ନୂଆଦିଲ୍ଲୀ,୨୦/୧୦: ଦିନକୁ ଦିନ ତୀବ୍ର ହେବାରେ ଲାଗିଛି ମଧ୍ୟପ୍ରାଚ୍ୟ ଯୁଦ୍ଧ। ଇରାନ୍ ଉପରେ ବଡ଼ ଆକ୍ରମଣ କରିବାକୁ ଯୋଜନା କରୁଛି ଇସ୍ରାଏଲ। ତେବେ ଲିକ୍ ହୋଇଥିବା ଆମେରିକାର ଗୁଇନ୍ଦା ଡକ୍ୟୁମେଣ୍ଟରୁ ମିଳିଛି ଏଭଳି ସଙ୍କେତ। ଇରାନ ବିରୁଦ୍ଧରେ ପ୍ରତିଶୋଧ ନେବାକୁ ଇସ୍ରାଏଲର ଯୋଜନା ବିଷୟରେ ଅତ୍ୟଧିକ ଗୋପନୀୟ ତଥ୍ୟ ଲିକ୍ ହେବା ପରେ ଏହାକୁ ନେଇ ଆତଙ୍କ ଖେଳିଥିବା ସୂଚନା ମିଳିଛି ।
ତେବେ ରିପୋର୍ଟ ଅନୁଯାୟୀ, ଦୁଇଟି ଅତ୍ୟଧିକ ଗୋପନୀୟ ଆମେରିକାର ଗୁଇନ୍ଦା ଡକ୍ୟୁମେଣ୍ଟ ଲିକ୍ ହୋଇଛି। ଏଥିରେ ଇରାନ ଉପରେ ସମ୍ଭାବ୍ୟ ଆକ୍ରମଣ ପାଇଁ ଇସ୍ରାଏଲର ସାମରିକ ପ୍ରସ୍ତୁତି ବିଷୟରେ ଖୁଲାସା ହୋଇଛି। ଏହି ଗୁଇନ୍ଦା ତଥ୍ୟ ଡକ୍ୟୁମେଣ୍ଟ ନ୍ୟାସନାଲ ଜିଓସ୍ପୋଟିକ୍ ଇଣ୍ଟେଲିଜେନ୍ସି ଏଜେନ୍ସି ନିକଟରୁ ମିଳିଛି। ଏହି ଏଜେନ୍ସି ଆମେରିକା ଗୁଇନ୍ଦା ସାଟେଲାଇଟର ଚିତ୍ର ଏବଂ ସୂଚନାକୁ ଆଧାର କରି ବିଶ୍ଲେଷଣ କରିଥାଏ। ଏହି ଗୁପ୍ତ ଦସ୍ତାବିଜରୁ ଇସ୍ରାଏଲ ସେନାର ଗତିବିଧି ଏବଂ ଆଗାମୀ ପ୍ରସ୍ତୁତି ବାବଦରେ ସୂଚନା ମିଳିଛି। ଅକ୍ଟୋବର ୧୫ ଏବଂ ୧୬ ତାରିଖରେ ଏହି ଗୁପ୍ତ ଡକ୍ୟୁମେଣ୍ଟ ଇରାନୀ ସମର୍ଥକଙ୍କ ଟେଲିଗ୍ରାମ ମିଡିଲ ଇଷ୍ଟ ସ୍ପେକ୍ଟେଟରରେ ପ୍ରକାଶିତ ହୋଇଥିଲା।
ଏଥିରେ ଆଇଡିଏଫର ସାଟେଲାଇଟ୍ ଚିତ୍ର ରହିଛି। ଇସ୍ରାଏଲ ସେନା କୌଣସି ଯୋଜନା କରୁଥିବା ଦେଖିବାକୁ ମିଳିଛି। ତେବେ ଏହି ଗୁଇନ୍ଦା ଡକ୍ୟୁମେଣ୍ଟ କେଉଁଠାରୁ ଲିକ୍ ହେଲା ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଗୁପ୍ତ ଡକ୍ୟୁମେଣ୍ଟ କିଭଳି ଲିକ୍ ହେଲା ଓ କିଏ କଲା ତା'ର ଅନୁସନ୍ଧାନ ଜାରି ରଖିଛି। ପେଣ୍ଟାଗନ, ଆମେରିକା ଗୁଇନ୍ଦା ବିଭାଗ ଓ ଏଫ୍ବିଆଇ ଏହି ମାମଲାର ଯାଞ୍ଚ କରୁଛନ୍ତି। ଅକ୍ଟୋବର ପହିଲାରେ ଇରାନ ସମର୍ଥିତ ଆତଙ୍କୀ ସଂଗଠନ ଇସ୍ରାଏଲ ଉପରେ ହମଲା କରିଥିଲା। କୁହାଯାଇଛି, ଇସ୍ରାଏଲ ଏହାର ବଦଲା ନେବାକୁ ଆକ୍ରମଣ ପ୍ଲାନ୍ ପ୍ରସ୍ତୁତି କରୁଛି।