ନୂଆଦିଲ୍ଲୀ, ୧୫।୭: ଆତଙ୍କବାଦୀ ସଂଗଠନ 'ଲସ୍କର-ଏ-ତୋଏବା' (LeT) ଭାରତ ବିରୋଧରେ ଏକ ବଡ଼ ଓ ବିପଜ୍ଜନକ ଷଡ଼ଯନ୍ତ୍ର ରଚୁଥିବା ଜଣାପଡ଼ିଛି । ଭାରତର ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀଙ୍କ ମଧ୍ୟରେ ଅନ୍ୟତମ ରାଣା ମହମ୍ମଦ ଅସଫାକ୍ ଏବେ ସୀମା ପାର୍‌ରେ ଆତଙ୍କବାଦୀଙ୍କୁ କେବଳ ବନ୍ଧୁକ ଚାଳନା ନୁହେଁ, ବରଂ ଶାରୀରିକ ଏବଂ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ କ୍ଷେତ୍ରରେ ମଧ୍ୟ ପ୍ରସ୍ତୁତ କରୁଛି । ସୂତ୍ର ଅନୁସାରେ, ପାକିସ୍ତାନରେ ଲସ୍କର-ଏ-ତୋଏବାର ରାଜନୈତିକ ସଂଗଠନ 'ପାକିସ୍ତାନ ମରକଜି ମୁସଲିମ୍ ଲିଗ୍' ବ୍ୟାନରରେ ବିଭିନ୍ନ ସହରରେ ଯୁବକମାନଙ୍କ ପାଇଁ ସ୍ୱତନ୍ତ୍ର ଜିହାଦୀ ଟ୍ରେନିଂ କ୍ୟାମ୍ପ ଚଲାଯାଉଛି । ଏହି କ୍ୟାମ୍ପଗୁଡ଼ିକରେ ଯୁବକମାନଙ୍କର କେବଳ ମାନସିକ ବ୍ରେନୱାଶ୍ କରାଯାଉନାହିଁ, ବରଂ ସେମାନଙ୍କୁ କଠିନ ଶାରୀରିକ ଓ ଡିଜିଟାଲ୍ ଟ୍ରେନିଂ ଦିଆଯାଉଛି । 

ଏହା ବି ପଢ଼ନ୍ତୁ... Thailand visa free entry: ଭାରତୀୟ ପର୍ଯ୍ୟଟକଙ୍କ ଆଗରେ ନଇଁଲା ଥାଇଲାଣ୍ଡ,ବଳବତ୍ତର ରହିଲା 'ଭିସା ଫ୍ରି' ଏଣ୍ଟ୍ରି

ସ୍ୱିମିଂ ପୁଲ୍‌ରେ ସ୍ୱତନ୍ତ୍ର କମାଣ୍ଡୋ ଟ୍ରେନିଂ: 

ସାମନାକୁ ଆସିଥିବା କିଛି ଫଟୋ ଓ ଭିଡିଓ ଅନୁଯାୟୀ, ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ରାଣା ମହମ୍ମଦ ଅସଫାକ୍ ନିଜେ ସ୍ୱିମିଂ ପୁଲ୍‌ରେ ଓହ୍ଲାଇ ଯୁବକମାନଙ୍କୁ ସନ୍ତରଣ ଶିଖାଉଛି । ଏହା କୌଣସି ସାଧାରଣ ଟ୍ରେନିଂ ନୁହେଁ, ବରଂ ଜଳପଥ ଦେଇ ଭାରତରେ ଅନୁପ୍ରବେଶ କରିବା, ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବା ଏବଂ ସ୍ୱତନ୍ତ୍ର ଅପରେସନ ପାଇଁ ଆତଙ୍କବାଦୀଙ୍କୁ ପ୍ରସ୍ତୁତ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଦାବି କରାଯାଇଛି । ଏହା ସହିତ ପାକିସ୍ତାନର ଅନେକ ସହରରେ ସଂଗଠନ ପକ୍ଷରୁ ଯୁବକମାନଙ୍କୁ ଜୁଡୋ, କରାଟେ, ତାଇକୋଣ୍ଡୋ, କୁସ୍ତି ଏବଂ ମାର୍ଶାଲ ଆର୍ଟସର ପ୍ରଶିକ୍ଷଣ ଦିଆଯାଉଛି । ଯେକୌଣସି ସାମରିକ ଆହ୍ୱାନର ମୁକାବିଲା କରିବା ଭଳି ଏକ ପ୍ରଶିକ୍ଷିତ ଆତଙ୍କବାଦୀ ଦଳ ଗଠନ କରିବା ପାଇଁ ଏଭଳି କଠିନ ଅଭ୍ୟାସ କରାଯାଉଥିବା ରିପୋର୍ଟରୁ ସ୍ପଷ୍ଟ ହେଉଛି । 

