କେନ୍ଦୁଝର ସଦର, ୨୯/୧୨ : କେନ୍ଦୁଝର ଜିଲ୍ଲା ସଦର ବ୍ଲକ ମଇଦାନକେଲ ଗାଁର ଲତା ବାଘୁଆ। ଘରର ବଡ଼ ଝିଅ। ତାଙ୍କ ତଳେ ଆଉ ଦୁଇ ଭଉଣୀ। ସାନ ଭଉଣୀମାନେ ପ୍ରେମ ବିବାହ କରି ଚାଲିଗଲେ। ଘର କଥା ଭାବି ଭାବି ଲତା ପାଗେଳୀ ହୋଇଗଲେ। ୨୦ ବର୍ଷ ତଳେ ମାନସିକ ଭାରସାମ୍ୟ ହରାଇ ଘରୁ କେଉଁଆଡ଼େ ଚାଲିଗଲେ ଯେ ଆଉ ଫେରିଲେନି। ସେତେବେଳକୁ ତାଙ୍କୁ ହୋଇଥିଲା ୩୦ ବର୍ଷ। ପରିବାର ଲୋକେ ଖୁବ୍ ଖୋଜାଖୋଜି କରନ୍ତି। ହେଲେ ତାଙ୍କର ଖୋଜ ଖବର ମିଳେ ନାହିଁ। ଦୁଇ ବର୍ଷ ତଳେ ଛତିଶଗଡ଼ ବିଲାସପୁରର ଏକ ବଜାରରେ ଲତା ଅଳିଆ ଗୋଟାଉଥିବା ବେଳେ ବିଳାସପୁର ମେଣ୍ଟାଲ ହସ୍ପିଟାଲ ଟିମ୍ ନଜରେ ପଡ଼ଲେ। ଆଉ ଡାକ୍ତରୀ ଟିମ୍ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରଥିଲେ। ଦୀର୍ଘ ଦିନର ଚିକିତ୍ସା ପରେ ଲତା ଓଡ଼ିଆରେ କଥା ହେଲେ। 

ବିଳାସପୁର ମେଣ୍ଟାଲ୍ ହସ୍ପିଟାଲ ଲତାଙ୍କୁ ଶ୍ରଦ୍ଧା ଫାଉଣ୍ଡେସନ ନାମକ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନକୁ ହସ୍ତାନ୍ତର କଲା। ଶ୍ରଦ୍ଧା ଫାଉଣ୍ଡେସନ ଲତାଙ୍କୁ ପାଖରେ ରଖି ଦୁଇ ବର୍ଷ ଧରି ଉଚ୍ଚସ୍ତରୀୟ ଚିକିତ୍ସା କରାଇଲା। ପରେ ଲତା ମା' ତାରିଣୀଙ୍କ ନାମ ଧରିବାରୁ ସେ କେନ୍ଦୁଝର ଜିଲ୍ଲାର ବୋଲି ଶ୍ରଦ୍ଧା ଫାଉଣ୍ଡେସନ ଜାଣି ଲାଇଭ ସେଭର ଅନୁଷ୍ଠାନ ସହ ଯୋଗାଯୋଗ କରିଥିଲା। ଶନିବାର ଲତାଙ୍କୁ ତାଙ୍କ ପୈତୃକ ଘର ମଇଦାନକେଲକୁ ଅଣାଯାଇଛି। ଲତାକୁ ପାଇ ପରିବାରବର୍ଗ ବହୁତ ଖୁସି ହୋଇଛନ୍ତି। ଲତା ଘରର ସମସ୍ତ ଲୋକଙ୍କୁ ଚିହ୍ନି ପାରିଛନ୍ତି। ଘର ଲୋକ ମଧ୍ୟ ତାଙ୍କୁ ଚିହ୍ନି ପାରିଛନ୍ତି।

​​​​​​​

ଲତା ସିନା ଘରକୁ ଫେରିଲେ ହେଲେ ତାଙ୍କ ତଳ ଭଉଣୀ ମୁଖୁରୀ ବାଘୁଆ ଏବେ ମାନସିକ ରୋଗୀ। ମୁଖୁରୀ ବିହାର ଅଞ୍ଚଳରେ ପ୍ରେମ ବିବାହ କରିଥିଲେ। ସେଠାରେ ସ୍ୱାମୀର ନିର୍ଯାତନା ସହ୍ୟ କରି ନପାରି ବାପା ଘରକୁ ଦୁଇ ପିଲା ଛୁଆ ସହିତ ପାଞ୍ଚ ବର୍ଷ ତଳେ ଚାଲି ଆସିଥିଲେ। ପରେ ମୁଖୁରି ମଧ୍ଯ ଚିନ୍ତାଗ୍ରସ୍ତ ହୋଇ ମାନସିକ ଭାରସାମ୍ୟ ହରାଇ ବସିଛନ୍ତି। ତାଙ୍କୁ ଏବେ ଏକ କୋଠରୀ ଭିତରେ ତାଲା ପକାଇ ରଖାଯାଉଛି। ଏହା ଦେଖି ଶ୍ରଦ୍ଧା ଫାଉଣ୍ଡେସନ ମୁଖୁରୀଙ୍କୁ ପରିତ୍ୟକ୍ତ ଘରୁ କାଢି ସଫା ସୁତୁରା କରିଛନ୍ତି। ତାଙ୍କୁ ନୂତନ ବସ୍ତ୍ର ପିନ୍ଧାଇଛନ୍ତି। ମୁଖୁରୀଙ୍କ ଚିକିତ୍ସା ପାଇଁ ଶ୍ରଦ୍ଧା ଫାଉଣ୍ଡେସନ ଚେଷ୍ଟା ଚଳାଇଛି। 

ଏହି ଖବରଟିକୁ ପଢନ୍ତୁ- ହାଇୱା ଧକ୍କାରେ ବାଇକ୍ ଆରୋହୀ ମୃତ