କଟକ, ୧୭/୧୧(ସୁକେଶ ବେହେରା):  ‘ବଞ୍ଚିଥିବା ଯାଏ ଯିବ ନାହିଁ ଜଣା ବେଶୀ  ଦାମୀ ଏଠି କିଏ, ମଲା ପରେ ମୋର ଜଣାଯିବ ଭାଇ ତମେ କିଏ ଆମେ  କିଏ’.. । ଓଡ଼ିଶା ସଂଗୀତ ସାମ୍ରାଜ୍ୟର  ଅପ୍ରତିଦ୍ୱନ୍ଦ୍ୱୀ ବାଦ୍‌ଶାହ ଅକ୍ଷୟ ମହାନ୍ତିଙ୍କ  ଗୀତର ଏଇ କିଛି ଧାଡ଼ି ଶୁଣିବା ମାତ୍ରେ  ଆଜି କୋଟି କୋଟି ଅକ୍ଷୟପ୍ରେମୀ  ବ୍ୟଥିତ ହୋଇପଡ଼ନ୍ତି । ମନରେ ପ୍ରଶ୍ନ  ଆସେ, ସତରେ ଅକ୍ଷୟ ମହାନ୍ତିଙ୍କ ପାଇଁ ହୋଇଛି କ’ଣ? ଯାହାର ଗୀତକୁ ନେଇ ଓଡ଼ିଶାଠାରୁ ଆମେରିକା ଯାଏ  ଚର୍ଚ୍ଚା ହୁଏ, ତାଙ୍କୁ କ’ଣ ମିଳିଛି ତାଙ୍କ ହକ୍‌ର ସମ୍ମାନ? ଆରପାରିକୁ ଯିବା ଦିନରୁ ଅକ୍ଷୟଙ୍କ ଲାଗି ମରଣୋତ୍ତର ପଦ୍ମ ସମ୍ମାନ ପାଇଁ ଦାବି ହୋଇଆସୁଛି ।  କିନ୍ତୁ ଏବେ ଯାଏ ଏ ବାବଦରେ କୌଣସି  ଚର୍ଚ୍ଚା, ଆଲୋଚନା ନାହିଁ । ଓଡ଼ିଆ ସଂଗୀତ ଓ ସାହିତ୍ୟର ଉନ୍ମେଷ ପଥରେ ତାଙ୍କର ନିଷ୍ଠାପର ଯୋଗଦାନ ପାଇଁ  ତାଙ୍କ ଅବର୍ତ୍ତମାନରେ ପଦ୍ମ ପୁରସ୍କାର  ଦିଆଯାଇ ତାଙ୍କୁ ଚିରକୃତଜ୍ଞତା କ’ଣ  ଦିଆଯାଇ ପାରିବନି? ନଭେମ୍ବର ୧୭  ତାରିଖ ଅକ୍ଷୟ ମହାନ୍ତିଙ୍କ ତିରୋଧାନ ଦିବସରେ କୋଟି କୋଟି ଓଡ଼ିଆଙ୍କ ଲାଗି  ଏହା ପ୍ରଶ୍ନ ନୁହେଁ ଏକ ଆହ୍ୱାନ ବୋଲି  କୁହାଯାଇପାରେ ।

ଏବେ ବି ଝୁରୁଛି ‘ବିଚିତ୍ରବର୍ଣ୍ଣା’ ଅସଜଡ଼ା ରହିଛି ସ୍ମୃତି ସନ୍ତକ:

