ଭୁବନେଶ୍ବର, ୦୨/୦୬: ଏକଦା ଘୋର ଜଳ ସଙ୍କଟର ସାମ୍ନା କରୁଥିବା ମଧ୍ୟପ୍ରଦେଶର କୁନୋ ଜଙ୍ଗଲକୁ ଏବେ ଚମକ ଫେରୁଛି । ଚିତା ପ୍ରକଳ୍ପ ଯୋଗୁ କୁନୋ ନ୍ୟାସନାଲ ପାର୍କ ଲୁପ୍ତପ୍ରାୟ ବନ୍ୟଜୀବଙ୍କୁ ପୁଣି ନିଜ କୋଳକୁ ଡାକୁଛି । ଏବେ ଗୋଟିଏ ପରେ ଗୋଟିଏ ବନ୍ୟଜୀବଙ୍କ ଘରବାହୁଡ଼ା ଦେଖିବାକୁ ମିଳୁଛି । ଏଥିସହିତ ସ୍ଥାନୀୟ ସମୁଦାୟଙ୍କ ଜୀବନରେ ବି ରୋଜଗାରର ନୂଆ ଆଶା ଉଙ୍କି ମାରିଛି । କୁନୋ ନ୍ୟାସନାଲ ପାର୍କର ଯେଉଁ ପଥୁରିଆ ଏବଂ ଉଚ୍ଚ ଅଞ୍ଚଳରେ ପାଣିର ଘୋର ଅଭାବ ଥିଲା, ଏବେ ସେଠାରେ ବନ ବିଭାଗର ଉନ୍ନତ ପରିଚାଳନା ଯୋଗୁ କୁନୋ ନଦୀର ପାଣି ପହଞ୍ଚୁଛି । ଗ୍ରୀଷ୍ମଦିନେ ପ୍ରବଳ ଗରମ ସହି ନ ପାରି ଯେଉଁ ବନ୍ୟଜୀବ ପଳାୟନ କରୁଥିଲେ, ତାହା ବି ବନ୍ଦ ହୋଇଯାଇଛି । 

ପାର୍କରେ ଆଧୁନିକ ପ୍ରଯୁକ୍ତି ଅର୍ଥାତ ସୌର ପମ୍ପ୍‌ର ସହାୟତା ନିଆଯାଉଛି । ଦୁଇବର୍ଷ ପୂର୍ବେ କୁନୋର ୱେଷ୍ଟ ପାଲପୁର ରେଞ୍ଜ୍‌ର ଜଙ୍ଗଲଗୁଡ଼ିକରେ ଏକ ସଫଳ ପ୍ରୟୋଗ ଆରମ୍ଭ କରାଯାଇଥିଲା । ସେଠାରେ ୨୨.୫ ଅଶ୍ୱଶକ୍ତିର ସୌର ଶକ୍ତି ବ୍ୟବସ୍ଥା ଜରିଆରେ କୁନୋ ନଦୀରୁ ପାଣି ଉଠାଯାଉଛି । ପ୍ରାୟ ୮ କିମି ଦୂର ବିଷମ ଗ୍ରୀଷ୍ମକାଳୀନ ଅଞ୍ଚଳ ଦେଇ ୫ଟି ଶୁଖିଲା ଜଳାଶୟକୁ ଭର୍ତ୍ତି କରାଯାଇଛି । ଏ ବର୍ଷ ଏହି ପ୍ରୟୋଗକୁ ଆହୁରି ବଡ଼ ରୂପ ଦିଆଯାଇଛି । ଅଚ୍ଛାପୁରା ରେଞ୍ଜ୍‌ରେ ୪୨.୫ ଅଶ୍ୱଶକ୍ତି କ୍ଷମତାର ଆଉ ଏକ ସୌର ଆଧାରିତ ଜଳ ଉଠାଣ ବ୍ୟବସ୍ଥା ସକ୍ରିୟ କରାଯାଇଛି । ଏହି ସୌର ପମ୍ପ୍‌ କୁନୋ ନଦୀରୁ ପାଣି ଉଠାଇ ୧୫ କିମି ଦୂର ନେଇଯାଉଛି । ଏହାଦ୍ୱାରା ପ୍ରାୟ ୨୦୦ ମିଟରରୁ ଅଧିକ ଉଚ୍ଚତାରେ ଥିବା ତିନୋଟି ଜଳାଶୟକୁ ଗ୍ରୀଷ୍ମର ଚରମ ସମୟରେ ବି ଭର୍ତ୍ତି କରାଯାଇଛି । ଏହିସବୁ ଉଦ୍ୟମ ଯୋଗୁ ଯେଉଁ ଜଳାଶୟ ପୂର୍ବରୁ ଗରମ ଦିନେ ସମ୍ପୂର୍ଣ୍ଣ ଶୁଖିଯାଉଥିଲା, ଏବେ ତାହା ଜଳଭର୍ତ୍ତି ହୋଇଯାଇଛି । ଉନ୍ନତ ଇକୋସିଷ୍ଟମ୍‌ ଏବଂ ଉତ୍ତମ ବନ ପ୍ରବନ୍ଧନ ଯୋଗୁ କୁନୋରେ ଏଭଳି ବନ୍ୟଜୀବଙ୍କ ପୁନଃ ଉପସ୍ଥିତି ଦେଖିବାକୁ ମିଳିଛି, ଯେଉଁମାନେ ଅନେକ ଦଶନ୍ଧି ଧରି ଗାଏବ ହୋଇଯାଇଥିଲେ । କୁନୋରେ ଦୀର୍ଘ ୧୧୩ ବର୍ଷର ବ୍ୟବଧାନ ପରେ ଦୁର୍ଲଭ ପେଚାକୁ ପୁନର୍ବାର ଦେଖିବାକୁ ମିଳିଛି । ଗତବର୍ଷ ଡିସେମ୍ବରରୁ ଏହା ନିୟମିତ ଭାବେ ଦେଖାଦେଉଛି ।

