କାଠମାଣ୍ଡୁ/ନୂଆଦିଲ୍ଲୀ: ନେପାଳରେ ଜାରି ହିଂସା ମଧ୍ୟରେ ଏକ ଅନ୍ତରୀଣ ସରକାର ଗଠନ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଯଦିଓ ଏପର୍ଯ୍ୟନ୍ତ ଅନ୍ତରୀଣ ସରକାରରେ ପ୍ରଧାନମନ୍ତ୍ରୀ କିଏ ହେବେ ତାହା ସ୍ଥିର ହୋଇନାହିଁ, କିନ୍ତୁ ସମୟ ସହିତ ନୂ ନାମ ବିଷୟରେ କଳ୍ପନାଜଳ୍ପନା ବୃଦ୍ଧି ପାଉଛି । ଗୋଟିଏ ଦିନ ପୂର୍ବରୁ ନେପାଳର ପୂର୍ବତନ ମୁଖ୍ୟ ବିଚାରପତି ସୁଶୀଳା କାର୍କି ଏହି ଦୌଡ଼ରେ ସବୁଠାରୁ ଆଗରେ ଥିଲେ କିନ୍ତୁ ଏବେ ଏହା ପ୍ରାୟ ନିଶ୍ଚିତ ଯେ, କୁଲମାନ ଘିସିଂ ଅନ୍ତରୀଣ ପ୍ରଧାନମନ୍ତ୍ରୀ ହେବେ

କୁଲମାନ ଘିସିଂ ନେପାଳ ବିଦ୍ୟୁତ ପ୍ରାଧିକରଣର ପରିଚାଳନା ନିର୍ଦ୍ଦେଶକ ଭାବରେ ଦୁଇଟି କାର୍ଯ୍ୟକାଳ ସମାପ୍ତ କରିଛନ୍ତି । ସେ ତାଙ୍କର ପ୍ରଥମ କାର୍ଯ୍ୟକାଳ ୨୦୧୬-୨୦୨୦ ଏବଂ ତା'ପରେ ୨୦୨୧-୨୦୨୫ରେ ସମାପ୍ତ କରିଥିଲେ । ତାଙ୍କର ଜନ୍ମ ୨୫ ନଭେମ୍ବର ୧୯୭୦ରେ ନେପାଳର ରାମେଛାପ ଜିଲ୍ଲାରେ ହୋଇଥିଲା । ସେ ଭାରତର ଜାମସେଦପୁର ସହରରୁ ଇଞ୍ଜିନିୟରିଂରେ ଡିଗ୍ରି ହାସଲ କରିଥିଲେ । ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସେ ନେପାଳର ଅନେକ ଅଞ୍ଚଳରେ ବିଦ୍ୟୁତ ସମସ୍ୟାର ସମାଧାନ କରିଥିଲେ ଏବଂ ଅନେକ ସ୍ଥାନରେ ବିଦ୍ୟୁତ ଉପଲବ୍ଧ କରାଇଥିଲେ ।

ଇଞ୍ଜିନିୟର କୁଲମାନ ଘିସିଂ ନେପାଳରେ ବିଦ୍ୟୁତ କାଟ ସମସ୍ୟାର ସମାଧାନ ପାଇଁ ଜଣାଶୁଣା। ସେ ନେପାଳ ବିଦ୍ୟୁତ ପ୍ରାଧିକରଣ ( NEA) କୁ କ୍ଷତିରୁ ବାହାର କରି ଲାଭଦାୟକ କରିଥିଲେ। କେପି ଶର୍ମା ଓଲିଙ୍କ ସରକାର ତାଙ୍କୁ ମାର୍ଚ୍ଚ ୨୪, ୨୦୨୫ ରେ NEAର ପରିଚାଳନା ନିର୍ଦ୍ଦେଶକ ପଦରୁ ହଟାଇ ଦେଇଥିଲେ । କୁହାଯାଏ ଯେ, ସେ ଅନେକ ଶିଳ୍ପପତିଙ୍କ ବିଦ୍ୟୁତ ବିଲ୍ ଛାଡ଼ କରିବାକୁ ମନା କରିଥିଲେ ତେଣୁ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ।

କୁଲମାନ ଘିସିଂଙ୍କ ସରକାର ବିରୋଧୀ ମନୋଭାବ ତାଙ୍କୁ ଯୁବପିଢ଼ିଙ୍କ ମଧ୍ୟରେ ପରିଚୟ କରାଇଥିଲା । ପାଠପଢ଼ା ବ୍ୟତୀତ, ତାଙ୍କର ଭାରତ ସହିତ ଏକ ବିଶେଷ ସମ୍ପର୍କ ରହିଛି। NEAର ପରିଚାଳନା ନିର୍ଦ୍ଦେଶକ ଥିବା ସମୟରେ ନେପାଳ ୨୦୨୩-୨୪ରେ ଭାରତକୁ ବିଦ୍ୟୁତ୍ ରପ୍ତାନି କରିବା ଆରମ୍ଭ କରିଥିଲା । ସେ ନେପାଳର ଜଳ ବିଦ୍ୟୁତ୍ ଉତ୍ପାଦନକୁ ପରିବର୍ତ୍ତନ କରିଥିଲେ। କୁଲମାନ ଘିସିଂଙ୍କ ବହିଷ୍କାର ପରେ, ସାରା ଦେଶରେ ତାଙ୍କର ଲୋକପ୍ରିୟତା ଆହୁରି ବୃଦ୍ଧି ପାଇଥିଲା।