ଅକ୍ଷୟ ମହାନ୍ତି ଏକାଧାରରେ  ଗୀତିକାର, ଗାୟକ, ସଂଗୀତ  ନିର୍ଦ୍ଦେଶକ, ଗାଳ୍ପିକ, ଅଭିନେତା,  ନିର୍ଦ୍ଦେଶକ ଏମିତି କେତେ କ’ଣ ।  କଲମ ଧରିଲେ ଭଲ ଗୀତ ଲେଖନ୍ତି । ହାର୍ମୋନିୟମ୍‌ ଧରିଲେ ଭଲ ସ୍ୱର  କରନ୍ତି । ଆଉ ମାଇକ୍ରୋଫୋନ୍‌ ଧରିଲେ  ଅଗଣିତ ଶ୍ରୋତାଙ୍କୁ ଗୀତରେ ମତୁଆଲା  କରିପାରନ୍ତି । ‘ମଲାଜହ୍ନ’ରୁ ଜୟ  ଜଗନ୍ନାଥ, ଗହଳିଆ ଆମ୍ବ ତୋଟାରୁ  ହାରିଯାଇଥିବା ଲୋକର କି ଅଛି, ନଗ୍ନ  ମୋନାଲିସାରୁ ଆର୍ଯ୍ୟଦାସର ଶେଷ  ଚିଠି.. ସବୁଠି ସବୁକ୍ଷେତ୍ରରେ ସେ  ଛାଡ଼ିଯାଇଛନ୍ତି ଅଭୁଲା ଓ ଅପାସୋରା  ସ୍ମୃତି । ଅନେକ ପରୀକ୍ଷା ନିରୀକ୍ଷା ଭିତରେ  ଓଡ଼ିଆ ସଂଗୀତକୁ ଦେଇଯାଇଛନ୍ତି  ନୂତନ ଦିଗ୍‌ଦର୍ଶନ । ଅକ୍ଷୟ ନାହାନ୍ତି  ହେଲେ ଅକ୍ଷୟ ଶୈଳୀ ଏବେ ବି  ଜିଇଁଛି ସଂଗୀତରେ ।

କେଉଁଠି ନାହିଁ ପ୍ରତିମୂର୍ତ୍ତି, ଗୋଟେ ତିଆରି ହୋଇ ପଡ଼ିଛି:

ଅକ୍ଷୟଙ୍କ ଜନ୍ମ କେନ୍ଦ୍ରାପଡ଼ା ଡେରାବିଶ ଅନ୍ତର୍ଗତ  ଚାନ୍ଦୋଳ ଗ୍ରାମର ବାଙ୍କିମୁଣ୍ଡାଇରେ । କିନ୍ତୁ ଶିକ୍ଷା,  କର୍ମମୟ ଜୀବନ ଓ ସଂଗୀତ ସାଧନା କ୍ଷେତ୍ର  କଟକ ମାଟି । ଏଇ ଶେଖ୍‌ବଜାରରେ ତାଙ୍କର ଘର  ‘ବିଚିତ୍ରବର୍ଣ୍ଣା’ । ଦାଣ୍ଡମୁହଁ କାନ୍ଥରେ ପାନପତ୍ରରେ  ଖୋଦେଇ ହୋଇଛି ଇଂରାଜୀ ଅକ୍ଷର ‘ଏ’,  ଯେଉଁଠୁ ତାଙ୍କ ନାଁର ଆରମ୍ଭ ଅକ୍ଷୟ.. । ସତୀଚୌରା  ଶ୍ମଶାନରେ ଶେଷ ବିଶ୍ରାମସ୍ଥଳୀରେ ବି ସମାନ  ପାନପତ୍ର ଚିତ୍ର ଉପରେ ଇଂରାଜୀ ଅକ୍ଷର ‘ଏ’  ଦର୍ଶାଏ ତାଙ୍କ ଅସ୍ତିତ୍ୱ । ସମୁଦାୟ ୯୬ଟି ଫିଲ୍ମର  ସଂଗୀତ ନିର୍ଦ୍ଦେଶକ ଆଉ ଗୀତିକାର । ୧୩୬ଟି  ଫିଲ୍ମର ପ୍ରଚ୍ଛଦପଟ୍ଟ ଗାୟକ ମଧ୍ୟ ସେ । ଫାଷ୍ଟ୍‌ଲାଇନ୍‌  ତଥା ମୁଖଡ଼ା ତିଆରି କରିବାରେ ଓସ୍ତାଦ୍‌ ଥିଲେ  ଖୋକାଭାଇ । ପୂଜା ବଜାରର ମେଲୋଡ଼ି ଷ୍ଟେଜ୍‌  ହେଉ ବା ମ୍ୟୁଜିକ ଷ୍ଟୁଡିଓର ସୋଫା ସବୁଠି ନିଜକୁ  ଫିଟ୍‌ କରିପାରୁଥିଲେ ସେ । ଅକ୍ଷୟଙ୍କ ମୁହଁରୁ  ‘ପାଉଁଶ ତଳର ନିଆଁ’.. ଧାଡ଼ିଏ ଶୁଣିବାକୁ ବ୍ୟାକୁଳ  ହେଉଥିଲେ ଲୋକେ । ପୁରପଲ୍ଲୀ ଠାରୁ ଆରମ୍ଭ କରି  ମାୟାନଗରୀ ମୁମ୍ବାଇ, ଓଡ଼ିଶା ଠାରୁ ଆମେରିକା  ଯାଏ ଅକ୍ଷୟ ମହାନ୍ତିଙ୍କ ଉପସ୍ଥିତି ହିଁ ଯଥେଷ୍ଟ ଥିଲା ।