କୁନୋ ଇତିହାସରେ ପ୍ରଥମ ଥର ପାଇଁ ଜଙ୍ଗଲୀ କୁକୁରକୁ ବି ଦେଖିବାକୁ ମିଳିଛି । ଉନ୍ନତ ପରିସଂସ୍ଥାନ ହିଁ ଏହାକୁ ଡାକି ଆଣିଥିବା ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି । ଗଧିଆମାନେ ଏଠାରେ ଗରମ ଦିନେ ରହି ନ ପାରି ଅନ୍ୟତ୍ର ପଳାୟନ କରୁଥିଲେ । କିନ୍ତୁ ଏବେ ଏମାନେ କୁଆଡ଼େ ନ ଯାଇ ସ୍ଥାୟୀ ଭାବେ ରହିବାକୁ ଲାଗିଛନ୍ତି । କୁନୋରେ ଏହି ଜଳ କ୍ରାନ୍ତି ଜଙ୍ଗଲୀ ଦୃଶ୍ୟପଟକୁ ବଦଳାଇ ଦେଇଛି । ଗ୍ରୀଷ୍ମକାଳରେ ଯେଉଁ ସ୍ଥାନ ଏକଦା ଶୂନଶାନ ହୋଇଯାଉଥିଲା, ଏବେ ପଶୁପକ୍ଷୀଙ୍କ ଡାକରେ ଗୁଞ୍ଜରିତ ହୋଇଉଠୁଛି । କୁନୋ ବଦଳି ଯାଇଛି । ସନ୍ଧ୍ୟା ହେବା କ୍ଷଣି ଧୂଳିଭରା ରାସ୍ତାରେ ଚିତ୍ତଳ ହରିଣଙ୍କ ଲମ୍ବା ଧାଡ଼ି ଲାଗୁଛି । ନୀଳଗାଈ ଏବେ ପାଣି ତଲାସରେ ଏଣେତେଣେ ବୁଲୁନାହିଁ । ବରଂ ଭରପୂର ପାଣି ପାଇ ସ୍ଥାନୀୟ ନିବାସୀ ହୋଇଯାଇଛି । କୁନୋରେ ଏବେ ପ୍ରକୃତିର ଚମତ୍କାର ଦେଖିବାକୁ ମିଳୁଥିବା ପରିବେଶବିତ୍‌ମାନେ କହୁଛନ୍ତି । ପିସିସିଏଫ୍‌ (ବନ୍ୟଜୀବ) ସମୀତା ରାଜୌରା କୁହନ୍ତି, ଏହା ହେଉଛି ‘ଅମ୍ବ୍ରେଲା ଇଫେକ୍ଟ’ । କୁନୋରେ ଚିତାମାନଙ୍କ ଲାଗି କରାଯାଉଥିବା ସଂରକ୍ଷଣର ଲାଭ ଅନ୍ୟ ବନ୍ୟଜୀବ ଉଠାଉଛନ୍ତି । କୁନୋର ପରିସଂସ୍ଥାନ ଲଗାତର ମଜଭୁତ ହେବାରେ ଲାଗିଛି ।

ଅଧିକ ପଢନ୍ତୁ- Suspected CDV outbreak Alarms: ଗୁଜରାଟରେ ୧୨ ସିଂହ , ମଧ୍ୟପ୍ରଦେଶରେ ୧୦ ବାଘଙ୍କ ମୃତ୍ୟୁ