ଲାଞ୍ଜିଗଡ଼,୫/୨ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ପାଇଁ ମଞ୍ଜୁର ହୋଇଥିବା ଲାଞ୍ଜିଗଡ ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ ସ୍ଥାନ ବିବାଦ ସତ୍ତ୍ବେ ରାଜ୍ୟ ସରକାରଙ୍କ ରାଜସ୍ବ ବିଭାଗ ପକ୍ଷରୁ ଗୁରୁବାର ଉଦଘାଟିତ ହୋଇଯାଇଛି। ଭର୍ଚୁଆଲ ମୋଡରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଉଦଘାଟନ କରିଛନ୍ତି। ଲାଞ୍ଜିଗଡ଼ ପରିବର୍ତ୍ତେ ବିଶ୍ଵନାଥପୁରଠାରେ ସ୍ଥାପନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶ୍ୱନାଥପୁରକୁ ସ୍ଥାନାନ୍ତର କରିବା ନିଷ୍ପତ୍ତିକୁ ନେଇ ପୂର୍ବରୁ ହିଁ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ଦେଖାଯାଇଥିଲା। ତେବେ ପ୍ରଶାସନର ଏହି 'ଏକତରଫା' ଜିଦ୍ ବିରୋଧରେ ଆଜି ଲାଞ୍ଜିଗଡ଼ବାସୀ ରଣହୁଙ୍କାର ଦେବା ସହ ସମଗ୍ର ଅଞ୍ଚଳକୁ ୧୨ଘଣ୍ଟା ପାଇଁ ଅଚଳ କରି ଦେଇଥିଲେ। ହଜାର ସଂଖ୍ୟାରେ ପ୍ରାତଃ ୪ଟା ସମୟରୁ ବିଶ୍ଵନାଥପୁର ପହଞ୍ଚି ତହସିଲ କାର୍ଯ୍ୟାଳୟରେ ତାଲା ମାରିଥିଲେ ଓ ଧାରଣା ଦିଆଯାଇଥିଲା। ଫଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ଉଦଘାଟନୀ କାର୍ଯ୍ୟକ୍ରମ ବାତିଲ ହୋଇଥିଲା। ଜିଲ୍ଲାସ୍ତରୀୟ ରାଜସ୍ବ ଅଧିକାରୀ ପ୍ରମୁଖ ଅଧା ବାଟରୁ ପ୍ରତ୍ୟାବର୍ତ୍ତନ କରିଥିଲେ। ମାତ୍ର ଦିନ ତମାମ ଆନ୍ଦୋଳନକାରୀ କଳା ବସ୍ତ୍ର ପରିଧାନ କରି ଏକ ଶୋଭାଯାତ୍ରାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ସୂଚନାଯୋଗ୍ୟ, ସରକାରଙ୍କ ରାଜସ୍ୱ ବିଭାଗର ମୂଳ ବିଜ୍ଞପ୍ତି (ତା ୨୧/୦୧/୨୦୨୬) ଅନୁସାରେ ଲାଞ୍ଜିଗଡ଼ରେ ହିଁ ଅଫିସ୍ ହେବା କଥା। ସେଥିପାଇଁ ସମସ୍ତ ବ୍ୟବସ୍ଥା ମଧ୍ୟ ଶେଷ ହୋଇଥିଲା। ମାତ୍ର ଗତ ୩୧ ତାରିଖରେ ଉପ-ଜିଲ୍ଲାପାଳ ଓ ତହସିଲଦାରଙ୍କ ଉପସ୍ଥିତିରେ ଅନୁଷ୍ଠିତ ବୈଠକରେ ପ୍ରଶାସନ ହଠାତ୍ ବିଶ୍ୱନାଥପୁରର ପ୍ରସ୍ତାବ ରଖିଥିଲା। ସରକାରଙ୍କ ପକ୍ଷରୁ ପୁନର୍ବାର ସ୍ଥାନ ପରିବର୍ତ୍ତନ ନେଇ ପୁଣି ଏକ ନୂଆ ବିଜ୍ଞପ୍ତି ଆସିବା ପରେ ଅଞ୍ଚଳବାସୀ ମଧ୍ୟରେ କୁହୁଳୁଥିବା ନିଆଁରେ ଘିଅ ଢାଳିବା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାକୁ ନେଇ ପ୍ରଥମେ ଗତ ମଙ୍ଗଳବାର ଲାଞ୍ଜିଗଡ ଠାରେ ଆଖପାଖ ପ୍ରାୟ ୧୦ ଟି ପଂଚାୟତର ବିଭିନ୍ନ ଗ୍ରାମର ଲୋକେ ଏକତ୍ରିତ ହୋଇଥିଲେ। ରାଜସ୍ବ ବିଭାଗରୁ ଜାରି ପ୍ରଥମ ବିଜ୍ଞପ୍ତି ଅନୁସାରେ ଲାଞ୍ଜିଗଡ ଠାରେ ସବ୍ ରେଜିଷ୍ଟ୍ରାର କାର୍ଯ୍ୟାଳୟ ସ୍ଥାପନ କରିବାକୁ ଦାବି କରି ସ୍ଥାନୀୟ ଥାନା ଅଧିକାରୀଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଥିଲେ । ସୁଫଳ ନ ମିଳିବାରୁ ବୁଧବାର ତହସିଲ ଅଫିସ ଘେରାଉ କରାଯାଇଥିଲା । ଲୋକଙ୍କ ମଧ୍ୟରେ ସବ୍ ରେଜିଷ୍ଟ୍ରାର କାର୍ଯ୍ୟାଳୟ ସ୍ଥାନ ନେଇ ଅସନ୍ତୋଷ ଦେଖାଯିବା ସତ୍ତ୍ବେ ଆଜି ରାଜସ୍ବ ବିଭାଗରୁ ଟାଳଟୁଳ ନୀତି କରାଯିବାକୁ ନେଇ ଅଞ୍ଚଳବାସୀ ଆଜି ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହୋଇଥିଲେ। ଗୁରୁବାର ଲାଞ୍ଜିଗଡ ବନ୍ଦ ଡାକରା ଦେବା ସହ ତହସିଲ କାର୍ଯ୍ୟାଳୟ ଘେରାଉ କରିବା ସହ ତାଲା ମାରି ଧାରଣା ଦେଇଥିଲେ। ଜନଅସନ୍ତୋଷକୁ ସତ୍ତ୍ବେ ବିଶ୍ଵନାଥପୂର ସକାଶେ ଉଦଘାଟନ ହେବାରୁ ଅଞ୍ଚଳବାସୀ ଏବେ କୋର୍ଟଙ୍କ ଦ୍ୱାରସ୍ଥ ହେବା ସହ ସରକାର ନିଷ୍ପତ୍ତି ପରିବର୍ତ୍ତନ ନକଲେ ୨୦୨୭ପଞ୍ଚାୟତ ନିର୍ବାଚନ ବର୍ଜନ କରିବାକୁ ଖୋଲା ଚେତାବନୀ ଦେଇଛନ୍ତି ।
ଲାଞ୍ଜିଗଡ ନାମରେ ଆସିଥିବା ଅଫିସକୁ ଲାଞ୍ଜିଗଡ଼ଠାରୁ ଛଡ଼ାଇ ନିଆଯାଉଛି । ଏହା ପୂର୍ବରୁ ଲାଞ୍ଜିଗଡ଼ ବ୍ଲକ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ ସ୍ଥାପନ କ୍ଷେତ୍ରରେ ଏଭଳି ଲାଞ୍ଜିଗଡ଼କୁ ଅବହେଳା କରାଯାଇଛି ବୋଲି ଲାଞ୍ଜିଗଡ଼ ଅଞ୍ଚଳ ବିକାଶ ବିଶ୍ଵନାଥପୁରଠାରେ ବାଟ ମାରଣାର ଶିକାର ହେଉଛି। ଲାଞ୍ଜିଗଡ଼ ବ୍ଲକରେ ୨୬ଟି ପଞ୍ଚାୟତ ରହିଥିବାବେଳେ ଲାଞ୍ଜିଗଡ଼ ଉପରେ ନିର୍ଭର କରୁଛି ୧୬ଗୋଟି ପଞ୍ଚାୟତ। ଅନ୍ୟ ୧୦ଗୋଟି ପଞ୍ଚାୟତ ମଧ୍ୟରୁ ଭବାନୀପାଟଣା ବ୍ଳକକୁ ୨ ଗୋଟି ପଞ୍ଚାୟତ ଲାଗି ରହିଥିବା ବେଳେ ନର୍ଲା ବ୍ଲକକୁ ଲାଗି ରହିଛି ୩ ଗୋଟି ପଞ୍ଚାୟତ। କେବଳ ୫ ଗୋଟି ପଞ୍ଚାୟତ ବିଶ୍ୱନାଥପୁର ପାରିପାର୍ଶ୍ବିକ ଅଞ୍ଚଳରେ ରହିଛି। ଏହା ସତ୍ତ୍ୱେ ସବ୍ ରେଜିଷ୍ଟ୍ରାର କାର୍ଯ୍ୟାଳୟ ସ୍ଥାପନ ଲାଞ୍ଜିଗଡ ପରିବର୍ତ୍ତେ ବିଶ୍ଵନାଥପୁରଠାରେ କରାଯିବାକୁ ପ୍ରଶାସନର ଏହି ଟାଳଟୁଳ ନୀତିକୁ ଆମେ ସହ୍ୟ କରିବୁ ନାହିଁ। ଦରକାର ପଡ଼ିଲେ ଆମେ ଭୋଟ୍ ବର୍ଜନ କରିବୁ। ଆନ୍ଦୋଳନ ଜାରି ରହିବ ବୋଲି ସରକାର ଓ ପ୍ରଶାସନକୁ ସ୍ପଷ୍ଟ ସୂଚାଇ ଦେଇଛନ୍ତି।