କନିକା ଛକର ଅକ୍ଷୟ ପାର୍କ ପାଲଟିଲାଣି ଜଙ୍ଗଲ:

ସାଲବେଗଙ୍କ ରଚନା ‘କେଣେ ଘେନି ଯାଉଛ  ଜଗନ୍ନାଥଙ୍କୁ' ଭିତରେ ସେ ଓଡ଼ିଆ ଭଜନରେ ନୂଆ  ଧାରାଟିଏ ଆରମ୍ଭ କରିଥିଲେ । ‘ସାତ ଦରିଆପାରେ'  ଗୀତରେ ମାଟି ପାଇଁ କଥା, "ହେ ଫଗୁଣ ତୁମେ'ର ଉଦାସୀ ମନର କଥା ଆଉ ‘ରଜାଝିଅ ସାଙ୍ଗେ’ର  ହାଲୁକା ରୋମାନ୍‌ସ୍‌କୁ ନେଇ ଏକ ନିଆରା ଜାଗା ତିଆରି କରିଯାଇଛନ୍ତି ଓଡ଼ିଆଙ୍କ ପ୍ରାଣରେ । କିନ୍ତୁ  ତାଙ୍କୁ ଯଥାସମ୍ଭବ ସମ୍ମାନ ମିଳିପାରିନାହିଁ । ଏତେ  ବଡ଼ ସହରରେ ତାଙ୍କର ଗୋଟେ ପ୍ରତିମୂର୍ତ୍ତି ବି  ଦେଖିବାକୁ ମିଳିନାହିଁ । ରାଜ୍ୟ ସରକାରଙ୍କ ଉଦ୍ୟମରେ ଏକ ବ୍ରୋଞ୍ଜ୍‌ର ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି  ନିର୍ମାଣ କରାଯାଇଥିଲେ ବି ଏବେ ସୁଦ୍ଧା ସେ  ପ୍ରତିମୂର୍ତ୍ତି ସ୍ଥାପିତ ହୋଇପାରିନାହିଁ । କନିକା  ଛକରେ ଏକ ପାର୍କ ଅକ୍ଷୟ ମହାନ୍ତିଙ୍କ ନାମରେ  ନାମିତ କରାଯାଇଛି । କିନ୍ତୁ ସେ ପାର୍କ ଏବେ ଜଙ୍ଗଲ  ଭଳି । ରକ୍ଷଣାବେକ୍ଷଣ ନାହିଁ, ଲୋକେ ସେଠିକୁ  ଯାଉନାହାନ୍ତି । ଐତିହାସିକ ବାଲିଯାତ୍ରାରେ ତାଙ୍କ  ନାମରେ ଅକ୍ଷୟ ମହାନ୍ତି ମଞ୍ଚ କରାଯାଇଛି । ହେଲେ ସେତିକିରେ କ’ଣ ସରିଗଲା? ଅକ୍ଷୟଙ୍କ ସଂଗୀତକୁ  କ’ଣ ସଂରକ୍ଷିତ କରାଯାଇପାରିବନି? ତାଙ୍କ ସ୍ମୃତିର ସୁରକ୍ଷା କ’ଣ ପ୍ରଶାସନର ଦାୟିତ୍ୱ ନୁହେଁ କି?

