କୋକସରା,୧୩/୦୮ : ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ଜଣେ ଶ୍ରମିକଙ୍କ ମୃତଦେହ ଭିଟାମାଟିକୁ ଫେରିଛି। କୋକସରା ବ୍ଲକ ଆମପାଣି ପଞ୍ଚାୟତର ସାହାଜଖୋଲ ଜଙ୍ଗଲ ମଧ୍ୟରେ ଥିବା ଦୁର୍ଗମ କୁଟୁରୁ ଗାଁର ସ୍ବର୍ଗତ ବାଳଚନ୍ଦ ମାଝୀଙ୍କ ନାବାଳକ ପୁଅ ଡମ୍ବରୁ ମାଝୀ (୧୭)ଙ୍କ ମୃତଦେହ ଗାଁକୁ ଫେରିଛି।
ବାପା,ମା ଙ୍କ ମୃତ୍ୟୁ ପରେ ଘରର ଆର୍ଥିକ ଅନାଟନ ଯୋଗୁଁ ଜଣେ ଦାଦନ ଦଲାଲଙ୍କ ପ୍ରଲୋଭନରେ ପଡି ଗତ ମାସେ ତଳେ ଚେନ୍ନାଇର ପଣ୍ଡିଚେରୀର ଏକ ଠିକାସଂସ୍ଥାରେ ଡମ୍ବରୁ ନିୟୋଜିତ ହୋଇଥିଲେ। ଗତ ସୋମବାର କୋଠା ନିର୍ମାଣ କାମ କରୁଥିବା ବେଳେ ଛାତରୁ ପଡି ନାବାଳକ ଶ୍ରମିକର ମୃତ୍ୟୁ ହୋଇଥିଲା। ମୃତକ ଙ୍କ ଶବ ଆଣିବା ଠିକା ସଂସ୍ଥା କୌଣସି ସହାୟତା ନକରିବାରୁ ପରିବାର ଓ ସମ୍ପର୍କୀୟ ଲୋକେ ସୁନାଗହଣା ବନ୍ଧକ ରଖି ଆମ୍ବୁଲାନ୍ସ ଭଡା ଦେଇଥିବା ନେଇ ସ୍ଥାନୀୟ ଗ୍ରାମର ଯୁବକ ଉଛବ ଠାକୁର କହିଛନ୍ତି। ବୁଧବାର ମୃତଦେହ ଗାଁ ରେ ପହଞ୍ଚିବା ପରେ କ୍ଷତିପୂରଣ ଦାବି କରି ପରିବାର ଲୋକେ ଆମ୍ବୁଲାନ୍ସକୁ ଅଟକ ରଖିଥିଲେ। ଏନେଇ ବିଜେପି ଆମପାଣି ମଣ୍ଡଳ ଯୁବ ମୋର୍ଚ୍ଚା ସଭାପତି ତ୍ରିଲୋକ୍ୟ ବେଶ୍ରା ପୋଲିସ କୁ ଖବର ଦେବାସହ ନିଜେ ଘଟଣାସ୍ଥଳରେ ପହଞ୍ଚି ପରିବାର ଲୋକ ଙ୍କୁ ବୁଝାସୁଝା କରିଥିଲେ । ବିଧାୟକ ଙ୍କୁ ଏହି ବିଷୟରେ ଜଣାଇବା ସହ ସରକାରୀ ସ୍ତରରେ ସହାୟତା ଯୋଗାଇ ଦେବାକୁ ଚେଷ୍ଟା କରିବେ ବୋଲି କହିଥିଲେ। ପରେ ଅଟକ ଆମ୍ବୁଲାନ୍ସ କୁ ପରିବାର ଓ ଗ୍ରାମବାସୀ ଛାଡିଥିବା ନେଇ ସୂଚନା ମିଳିଛି।