ଲାଲବାଗ୍ ହତ୍ୟାକାଣ୍ଡ ମାମଲା: ‘କ୍ରାଇମ୍ ପେଟ୍ରୋଲ’ ଦେଖି ମା’କୁ ମାରି ଖଣ୍ଡ ଖଣ୍ଡ କରିବାର ଯୋଜନା କରିଥିଲା ଝିଅ

ମୁମ୍ବାଇ,୧୮।୩: ମୁମ୍ବାଇର ଲାଲବାଗ ହତ୍ୟାକାଣ୍ଡ ମାମଲାରେ ଏବେ ନୂଆ କଥା ସାମନାକୁ ଆସିଛି। ମା’କୁ ହତ୍ୟା ପରେ ମୃତଦେହକୁ ଖଣ୍ଡ ଖଣ୍ଡ କରି ଘରେ ଲୁଚାଇଥିବା ଝିଅ ବିଷୟରେ ଏବେ ପୋଲିସ କରିଛି ଚାଞ୍ଚଲ୍ୟକର ଖୁଲାସା। ପୋଲିସ ଅଧିକାରୀମାନେ କହିଛନ୍ତି, ରିମ୍ପଲ ଜୈନ ନାମକ ଏହି ଯୁବତୀ ଜଣକ ନିୟମିତ ଟିଭିରେ ‘କ୍ରାଇମ୍ ପେଟ୍ରୋଲ’ ଦେଖୁଥିଲେ। ମା’କୁ ହତ୍ୟାକରି ମୃତଦେହକୁ କାଟିବାର ବିଚାର ତାକୁ କ୍ରାଇମ ପେଟ୍ରୋଲରୁ ଆସିଥିଲା। ତେବେ ମୃତ୍ୟୁର କାରଣର ଏବେ ବି ଅସ୍ପଷ୍ଟ ରହିଛି। ପୋଲିସ ପୋଷ୍ଟମର୍ଟମ ରିପୋର୍ଟର ଅପେକ୍ଷାରେ ରହିଛି।
ମୁମ୍ବାଇ ପୋଲିସ ବୀଣା ଜୈନଙ୍କ ମୃତ୍ୟୁ ମାମଲାରେ ଏପର୍ଯ୍ୟନ୍ତ ୬ ଜଣଙ୍କ ବୟାନ ରୁଜୁ କରିଛି। ପୋଲିସ ଭେଣ୍ଡର,ସେଲସମ୍ୟାନ୍ ଓ ଇବ୍ରାହିମ୍ କସମ୍ ବିଲ୍ଡିଂର ଗ୍ରାଉଣ୍ଡ ଫ୍ଲୋରରେ ଥିବା ହୋଟେଲ କର୍ମଚାରୀଙ୍କୁ ପଚରା ଉଚରା କରିଛି। ଏହି ବିଲ୍ଡିଂରେ ୫୫ ବର୍ଷୀୟ ବୀଣା ଜୈନ ନିଜର ୨୩ ବର୍ଷୀୟ ଝିଅ ରିମ୍ପଲଙ୍କ ସହିତ ରହୁଥିଲେ। ୨୦ ବର୍ଷ ପୂର୍ବେ ମହିଳାଙ୍କ ସ୍ବାମୀଙ୍କର ମୃତ୍ୟୁ ହୋଇସାରିଛି। ରିମ୍ପଲ ଦ୍ବାଦଶ ଶ୍ରେଣୀରେ ପାଠପଢା ଛାଡି ଦେଇଥିଲା। ପୋଲିସ କହିଛି, ଏଭଳି ଲାଗୁଛି ବୀଣାଙ୍କ ମୃତ୍ୟୁ ୨୭ ଡିସେମ୍ବରରେ ହୋଇଥିଲା। ସେ ଦିନ ଏହି ବିଲ୍ଡିଂର ପ୍ରଥମ ମହଲାରୁ ସେ ତଳକୁ ଖସି ପଡିଥିଲେ। କାଲାଚୌକି ପୋଲିସ ଷ୍ଟେସନ୍ର ଅଧିକାରୀଙ୍କ କହିବା ଅନୁସାରେ, ତାଙ୍କୁ ସେହି ବିଲ୍ଡିଂରେ ରହୁଥିବା ଦୁଇ ହୋଟେଲ କର୍ମଚାରୀଙ୍କ ସାହାଯ୍ୟରେ ଘରକୁ ଅଣାଯାଇଥିଲା।

