୨୭।୭: ସନାତନ ଧର୍ମ ଏବଂ ଆଧ୍ୟାତ୍ମିକ ପରମ୍ପରାରେ 'ଦେବତା' ଏବଂ 'ଭଗବାନ୍', ଏହି ଦୁଇଟି ଶବ୍ଦକୁ ଅନେକ ସମୟରେ ଏକାଭଳି ବ୍ୟବହାର କରାଯାଇଥାଏ । କିନ୍ତୁ ଶାସ୍ତ୍ର ଏବଂ ତତ୍ତ୍ୱଦୃଷ୍ଟିରୁ ବିଚାର କଲେ, ଉଭୟଙ୍କ ସ୍ଥିତି, ଭୂମିକା ଏବଂ ଶକ୍ତି ମଧ୍ୟରେ ବହୁତ ବଡ଼ ପାର୍ଥକ୍ୟ ରହିଛି । ସାଧାରଣତଃ ଅଧିକାଂଶ ଲୋକ ଏହାକୁ ଏକା ବୋଲି ଭାବିଥାଆନ୍ତି, ଯାହାକି ସଂପୂର୍ଣ୍ଣ ସଠିକ୍ ନୁହେଁ । ଆସନ୍ତୁ ଜାଣିବା ଉଭୟଙ୍କ ମଧ୍ୟରେ ପ୍ରକୃତ ପାର୍ଥକ୍ୟ କ'ଣ ରହିଛି ।
ଦେବତା: ପ୍ରକୃତିର ଶକ୍ତି
ସନାତନ ସଂସ୍କୃତି ଅନୁଯାୟୀ, ଯେଉଁ ଦିବ୍ୟ ଏବଂ ଶକ୍ତିଶାଳୀ ପ୍ରାଣୀମାନଙ୍କୁ ପ୍ରକୃତିର ବିଭିନ୍ନ ତତ୍ତ୍ୱ ଓ ପରିଚାଳନାର ଦାୟିତ୍ୱ ମିଳିଥାଏ, ସେମାନଙ୍କୁ ଦେବତା କୁହାଯାଏ । ଦେବତାମାନଙ୍କୁ ପ୍ରକୃତିର ଗୋଟିଏ ଗୋଟିଏ ନିର୍ଦ୍ଦିଷ୍ଟ କ୍ଷେତ୍ର ବା ବିଭାଗର ଦାୟିତ୍ୱ ଦିଆଯାଇଥାଏ । ଯେପରିକି ଅଗ୍ନି ଦେବତାଙ୍କୁ ଉଷ୍ମତା, ବରୁଣ ଦେବତାଙ୍କୁ ଜଳ ଏବଂ ପବନ ଦେବତାଙ୍କୁ ବାୟୁର ଅଧିପତି ମାନାଯାଇଛି ।
ଏହା ବି ପଢ଼ନ୍ତୁ... Friday donations: ଆର୍ଥିକ ସଙ୍କଟରୁ ମିଳିବ ମୁକ୍ତି ! ଶୁକ୍ରବାର କରନ୍ତୁ ଏହି ଗୋଟିଏ ଦାନ, ଘରେ ହେବ ସୁଖ-ସମୃଦ୍ଧିର ବର୍ଷା
ଭଗବାନ: ସୃଷ୍ଟିର ସର୍ବୋଚ୍ଚ ଏବଂ ଅସୀମ ଶକ୍ତି
ଭଗବାନ ହେଉଛନ୍ତି ଏହି ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡ, ପ୍ରକୃତି ଏବଂ ସମସ୍ତ ଜୀବଜଗତର ପ୍ରକୃତ ସ୍ରଷ୍ଟା, ପାଳକ ଏବଂ ନିୟନ୍ତ୍ରା । ଯେଉଁ ପରମ ସତ୍ତାଙ୍କ ପାଖରେ ଐଶ୍ୱର୍ଯ୍ୟ, ଧର୍ମ, ଯଶ, ଶ୍ରୀ, ଜ୍ଞାନ ଏବଂ ବୈରାଗ୍ୟ ଏହି ଛୋଟି ବିଭୂତି ବା ଗୁଣ ପୂର୍ଣ୍ଣମାତ୍ରାରେ ବିଦ୍ୟମାନ, ସେହି ହେଉଛନ୍ତି ଭଗବାନ । ଭୂମି, ଜଳ, ଅଗ୍ନି, ବାୟୁ ଓ ଆକାଶ ଏହି ପଞ୍ଚମହାଭୂତ ଯାହାଙ୍କୁ ନିୟନ୍ତ୍ରଣରେ ରଖିଥାଏ, ସେହି ସର୍ବୋଚ୍ଚ ଶକ୍ତି ହେଉଛନ୍ତି ଭଗବାନ । ଦେବତାମାନେ ମୋକ୍ଷ ଦେବାରେ ସକ୍ଷମ ନୁହଁନ୍ତି, କିନ୍ତୁ ଭଗବାନ୍ ଜୀବଙ୍କୁ ଜନ୍ମ-ମୃତ୍ୟୁର ବନ୍ଧନରୁ ମୁକ୍ତ କରି ପରମ ମୋକ୍ଷ ପ୍ରଦାନ କରିଥାଆନ୍ତି । ସମସ୍ତ ଦେବତା ସେହି ପରମ ଭଗବାନଙ୍କ ଦ୍ୱାରା ନିୟନ୍ତ୍ରିତ ଏବଂ ତାଙ୍କରି ଆଜ୍ଞାରେ କାର୍ଯ୍ୟ କରୁଥିବା ଦିବ୍ୟ ପ୍ରଶାସକ ଅଟନ୍ତି ।