ତାନ ଅଭିଯୋଗ କରିଛି ।