ଢେଙ୍କାନାଳ,୨୮/୦୭: ଠକେଇର ଶିକାର  ହୋଇଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ  ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଢେଙ୍କାନାଳ ସଦର ଥାନା  ବଣସିଂହ ଅଞ୍ଚଳର ଜଣେ ବ୍ୟକ୍ତି ତାଙ୍କୁ ଜମି ବିକ୍ରି  କରିବାକୁ କହି ୨୫ ଲକ୍ଷ ଟଙ୍କା ଠକି ନେଇଛି । ଟଙ୍କା  ଫେରାଇବେ ବୋଲି କହି ଭଣ୍ଡାଇ ଚାଲିଲେ । ବିଗତ  ୪ ବର୍ଷ ହେଲା ଆଉ ସେହି ବ୍ୟକ୍ତି ଜଣଙ୍କ ମନ୍ତ୍ରୀଙ୍କୁ  ଧରାଛୁଆଁ ଦେଉନାହାନ୍ତି । ଠକାମିର ଶିକାର ହୋଇ ଶେଷରେ ମନ୍ତ୍ରୀ ଶ୍ରୀ ପାତ୍ର ରବିବାର ଢେଙ୍କାନାଳ  ଟାଉନ୍‌ ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ  ମାମଲା ରୁଜୁ କରି ତଦନ୍ତ ଚଳାଇଛି ।  

ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ଘର ଢେଙ୍କାନାଳ ଟାଉନ ଥାନା ସିମିଳିଆରେ । ମନ୍ତ୍ରୀ ନଥିବା ସମୟରେ ଅର୍ଥାତ୍‌  ୨୦୨୧ ମସିହାରେ ସଦର ଥାନା ବଣସିଂହ ଅଞ୍ଚଳର ଜଣେ ବ୍ୟକ୍ତି ତାଙ୍କ ପାଖକୁ ଆସିଥିଲା । ବଣସିଂହ ଅଞ୍ଚଳରେ ଭଲ ମୂଲ୍ୟରେ ଜମି ରହିଛି । କିଣିବାକୁ  ଚାହୁଁଥିଲେ ସେ ସେସବୁ ଜମି ଯୋଗାଡ଼ କରିଦେବ ବୋଲି କହିଥିଲା । ମନ୍ତ୍ରୀ ଶ୍ରୀ ପାତ୍ର କିଣିବାକୁ ରାଜି ହେବାରୁ, ଜମି ମାଲିକମାନଙ୍କୁ ଅଗ୍ରୀମ ଦେବାକୁ ପଡ଼ିବ କହି ୨୫ ଲକ୍ଷ ଟଙ୍କା ଉକ୍ତ ବ୍ୟକ୍ତି ଜଣକ ନେଇଯାଇଥିଲା । ଶ୍ରୀ ପାତ୍ର ସମ୍ପୃକ୍ତ ବ୍ୟକ୍ତିକୁ ବିଶ୍ୱାସ  କରି ଟଙ୍କା ଦେଇଥିଲେ । ମାତ୍ର ଅନେକ ଦିନ ପର୍ଯ୍ୟନ୍ତ  ସେ ଜମି ଯୋଗାଡ଼ କରି ପାରିନଥିଲା । ବିଭିନ୍ନ ବାହାନା  କରି ଦିନ ଗଡ଼ାଇ ଚାଲିଥିଲା । ଶେଷରେ ନିରାଶ  ହୋଇ ଶ୍ରୀ ପାତ୍ର ଟଙ୍କା ଫେରସ୍ତ ଦେଇଦେବାକୁ  କହିଥିଲେ । ଅଭିଯୁକ୍ତ ୨ଟି ଚେକ୍‌ ଶ୍ରୀ ପାତ୍ରଙ୍କ ନାମରେ  ଦେଇଥିଲା । ତାହା ବ୍ୟାଙ୍କ୍‌ରେ ଜମା କରିବାରୁ ଚେକ୍‌ ବାଉନ୍ସ ହୋଇଯାଇଥିଲା । ଶ୍ରୀ ପାତ୍ର ରିପେମେଣ୍ଟ ପାଇଁ  ନୋଟିସ୍‌ ପଠାଇଥିଲେ ସୁଧା ସେ ଦେଇନଥିଲା ।  

ବାରମ୍ବାର କହିବା ପରେ ୨୦୨୪ ନଭେମ୍ବର ୩୦  ତାରିଖ ମଧ୍ୟରେ ସମସ୍ତ ଟଙ୍କା ଫେରସ୍ତ ପାଇଁ ରାଜିନାମା  ଦେଇଥିଲା । ମାତ୍ର ନିର୍ଦ୍ଧାରିତ ସମୟ ମଧ୍ୟରେ ଟଙ୍କା  ନଫେରାଇ ୨୦୨୫ ଜାନୁଆରୀ ଶେଷସୁଧା ଫେରାଇ  ଦେବାକୁ କହିଥିଲା । ଟଙ୍କା ନଦେଇ ଲୁଚକାଳି  ଖେଳିଥିଲା । ଆଉ ଧରାଛୁଆଁ ଦେଇନଥିଲା । ମନ୍ତ୍ରୀ  ଶ୍ରୀ ପାତ୍ର ବୁଝାବୁଝି କରିବାରୁ ଅଭିଯୁକ୍ତ ପାଖରେ  କୌଣସି ଜମି ନାହିଁ । କିମ୍ବା କୌଣସି ମାଲିକଙ୍କ ସହ  ଯୋଗାଯୋଗ କରିନଥିବା ଜାଣିବାକୁ ପାଇଥିଲେ ।  ସମ୍ପୃକ୍ତ ବ୍ୟକ୍ତି ନାଁରେ ମନ୍ତ୍ରୀ ଶ୍ରୀ ପାତ୍ର ଥାନାରେ  ଅଭିଯୋଗ କରିଛନ୍ତି । ତୁରନ୍ତ ଠକକୁ ଧରିବା ସହ  ଟଙ୍କା ଫେରସ୍ତ ପାଇଁ ନିବେଦନ କରିଛନ୍ତି । ଟାଉନ  ଥାନା ପୁଲିସ୍‌ ମାମଲା ରୁଜୁ କରି ଛାନ୍‌ଭିନ୍‌ ଚଳାଇଛି ।