ନୂଆଦିଲ୍ଲୀ, ୧୫।୭: ଆପଣ କେବେ ବିନା ଭିସାରେ ବିଦେଶ ବୁଲିବାକୁ ଯିବା କଥା ଚିନ୍ତା କରିଛନ୍ତି କି ? ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ଏମିତି ଏକ ସୁବିଧା ଦେଉଥିବା ଥାଇଲାଣ୍ଡ ନିକଟରେ ନିଜ ନିୟମରେ କିଛି ପରିବର୍ତ୍ତନ କରିବାକୁ ନେଇ ଚର୍ଚ୍ଚାକୁ ଆସିଥିଲା । ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ଭିସା ମୁକ୍ତ ପ୍ରବେଶ ସୁବିଧାକୁ ବାତିଲ କରିବା ପାଇଁ ଥାଇଲାଣ୍ଡ ସରକାର ଯୋଜନା କରିଥିଲେ । ହେଲେ ଏହି ଖବର ପ୍ରସାରିତ ହେବା ମାତ୍ରେ ଭାରତରୁ ଥାଇଲାଣ୍ଡ ଯାଉଥିବା ଯାତ୍ରୀଙ୍କ ସଂଖ୍ୟାରେ ବଡ଼ ଧରଣର ହ୍ରାସ ଘଟିଥିଲା । ଶେଷରେ ଭାରତୀୟ ପର୍ଯ୍ୟଟନ ବଜାରର ଦାବି ଆଗରେ ଥାଇଲାଣ୍ଡ ସରକାରଙ୍କୁ ନଇଁବାକୁ ପଡ଼ିଛି । ଏବେ ଭାରତୀୟମାନେ ପୂର୍ବଭଳି ବିନା ଭିସାରେ ଥାଇଲାଣ୍ଡ ଯାଇପାରିବେ, କିନ୍ତୁ ଏହାର ଅବଧିରେ କିଛିଟା ସଂଶୋଧନ କରାଯାଇଛି ।
୬୦ ଦିନ ବଦଳରେ ମିଳିବ ୩୦ ଦିନର ମହଲତ:
ଥାଇଲାଣ୍ଡ ସରକାର ଭାରତୀୟଙ୍କ ପାଇଁ ଭିଜା ମୁକ୍ତ ଯାତ୍ରା ସୁବିଧା ବଜାୟ ରଖିଛନ୍ତି, କିନ୍ତୁ ଏହାର ସମୟ ସୀମାକୁ ହ୍ରାସ କରିଛନ୍ତି । ପୂର୍ବରୁ ଜଣେ ଭାରତୀୟ ପର୍ଯ୍ୟଟକ ୬୦ ଦିନ ପର୍ଯ୍ୟନ୍ତ ବିନା ଭିଜାରେ ରହିପାରୁଥିଲେ । ବର୍ତ୍ତମାନ ଏହାକୁ କମାଇ ୩୦ ଦିନ କରାଯାଇଛି । ଥାଇଲାଣ୍ଡ ସରକାରଙ୍କ କହିବା ଅନୁଯାୟୀ, ଅଧିକାଂଶ ଭାରତୀୟ ପର୍ଯ୍ୟଟକ ୩୦ ଦିନ ମଧ୍ୟରେ ହିଁ ନିଜ ଦେଶକୁ ଫେରିଆସନ୍ତି, ତେଣୁ ଏହି ନିଷ୍ପତ୍ତି ନିଆଯାଇଛି । ମେ' ମାସରେ ଥାଇଲ୍ୟାଣ୍ଡ ପକ୍ଷରୁ ଭିସା ମୁକ୍ତ ନିୟମକୁ ଶେଷ କରି ପୁଣିଥରେ 'ଭିସା ଅନ୍ ଆରାଇଭାଲ୍' (VoA) ଲାଗୁ କରିବାକୁ ବିଚାର କରାଯାଉଥିଲା । ଏହା ଜାଣିବା ପରେ ଭାରତୀୟ ବୁକିଂରେ ବହୁତ ବଡ଼ ପ୍ରଭାବ ପଡ଼ିଥିଲା । ଚୀନ ଓ ମାଲେସିଆ ପରେ ଭାରତ ହେଉଛି ଥାଇଲାଣ୍ଡ ପାଇଁ ତୃତୀୟ ବୃହତ୍ତମ ପର୍ଯ୍ୟଟନ ବଜାର । ଯଦି ଭାରତୀୟ ପର୍ଯ୍ୟଟକ ଯିବା ବନ୍ଦ କରିଦେବେ, ତେବେ ଥାଇଲାଣ୍ଡର ଅର୍ଥନୀତିକୁ ଶକ୍ତ ଧକ୍କା ଲାଗିବ ବୋଲି ବ୍ୟାଙ୍କକ ଭୟ କରୁଥିଲା । ସେଥିପାଇଁ ସେମାନେ ନିଜ ନିଷ୍ପତ୍ତି ବଦଳାଇବାକୁ ବାଧ୍ୟ ହେଲେ ।
କାହିଁକି ବ୍ୟାଙ୍କକ ବନ୍ଦ କରିବାକୁ ଚାହୁଁଥିଲା ଏହି ସୁବିଧା ?
