ଭୁବନେଶ୍ୱର,୧୭/୧୧: ବର୍ଷ ସରିବାକୁ ବସିଲାଣି, ଏ ଯାଏ ମିଳିଲାନି ସ୍କୁଲ ୟୁନିଫର୍ମ । ଅଙ୍ଗନବାଡ଼ିର ସେହି ପୁରୁଣା ପୋଷାକ ପିନ୍ଧି ଆସୁଛନ୍ତି ଶିଶୁ ବାଟିକା ପିଲା । ସେ ପୋଷାକ ବି ଚିରି ଫାଟି ଗଲାଣି । ନାମଲେଖା ହୋଇଥିଲା ଏପ୍ରିଲରେ । ନଭେମ୍ବର ଅଧା ହେଲାଣି, ସ୍କୁଲ ୟୁନିଫର୍ମର ଦେଖା ନାହିଁ । ଆଜିଯାଏ ପିଲାଙ୍କ ପୋଷାକ ମାପ ମଧ୍ୟ ନିଆ ହୋଇନି । ଏନେଇ ଉଭୟ ଶିକ୍ଷକ, ଅଭିଭାବକ ଚିନ୍ତାରେ ପଡ଼ିଛନ୍ତି ।

ରାଜ୍ୟରେ ୪୫ ହଜାରରୁ ଅଧିକ ସ୍କୁଲରେ ଶିଶୁ ବାଟିକା ଖୋଲିଛି । ଏଠାରେ ୩ ଲକ୍ଷ ୧୬ ହଜାର ୮୩୯ ଜଣ ପିଲା ପାଠ ପଢ଼ୁଛନ୍ତି । ଶିଶୁ ବାଟିକା ଖୋଲିବାର ମୁଖ୍ୟ ଲକ୍ଷ୍ୟ ଥିଲା, ରାଜ୍ୟରେ ପ୍ରାଥମିକ ଶିକ୍ଷାଦାନ କ୍ଷେତ୍ରକୁ ସୁଦୃଢ଼ କରିବା । ମାତ୍ର ପଢ଼ାଇବାକୁ ନାହାନ୍ତି ସ୍ୱତନ୍ତ୍ର ଶିକ୍ଷକ କି ଜଗିବାକୁ ସେବିକା । ଏପରିକି ଅନେକ ସ୍କୁଲରେ ଶିଶୁ ବାଟିକା ପିଲାଙ୍କ ପାଇଁ ଶ୍ରେଣୀ ଗୃହ ମଧ୍ୟ ନାହିଁ । ଏସବୁ ସମସ୍ୟାକୁ ବଳି ଯାଇଛି ୟୁନିଫର୍ମ ଅଭାବ । ଗତ ଏପ୍ରିଲ୍ ୨ ତାରିଖରେ ରାଜ୍ୟର ସମସ୍ତ ପ୍ରାଥମିକ ସ୍କୁଲରେ ଶିଶୁ ବାଟିକା ଶ୍ରେଣୀ ଆରମ୍ଭ ହେଲା । ପିଲାଙ୍କ ୟୁନିଫର୍ମ ପାଇଁ ଓଡ଼ିଶା ବିଦ୍ୟାଳୟ କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ଗତ ଅଗଷ୍ଟ ୧୮ ତାରିଖରେ ପାଣ୍ଠି ଅନୁମୋଦନ ଦେବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଚିଠି ଲେଖିଲା ।

ଚିଠିରେ ଉଲ୍ଲେଖ କରିଥିଲା, ଶିକ୍ଷାବର୍ଷ ୨୦୨୫-୨୬ରେ ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ୍ ୪୧ ଲକ୍ଷ ୩୧ ହଜାର ୨୪ଜଣ ପିଲା ନାମ ଲେଖାଇଛନ୍ତି । ସେମାନଙ୍କ ପାଇଁ ସମଗ୍ର ଶିକ୍ଷା ପକ୍ଷରୁ ସ୍କୁଲ ୟୁନିଫର୍ମ ପାଇଁ ମୁଣ୍ଡ ପିଛା ୬୦୦ ଟଙ୍କା ହିସାବରେ ଅନୁମୋଦନ ମିଳିଛି । ହେଲେ ଶିଶୁ ବାଟିକା ପିଲାଙ୍କ ପାଇଁ ସ୍ୱତନ୍ତ୍ର ପାଣ୍ଠି ନାହିଁ ।

କୁହାଯାଇଥିଲା, ପ୍ରଥମ ଶ୍ରେଣୀ ପିଲାଙ୍କ ପରି ଶିଶୁ ବାଟିକା ପିଲାଙ୍କୁ ମଧ୍ୟ ଦିଆଯିବ ସ୍କୁଲ ପୋଷାକ, ଜୋତା, ମୋଜା, ଟି-ସାର୍ଟ, ଟ୍ରାକ୍-ପାଣ୍ଟ, ଟୋପି ଓ ପରିଚୟ ପତ୍ର । ଏଥିପାଇଁ ଖର୍ଚ୍ଚ ହେବ ଜଣ ପିଛା ୧୦୦୦ ଟଙ୍କା । ଚଳିତ ଶିକ୍ଷାବର୍ଷରେ ମୋଟ ୩ ଲକ୍ଷ ୧୦ ହଜାର ୮୩୯ଜଣ ଶିଶୁ ବାଟିକା ପିଲାଙ୍କ ପାଇଁ ମୋଟ ୩୧ କୋଟି ୮ ଲକ୍ଷ ୩୯ ହଜାର ଟଙ୍କା ଖର୍ଚ୍ଚ ହେବ । ଏବେସୁଦ୍ଧା ପାଣ୍ଠି ମିଳିନି ।

ପ୍ରାଥମିକ ଶିକ୍ଷକ ନେତା ବ୍ରହ୍ମାନନ୍ଦ ମହାରଣା କହିଛନ୍ତି, ପିଲାଙ୍କ ମଧ୍ୟରେ ପାର୍ଥକ୍ୟ ସୃଷ୍ଟି ନକରି ସେମାନଙ୍କୁ ସରକାର ତୁରନ୍ତ ପୋଷାକ ଯୋଗାଇ ଦିଅନ୍ତୁ । ଏନେଇ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନନ୍ୟା ଦାସ କହିଛନ୍ତି, ଶିଶୁ ବାଟିକା ପିଲାଙ୍କ ୟୁନିଫର୍ମ ପାଇଁ ମୁଖ୍ୟ ବଜେଟରେ କୌଣସି ବ୍ୟବସ୍ଥା ନଥିଲା । ତେଣୁ ଏକ ଅତିରିକ୍ତ ବଜେଟ୍ରେ ୟୁନିଫର୍ମ ପାଇଁ ଟଙ୍କା ଯୋଗାଇ ଦେବାକୁ ଆମେ ଚିଠି ଲେଖିଛୁ । ଏହି ସମସ୍ୟାର ସମାଧାନ ଖୁବ୍ ଶୀଘ୍ର ହୋଇ ସ୍କୁଲକୁ ୟୁନିଫର୍ମ ବଣ୍ଟନ କରାଯିବ ।