ପୋଲିସ ଏହା ମଧ୍ୟ କହିଛି ଯେ, ରିମ୍ପଲ ୨୭ ଡିସେମ୍ବରରେ ଫିନାଇଲ ଓ ରୁମ୍ ଫ୍ରେସନର କିଣିଥିଲେ। ପୋଲିସକୁ ରିମ୍ପଲଙ୍କ ଘରୁ ମାର୍ବଲ କାଟୁଥିବା ମେସିନ୍ ମଧ୍ୟ ମିଳିଛି। ରିମ୍ପଲ ନିଜ ମା’କୁ ହତ୍ୟା କରିଥିବା କଥା ସମ୍ପୂର୍ଣ୍ଣ ଭାବରେ ଖଣ୍ଡନ କରିଛି। ସେ କହିଛି, ଖସି ପଡିବା କାରଣରୁ ତା’ ମା’ଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା ଓ ପରେ ମୃତ୍ୟୂ ହୋଇଥିଲା। ମୁମ୍ବାଇ ପୋଲିସ ଏହି ମାମଲାରେ ପଚରା ଉଚରା ପାଇଁ ଉତ୍ତର ପ୍ରଦେଶର ଜଣେ ବ୍ୟକ୍ତିଙ୍କୁ ନେଇକି ଆସିଛି। ସେ ପାଖରେ ଏକ ସ୍ୟାଣ୍ଡଓ୍ବିଚ୍ ଷ୍ଟଲ୍ରେ କାମ କରୁଥିଲା। କୁହାଯାଉଛି ଯେ, ରିମ୍ପଲ ସହ ତା’ର ସମ୍ପର୍କରେ ଥିଲା। ତେବେ ପୋଲିସ ପଚରା ଉଚରା ବେଳେ କିଛି ବି ସନ୍ଦିଗ୍ଧ ନଥିଲା, ତାକୁ ଛାଡି ଦିଆଯାଇଥିଲା।
ପୋଲିସର ଅଭିଯୋଗ ଅନୁସାରେ, ରିମ୍ପଲ ନିଜ ମା’ଙ୍କୁ ହତ୍ୟା କରି ମୃତଦେହକୁ ଖଣ୍ଡ ଖଣ୍ଡ କରିଥିଲା। ଏହାପରେ ସେ ମାସ ମାସ ପର୍ଯ୍ୟନ୍ତ ଘରେ ଲୁଚାଇ ରଖିଥିଲା। କାଲାଚୌକି ପୋଲିସକୁ ବୀଣାଙ୍କ ସଢି ଯାଇଥିବା ମୃଦଦେହ ଘରର ଏକ ଆଲମାରୀ ଭିତରେ ଥିବା ପ୍ଲାଷ୍ଟିକ୍ ବ୍ୟାଗ୍ରୁ ମିଳିଥିଲା। ଶରୀରର ଅଙ୍ଗକୁ କାଟିବା ପରେ ବାଥ୍ରୁମ୍ରେ ଥିବା ପାଣି ଡ୍ରମ୍ରେ ଭରି କରି ରଖାଯାଇଥିଲା। ପୋଲିସକୁ ଘରୁ ଏକ ଇଲେକ୍ଟ୍ରିକ୍ ମାର୍ବଲ କଟର ମେସିନ୍ ମିଳିଛି। ପୋଲିସକୁ ସନ୍ଦେହ ରହିଛି ମହିଳାଙ୍କ ଅଙ୍ଗକୁ କାଟି ପାଇଁ ଏହାକୁ ବ୍ୟବହାର କରାଯାଇଥିଲା।