ଭୁବନେଶ୍ୱର,୧୪/୦୨: କଟକରେ ବିବାହ ଶୋଭାଯାତ୍ରାରେ ଲେଜର ଲାଇଟ୍ ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷିଦ୍ଧ ହୋଇଛି । ଡିଜେ ସାଉଣ୍ଡ ୬୫ ଡେସିବେଲ୍‌ରୁ ଅଧିକ ହୋଇପାରିବନି। କିନ୍ତୁ ରାଜଧାନୀରେ ଏସବୁ ନିୟମକୁ ଦଳି ମକଚି ଦିଆଯାଉଛି । ପ୍ରତି ବରଯାତ୍ରୀରେ ଲେଜର ଲାଇଟ୍ ଛାଇଯାଉଛି । ଡିଜେରୁ ବିକଟାଳ ଶଦ୍ଦ ବାହାରୁଛି । କେବଳ ବିବାହ ଶୋଭାଯାତ୍ରା ନୁହେଁ, ଘରୋଇ ଓ ସରକାରୀ ଇଭେଣ୍ଟରେ ବି ନିୟମକୁ ବାଏ ବାଏ ଉଡ଼ାଇ ଦେଉଛନ୍ତି । ଏହି ନିୟମ କେବେଠୁ କଡ଼ାକଡ଼ି କରାଯିବ? ସେନେଇ ପ୍ରଶ୍ନ ଉଠିଛି ।

ବିବାହ ଶୋଭାଯାତ୍ରାରେ ଶଦ୍ଦ ପ୍ରଦୂଷଣ ନିୟମକୁ ଉଲ୍ଲଘଂନ କରିବାରେ ରାଜଧାନୀବାସୀ ସବୁଠୁ ଆଗୁଆ । ଡିଜେ ଟ୍ରକରେ ମାଳମାଳ ଲେଜର ଲାଇଟ୍ ଖଞ୍ଜାଯାଉଛି । ଏହି ଉଚ୍ଚଶକ୍ତି ସମ୍ପର୍ଣ୍ଣ ଲାଇଟ୍ କେଉଁ ଗାଡି଼ ଚାଳକ ଆଖିରେ ପଡି଼ଲେ, ଦୁର୍ଘଟଣା ଘଟିବା ଆଶଙ୍କା ରହୁଛି । ଲାଇଟ୍ ମାଡ଼ରେ ଆଖିର ଦୃଷ୍ଟିଶକ୍ତି ଖରାପ ହୋଇପାରେ । କିନ୍ତୁ ରାତି ୧୦ଟା ପରେ ବିବାହ ଶୋଭାଯାତ୍ରା ବନ୍ଦ ନିୟମକୁ ସହର ଭିତରେ କଡ଼ାକଡି଼ ପାଳନ ହେଉଛି । କିନ୍ତୁ ବିବାହର ପେଣ୍ଠସ୍ଥଳୀ ପାଲଟିଥିବା ପୁରୀ ବାଇପାସ୍ରେ ଏହି ନିୟମକୁ ଅନେକ ମାନୁନାହାନ୍ତି । କିଛି ପ୍ରସେସନ ରାତି ୧୦ଟା ଭିତରେ ସରିଯାଉଛି । କିନ୍ତୁ ଅନେକ ରାତି ୧୨ଟା ଯାଏ ଚାଲୁଛି । ବରଯାତ୍ରୀମାନେ ଉଚ୍ଚ ଡିଜେ ସାଉଣ୍ଡ ତାଳେ ତାଳେ ନାଚି ଧୂଳି ଉଡ଼ାଉଛନ୍ତି ।

ଆହୁରି ପଢ଼ନ୍ତୁ :- ବିବାହ ଯାତ୍ରୀ ଲେଜ୍ ଶୋ' ମନା, ୬୫ ଡେସିବେଲରୁ ଅଧିକ ଶବ୍ଦ ହେଲେ ଆକ୍ସନ୍

ୟେ ତ, ଗଲା ବାହାଘର କଥା । ଯଦି କୌଣସି ହୋଟେଲ, ମଣ୍ଡପରେ ଘରୋଇ ଇଭେଣ୍ଟ ହେଉଛି, ସେଠି ମଧ୍ୟ ଶଦ୍ଦ ପ୍ରଦୂଷଣକୁ ରୋକିବାକୁ କେହି ନାହାନ୍ତି । କେଉଁ ଗଳିକନ୍ଦିରେ ଯଦି ଯଜ୍ଞ ଓ ଅଷ୍ଠପ୍ରହରୀ ସମେତ ଅନ୍ୟ ପର୍ବପର୍ବାଣୀ ଚାଲିଲା ତ କଥା ସରିଲା । ସ୍ପିକର, ମାଇକ୍ ଶଦ୍ଦରେ ଚର୍ତୁଦିଗ କମ୍ପିବାଟା ଥୟ । ଆଖପାଖ ବାସିନ୍ଦା ରାତିରେ ଶାନ୍ତିରେ ଶୋଇପାରୁ ନାହାନ୍ତି । ବରିଷ୍ଠ ନାଗରିକଙ୍କ ହୃଦ୍ଘାତ ହେବାର ଆଶଙ୍କା ବଢ଼ିଯାଉଛି । ବରମୁଣ୍ଡା, ଜନତା ମୈଦାନ ସମେତ ଅନ୍ୟାନ୍ୟ ଜାଗାରେ ହେଉଥିବା ସରକାରୀ କାର୍ଯ୍ୟକ୍ରମରେ ମଧ୍ୟ ଶଦ୍ଦ ପ୍ରଦୂଷଣ ଯାଞ୍ଚ ହେଉନି । ଶଦ୍ଦ ପ୍ରଦୂଷଣ ରୋକିବାକୁ ପୁଲିସ ପ୍ରଶାସନ କେବେ ସଜାଗ ହେବ, ସେନେଇ ପ୍ରଶ୍ନ ଉଠିଛି ।