ନୂଆଦିଲ୍ଲୀ,୧୭/୧୨ : ବରଗଡ଼ ରୋଡ୍ -ନୂଆପଡ଼ା ରୋଡ୍ ନୂଆ ରେଳ ଲାଇନକୁ ‘ସ୍ବତନ୍ତ୍ର ରେଳ ପ୍ରକଳ୍ପ' ଭାବେ ବିଜ୍ଞପିତ କରାଯାଇଛି ଏବଂ ଏହି ପ୍ରକଳ୍ପ ଲାଗି ଦ୍ରୁତ ଗତିରେ ଜମି ଅଧିଗ୍ରହଣ ପ୍ରକ୍ରିୟା ଜାରି ରହିଛି ବୋଲି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆଜି ଲୋକସଭାରେ ସୂଚନା ଦେଇଛନ୍ତି I ଶ୍ରୀ ବୈଷ୍ଣବ କହିଛନ୍ତି, ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ଲାଗି ବରଗଡ଼ ଏବଂ ନୂଆପଡ଼ାରେ କ୍ଷମତାପ୍ରାପ୍ତ କର୍ତ୍ତୃପକ୍ଷ (ସିଏଏଲଏ)ଙ୍କୁ ନିଯୁକ୍ତ କରାଯାଇଛି। ୭୩ଟି ଗ୍ରାମରେ ଜମି ଅଧିଗ୍ରହଣ ଲାଗି ପ୍ରାଥମିକ ବିଜ୍ଞପ୍ତି ପ୍ରକାଶ ପାଇଛି । ୨୦୨୫-୨୬ଆର୍ଥିକ ବର୍ଷରେ ଏଥିପାଇଁ ୪୩କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା କରାଯାଇଛି ବୋଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି।

- ନୂଆ ରେଳ ଲାଇନକୁ ‘ସ୍ବତନ୍ତ୍ର ରେଳ ପ୍ରକଳ୍ପ’ ଭାବେ ବିଜ୍ଞପିତ କରାଯାଇଛି

- ୧୩୮କିମି ରେଳ ପ୍ରକଳ୍ପ ପାଇଁ ୨,୬୨୨କୋଟି ଟଙ୍କା ବ୍ୟୟ କରାଯିବ

ସେ ଆହୁରି କହିଛନ୍ତି, ୧୩୮କିଲୋମିଟର ଲମ୍ୱ ବରଗଡ଼ ରୋଡ୍ -ନୂଆପଡ଼ା ରୋଡ୍ ନୂଆ ରେଳ ଲାଇନ ନିର୍ମାଣ ଲାଗି ୨,୬୨୨କୋଟି ଟଙ୍କା ମଞ୍ଜୁର କରାଯାଇଛି । କୌଣସି ରେଳ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବା ଲାଗି ଜମି ଅଧିଗ୍ରହଣ, ଜଙ୍ଗଲ ଅନୁମତି, ବିଭିନ୍ନ ଆନୁସଙ୍ଗିକ ଭିଲିଭୂମିକୁ ସ୍ଥାନାନ୍ତର, ବୈଧାନିକ ମଞ୍ଜୁରି, ଭୌଗଳିକ ସ୍ଥିତି, ଆଇନଶୃଙ୍ଖଳା ପରିସ୍ଥିତି ଆଦି ଉପରେ ନିର୍ଭର କରିବାକୁ ପଡ଼ିଥାଏ । ତେବେ ରେଳ ପ୍ରକଳ୍ପ ଗୁଡ଼ିକୁ ତ୍ବରାନ୍ବିତ କରିବା ଲାଗି ଏବଂ ଦ୍ରୁତ ଅନୁମୋଦନ ହାସଲ କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏଥିପାଇଁ ଯଥେଷ୍ଟ ପାଣ୍ଠି ବ୍ୟବସ୍ଥା କରାଯାଇଛି  I କ୍ଷେତ୍ର ସ୍ତରରେ କ୍ଷମତା ହସ୍ତାନ୍ତର ସହିତ ବିଭିନ୍ନ ସ୍ତରରେ ପ୍ରକଳ୍ପର ଅଗ୍ରଗତି ଅନୁଧ୍ୟାନ କରାଯାଉଛି । ରାଜ୍ୟ ସରକାର ଏବଂ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ସହିତ ନିୟମିତ ଯୋଗାଯୋଗ ରକ୍ଷା କରାଯାଇ ଜମି ଅଧିଗ୍ରହଣ, ଜଙ୍ଗଲ ଓ ବନ୍ୟପ୍ରାଣୀ ମଞ୍ଜୁରି ଏବଂ ପ୍ରକଳ୍ପ ସହ ଜଡ଼ିତ ଅନ୍ୟାନ୍ୟ ଅନୁମୋଦନ ଲାଗି ପ୍ରୟାସ କରାଯାଉଛି । ଫଳରେ ଗତ ଏକ ଦଶନ୍ଧି ମଧ୍ୟରେ ରେଳ ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା ଦ୍ରୁତଗତିରେ ଜାରି ରହିଛି ।