ଭୁବନେଶ୍ବର,୧୧/୦୭: 'ପାଦରେ ପାଦ ଛନ୍ଦା, ପାଦେ ନୂପୁର ବନ୍ଧା,' 'ମୁଁ ଯେ, ଜାଣେନା କାହା ବାଟ ରହିଛି ଚାହିଁ', ଭଳି ଚୀର ସବୁଜ ଓଡ଼ିଆ ଗୀତ ଭେଟି ଦେଇଥିବା ଅନେକ ଶ୍ରୋତାଙ୍କ ସେଇ ସୁମଧୁର ସ୍ବର ଆଜି ଶୋଇଯାଇଛି। ୮୮ ବର୍ଷ ବୟସରେ ପ୍ରଖ୍ୟାତ କଣ୍ଠଶିଳ୍ପୀ ଏସ.ଜାନକୀ ଓରଫ ଜାନକୀ ଆମ୍ମାଙ୍କର ପରଲୋକ ଘଟିଛି। କର୍ଣ୍ଣାଟକର ମୈସୂରୁସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ମହାପ୍ରୟାଣ ଘଟିଛି। ସେ ଅନେକ ଦିନ ହେବ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା କାରଣରୁ ଚିକିତ୍ସିତ ହେଉଥିଲେ। ଓଡ଼ିଆ, ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ଼ ଓ ମାଲାୟାଲମ୍ ସମେତ ଅନେକ ଭାଷାରେ ହଜାର ହଜାର ସୁପରହିଟ୍ ଗୀତକୁ ତାଙ୍କ କଣ୍ଠରେ ବସାଇ ସେ ଅଗଣିତ ସ୍ରୋତାଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ। ତାଙ୍କ ବିୟୋଗ ସଙ୍ଗୀତ ଜଗତ ପାଇଁ ବିଶେଷ କରି ଓଲିଉଡ୍ ପାଇଁ ଏକ ବଡ଼ ଶୂନ୍ୟସ୍ଥାନ।
ବିଭିନ୍ନ ସୂତ୍ରରୁ ମିଳିଥିବା ରିପୋର୍ଟ ଅନୁଯାୟ, ଏସ. ଜାନକୀ ୬୦ରୁ ଅଧିକ ଓଡ଼ିଆ ଗୀତ ଗାଇଛନ୍ତି। ବହୁ ସୁପରହିଟ୍ ସିନେମାରେ ତାଙ୍କ କଣ୍ଠସ୍ବରକୁ ନିଶ୍ଚୟ ଝୁରିବ ସାରା ଓଡ଼ିଶା। ସେ ୧୯୭୦ରେ ମୁକ୍ତିଲାଭ କରିଥିବା ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶିତ ‘ବଳିଦାନ’ ସିନେମାର ‘ନେଇ ଯାରେ ମେଘ ମୋତେ’ ଗୀତ ହେଉ ବା ପଳାତକ ଚଳଚିତ୍ରର 'ମୋ ମନ ଉପବନ' ହେଉ, ଏହି ସବୁ ଚୀର ସବୁଜ ଗୀତର ଗାୟିକା ଆଜି ଆମ ଗହଣରେ ନାହାନ୍ତି।
ସ୍ବପ୍ନର କୁହୁଡ଼ିରେ, କାନ୍ତଭରା ଦିବା ରଜନୀ, ପାଦରେ ପାଦ ଛନ୍ଦା, ଯା ଯାରେ ନାଗର, ଗୌରୀ ସିନେମାର ‘ଗୋରା ଗୋରା ଗାଲେ ତୋର କଳା କଳା ଜାଇ’ ଭଳି ଅନେକ ଲୋକପ୍ରିୟ ଗୀତର ଗାୟିକା ଥିଲେ ଜାନକୀ ଆମ୍ମା। ଅଲିଭା ଦାଗ ଭଳି ଆଲବମରେ ‘ଛୁଅଁନା ମୋତେ’ ଭଳି ଗୀତ କେବେବି ମନରୁ ଲିଭିବନି। ଓଡ଼ିଆ ସିନେ ଜଗତର ଅକ୍ଷୟ ମହାନ୍ତି, ପ୍ରଫୁଲ କରଙ୍କ ଭଳି ପ୍ରାୟ ସବୁ କିମ୍ବଦନ୍ତୀ ସଙ୍ଗୀତ ନିର୍ଦ୍ଦେଶକଙ୍କ ଗୀତକୁ ନିଜର ଯାଦୁକରୀ କଣ୍ଠରୁ ବେଶ ସୁମଧୁର ଭାବେ ପରଶି ଦେଉଥିଲେ ଜାନକୀ ଆମ୍ମା....ଦକ୍ଷିଣ ଭାରତର ଏହି କୋକିଳ କଣ୍ଠୀ ଗାୟିକା । ଆଜି ତାଙ୍କୁ ହରାଇ ସମ୍ପୁର୍ଣ୍ଣ ଭାରତୀୟ ସଂଗୀତ ଜଗତ ସ୍ତବ୍ଧ ପାଲଟିଛି।
ପ୍ରମେୟ ପୃଷ୍ଠାର ପ୍ରମୁଖ ଖବର: ସ୍ୱିଗି ଇନଷ୍ଟାମାର୍ଟ ପାଇଁ ବଢ଼ିଲା ସମସ୍ୟା; ନଅଟି ନୋଟିସ ମାଧ୍ୟମରେ ଜବାବ ମାଗିଲା FSSAI