ନୂଆଦିଲ୍ଲୀ, ୮/୦୯ : ସୀମାରେ ମାତିଲେ ଆତଙ୍କବାଦୀ, ଗର୍ଜିଲା ସେନା ବନ୍ଧୁକ। ଜାମ୍ମୁ କାଶ୍ମୀରର କୁଲଗାମ୍ ଜିଲ୍ଲା ଗୁଡ୍ଡାର ଅଞ୍ଚଳରେ ଏନକାଉଣ୍ଟର। ସୁରକ୍ଷାବାହିନୀ ଗୁଳିରେ ଟଳିଲା ଜଣେ ଆତଙ୍କୀ। ୩ ଯବାନ ଆହତ। ଘଟଣାସ୍ଥଳରେ ଏବେ ସର୍ଚ୍ଚ ଅପରେସନ ଜାରି ରହିଛି। ମୃତ ଆତଙ୍କବାଦୀ ଲସ୍କର-ଏ-ତୋଏବାର ହୋଇଥିବା କୁହାଯାଉଛି। ସେପଟେ ରବିବାର ସନ୍ଧ୍ୟାରେ ଅନ୍ତରାଷ୍ଟ୍ରୀୟ ସୀମା ନିକଟରୁ ଜଣେ ପାକିସ୍ତାନୀ ନାଗରିକଙ୍କୁ ଗିରଫ କରାଯାଇଛି।
ସୂଚନାନୁଯାୟୀ, କୁଲଗାମ ଜିଲ୍ଲା ଗୁଡ୍ଡାର ଅଞ୍ଚଳରେ ଲସ୍କର-ଏ-ତୋଏବାର ୩ ରୁ ୪ ଜଣ ଆତଙ୍କବାଦୀ ଲୁଚି ରହିଥିବା ନେଇ ଗୁନ୍ଦା ସୂତ୍ରରୁ ସୂଚନା ମିଳିଥିଲା। ଏହାପରେ ସୁରକ୍ଷାବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଏହି ସମୟରେ ଆତଙ୍କବାଦୀମାନେ ସୁରକ୍ଷାବାହିନୀ ଉପରକୁ ଗୁଳି ଚଳାଇଥିଲେ। ସେନା ଏହାର ପାଲଟା ଜବାବ ଦେଇଥିଲା। ଏହି ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିପାତ ହୋଇଥିବା ବେଳେ ୩ ଜଣ ଯବାନ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନ୍ୟ ଆତଙ୍କବାଦୀମାନେ ଛତ୍ରଭଙ୍ଗ ଦେଇଛନ୍ତି। ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି।
ସେପଟେ ରବିବାର ସନ୍ଧ୍ୟାରେ ବିଏସଏଫ୍ ଯବାନମାନେ ଅନ୍ତରାଷ୍ଟ୍ରୀୟ ସୀମା ନିକଟରେ ସନ୍ଦିଗ୍ଧ ଗତିବିଧି ଦେଖିବାକୁ ପାଇଥିଲେ। ଏହାପରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଏହି ସମୟରେ ଜଣେ ପାକିସ୍ତାନୀ ନାଗରିକ ଧରାପଡ଼ିବାରୁ ତାଙ୍କୁ ଗିରଫ କରାଯାଇଛି। ସୀମା ପାର୍ ଆତଙ୍କବାଦ ନେଇ ସନ୍ଦେହ କରାଯାଉଛି। ପାକିସ୍ତାନୀ ଯୁବକଙ୍କୁ ଏବେ ପଚରାଉଚରା କରାଯାଉଛି।