ମହିଳାଙ୍କୁ AI ଟ୍ରେନିଂ: 

ସବୁଠାରୁ ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି, ଲସ୍କର ଏବେ କେବଳ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଉପରେ ନିର୍ଭର ନକରି ଆଧୁନିକ ପ୍ରଯୁକ୍ତିବିଦ୍ୟାକୁ ଆପଣେଇଛି । କ୍ୟାମ୍ପଗୁଡ଼ିକରେ କୌଶଳ ବିକାଶ ନାଁରେ ମହିଳା ସଦସ୍ୟମାନଙ୍କୁ ଏଆଇ, ଡିଜିଟାଲ୍ ଟୁଲ୍ସ ଏବଂ ସାଇବର ଜ୍ଞାନକୌଶଳର ଟ୍ରେନିଂ ଦିଆଯାଉଛି । ଭିଡିଓରେ ଆତଙ୍କବାଦୀ ରାଣା ମହମ୍ମଦ କହୁଥିବାର ଶୁଣାଯାଉଛି ଯେ, "ଶତ୍ରୁ ପକ୍ଷ ଟେକ୍ନୋଲୋଜି ମାମଲାରେ ବହୁତ ଆଗରେ ରହିଛି, ତେଣୁ ମୁଜାହିଦ୍‌ମାନଙ୍କୁ ମଧ୍ୟ ଆଧୁନିକ ଜ୍ଞାନକୌଶଳ ଶିଖିବାକୁ ପଡ଼ିବ ।" 

ସତର୍କରେ ଭାରତୀୟ ସୁରକ୍ଷା ସଂସ୍ଥା:  

ପ୍ରତିରକ୍ଷା ବିଶେଷଜ୍ଞଙ୍କ ଅନୁସାରେ, ଏହି ରିପୋର୍ଟ ଯଦି ସତ୍ୟ ପ୍ରମାଣିତ ହୁଏ, ତେବେ ଏହା ସ୍ପଷ୍ଟ କରୁଛି ଯେ ଆତଙ୍କବାଦୀ ସଂଗଠନଗୁଡ଼ିକ ଏବେ ଡିଜିଟାଲ୍, ସାଇବର ଯୁଦ୍ଧ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି । ଆଗାମୀ ଦିନରେ ଏହି ଟ୍ରେନିଂପ୍ରାପ୍ତ ଆତଙ୍କବାଦୀମାନଙ୍କୁ ସୋସିଆଲ ମିଡିଆରେ ପ୍ରୋପାଗାଣ୍ଡା ପ୍ରସାର କରିବା, ସାଇବର ଆକ୍ରମଣ ଏବଂ ଜଳପଥରେ ଅନୁପ୍ରବେଶ ପାଇଁ ବ୍ୟବହାର କରାଯାଇପାରେ । ଯଦିଓ ଏହି ଭିଡିଓ ଏବଂ ଦାବିର କୌଣସି ସତ୍ୟାସତ୍ୟ ଜଣାପଡ଼ିନାହିଁ, ତଥାପି ପାକିସ୍ତାନର ଏହି ବଦଳୁଥିବା ରଣନୀତି ଏବଂ ବନ୍ଧୁକ ବଦଳରେ AI ର ବ୍ୟବହାର ଉପରେ ଭାରତୀୟ ସୁରକ୍ଷା ଓ ଗୁଇନ୍ଦା ସଂସ୍ଥାଗୁଡ଼ିକ ତୀକ୍ଷ୍ଣ ନଜର ରଖିଛନ୍ତି ।