ସମ୍ମାନ ନାହିଁ, ସଂଗୀତକୁ ବି ସଂରକ୍ଷିତ କରାଯାଉନି:

ଏ ସମ୍ପର୍କରେ ସ୍ୱର୍ଗତ ଖୋକାଭାଇଙ୍କ ସାନପୁଅ ଚନ୍ଦ୍ରଭାନୁ ମହାନ୍ତି କହନ୍ତି, ବାପାଙ୍କ  ଅବର୍ତ୍ତମାନରେ ମରଣୋତ୍ତର ପଦ୍ମ ପୁରସ୍କାର ପାଇଁ ଦାବି ହୋଇଆସୁଛି । ହେଲେ ଏ ବାବଦରେ  ସୁପାରିସ କେବେ ହୋଇନାହିଁ । ଘରେ ରହିଥିବା  ତାଙ୍କ ସ୍ମୃତିସନ୍ତକ ଗୁଡିକ ଅସଜଡ଼ା ଅବସ୍ଥାରେ  ରହିଛି । ଯେହେତୁ ଅକ୍ଷୟ ମହାନ୍ତି ସାରା ଓଡ଼ିଶାର  ସମ୍ପତ୍ତି ଥିଲେ, ତେଣୁ ଏ ସବୁ ସ୍ମୃତିକୁ ସାଇତି  ରଖିବାକୁ ସରକାରୀ ସ୍ତରରେ ଉଦ୍ୟମ କରାଯିବା  ଜରୁରି । ଏବେ ଯାଏ ତାଙ୍କର ବ୍ରୋଞ୍ଜ ପ୍ରତିମୂର୍ତ୍ତି  ବି ସ୍ଥାପନ ହୋଇପାରିନାହିଁ । ପରିବାରକୁ ମଧ୍ୟ  କୌଣସି ସହଯୋଗ ଆଜିଯାଏ ମିଳିନାହିଁ । ବାଲିଯାତ୍ରାରେ ଅକ୍ଷୟ ମହାନ୍ତି ମଞ୍ଚ ହେଉଛି, ଅଥଚ ତାଙ୍କ ପରିବାରକୁ ନିମନ୍ତ୍ରଣ କାର୍ଡ ଖଣ୍ଡେ  ମିଳୁନି ବୋଲି କ୍ଷୋଭର ସହ ପ୍ରକାଶ କରିଛନ୍ତି  ଚନ୍ଦ୍ରଭାନୁ । ଏ ବାବଦରେ ଜିଲ୍ଳା ସଂସ୍କୃତି ଅଧିକାରୀ  ନଳନୀକାନ୍ତ ସାହୁଙ୍କୁ ପଚାରିବାରେ ସେ କହିଛନ୍ତି,  ସ୍ୱର୍ଗତ ଅକ୍ଷୟ ମହାନ୍ତିଙ୍କ ଅବଦାନକୁ ଚିରସ୍ମରଣୀୟ  କରିବାକୁ ଉଦ୍ୟମ ଜାରି ରହିଛି । ବ୍ରୋଞ୍ଜ ପ୍ରତିମୂର୍ତ୍ତି କାମ ସରିଥିବା ବେଳେ ଖୁବ୍‌ ଶୀଘ୍ର ଏହା ସ୍ଥାପିତ  ହେବ । ତାଙ୍କ ନାମରେ ରହିଥିବା ପାର୍କରେ  ପ୍ରତିମୂର୍ତ୍ତି ସ୍ଥାପନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।  ସବୁ ପରେ ବି ସେହି ଗୋଟିଏ କଥା ବାରମ୍ବାର  ଉଠୁଛି - ଅକ୍ଷୟ ମହାନ୍ତିଙ୍କୁ ତାଙ୍କ ହକ୍‌ ସମ୍ମାନ  କେବେ ଏ ଜାତି ଦେବ? ତାଙ୍କ ନାଁରେ ‘ପଦ୍ମ’  ଅଳଙ୍କାର କେବେ ଲାଗିବ? ଆଉ କେତେ ଦିନ  ଏଥିପାଇଁ ଅପେକ୍ଷା କରାଯିବ?