ଯଦିଓ ପର୍ଯ୍ୟଟନ ବ୍ୟବସାୟ ପାଇଁ ଥାଇଲ୍ୟାଣ୍ଡ ନଇଁଛି, କିନ୍ତୁ ଏହା ପଛରେ କିଛି ଗୁରୁତର ଆଇନଗତ ଓ ସୁରକ୍ଷା ସମ୍ବନ୍ଧୀୟ କାରଣ ରହିଥିଲା । ଅନେକ ଲୋକ ଫ୍ରି ଭିସା କିମ୍ବା ଭିସା ଅନ୍ ଆରାଇଭାଲ୍ ନେଇ ଥାଇଲାଣ୍ଡ ଯାଉଛନ୍ତି, ହେଲେ ସେଠାରୁ ଆଉ ସ୍ଵଦେଶ ଫେରୁନାହାନ୍ତି । ସେମାନେ ଅବୈଧ ଭାବେ ସେଠାରେ ରହି ବେଆଇନ କାମ କିମ୍ବା ଦିନ ମଜୁରିଆ କରୁଛନ୍ତି । ଥାଇଲାଣ୍ଡରେ ଭଲ ଚାକିରିର ପ୍ରଲୋଭନ ଦେଖାଇ ବିଜ୍ଞାପନ ମାଧ୍ୟମରେ ଅନେକ ଭାରତୀୟଙ୍କୁ ସେଠାକୁ ଡକାଯାଉଛି । ପରେ ସେମାନଙ୍କୁ ଅବୈଧ ଭାବେ ମିଆଁମାର ସୀମା ପାର୍ କରାଇ ସେଠାକାର କୁଖ୍ୟାତ 'ସ୍କାମ ସେଣ୍ଟର'ରେ ବନ୍ଧକ ରଖାଯାଉଛି ଓ ସାଇବର ଅପରାଧ କରିବାକୁ ବାଧ୍ୟ କରାଯାଉଛି । କିଛି ବିଦେଶୀ ନାଗରିକଙ୍କ ସହ ମିଶି ଭାରତୀୟମାନେ ଥାଇଲାଣ୍ଡରୁ ଅବୈଧ ଲୋନ୍ ଆପ୍ ଚଳାଇ ଲୋକଙ୍କୁ ଠକୁଥିବା ମାମଲା ସାମ୍ନାକୁ ଆସିଛି ।
ଏହା ବି ପଢ଼ନ୍ତୁ... Digital-Curfew: ରାତି ୧୨ଟା ବାଜିଲେ ସୋସିଆଲ ମିଡିଆ ବନ୍ଦ ! ପିଲାଙ୍କ ପାଇଁ ଲାଗିବ 'ଡିଜିଟାଲ କର୍ଫ୍ୟୁ'
୯୩ ରୁ କମି ୬୦ରେ ପହଞ୍ଚିଲା ତାଲିକା:
ପୂର୍ବରୁ ଥାଇଲାଣ୍ଡ ସରକାର ପ୍ରାୟ ୯୩ଟି ଦେଶକୁ ଭିସା ମୁକ୍ତ ପ୍ରବେଶ ଅନୁମତି ଦେଇଥିଲେ । କିନ୍ତୁ, ବେଆଇନ କାର୍ଯ୍ୟକଳାପ ବଢ଼ିବାରୁ ସେମାନେ ପ୍ରଥମେ ଏହାକୁ କମାଇ ୫୪ କରିବାକୁ ଚାହୁଁଥିଲେ । ହେଲେ ଶେଷରେ କିଛି ଦେଶକୁ ସାମିଲ କରି ଏହି ସଂଖ୍ୟାକୁ ୬୦ ରେ ସୀମିତ ରଖାଯାଇଛି । ଏହି ତାଲିକାରେ ଥିବା ପ୍ରମୁଖ ଦେଶଗୁଡ଼ିକ: ୟୁରୋପୀୟ ୟୁନିଅନର ଅଷ୍ଟ୍ରିଆ, ବେଲଜିୟମ, ଡେନମାର୍କ, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ନେଦରଲ୍ୟାଣ୍ଡ, ସ୍ପେନ୍, ସ୍ଵିଡେନ୍, ସ୍ଵିଜରଲ୍ୟାଣ୍ଡ । ଉତ୍ତର ଆମେରିକାର ଆମେରିକା ଓ କାନାଡ଼ା। ଓସେନିଆ: ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ। ଏସିଆ ଓ ଅନ୍ୟାନ୍ୟ ଦେଶମାନଙ୍କ ମଧ୍ୟରେ ଜାପାନ, ଦକ୍ଷିଣ କୋରିଆ, ସିଙ୍ଗାପୁର, ମାଲେସିଆ, ବ୍ରାଜିଲ ଏବଂ କତାର ।