ପୁରୀ ୧୧/୦୭: ଆଉ କିଛି ଦିନ ପରେ ବିଶ୍ୱ ପ୍ରସିଦ୍ଧ ରଥାଯାତ୍ରା। ଶେଷ ପର୍ଯ୍ୟାୟରେ ପହଞ୍ଚିଲା ରଥ ନିର୍ମାଣ କାମ। ଆଜି ତିନି ରଥରେ କଳସ ଉଠିଲା ସହ ଓଲଟଶୁଆ ଲାଗି ଯାଇଛି। ଏହା ପରେ ପରମ୍ପରା ଅନୁଯାୟୀରେ ଭୋଇ ସେବାୟତମାନେ ରଥରେ କଳସ ସ୍ଥାପନ କରିବା ପରେ ଅଷ୍ଟମ ହରିବୋଲ ପକାଇଛନ୍ତି। ଆଗକୁ ସିଂହାସନ ପଛକୁ ପ୍ରଭା ଲାଗିବ । ଚକା ସିଂହାସନରେ ଠାକୁରେ ଅବସ୍ଥାନ କଲେ ପ୍ରଭାରେ ରୁନ୍ଧା ହେବେ ।
ପୁରୀରେ ବର୍ଷା ଲାଗି ରହିଥିବାରୁ ରଥ କାମ ବିଳମ୍ବ ହୋଇଥିଲ। ଆଜି ବର୍ଷା ଛାଡ଼ିବାରେ ରଥ ଉପର କାମ ହୋଇଥିଲା । ମୁଖ୍ୟ ବିଶ୍ୱକର୍ମାଙ୍କ ନିର୍ଦ୍ଦେଶ ମିଳିବା ପରେ ଭୋଇ ସେବକମାନେ ରଥରେ କଳସ ସ୍ଥାପନ କରିବା ସହ ଅଷ୍ଟମ ହରିବୋଲ ପକାଇଛନ୍ତି ।
ଚିତ୍ରକର ସେବକମାନେ ରଙ୍ଗ ଦେଇ ରଥତ୍ରୟର ତିନି ସାରଥିଙ୍କୁ ପ୍ରସ୍ତୁତ କରୁଛନ୍ତି । ରଥ ଖଳା ନିକଟସ୍ଥ ଅସ୍ଥାୟୀ ବଖରାରେ ସାରଥିଙ୍କ ରଙ୍ଗ କାର୍ଯ୍ୟ ଚାଲିଛି । ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥର ସାରଥିଙ୍କ ନାମ ମାତଳୀ, ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ସାରଥିଙ୍କ ନାମ ଦାରୁକ, ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥର ସାରଥିଙ୍କ ନାମ ଅର୍ଜୁନ (ମତାନ୍ତରେ ଦେବଦତ୍ତ/ସାତ୍ତ୍ୱକୀ) ଅଟନ୍ତି । ନବକଳେବର ସମୟରେ ଠାକୁରଙ୍କ ସାରଥିମାନେ ନୂତନ କରି ନିର୍ମାଣ ହେଉଥିବା ସ୍ଥଳେ ପ୍ରତି ରଥ ଯାତ୍ରାରେ ରଙ୍ଗ ହେବା ସହ ନୂତନ ବସ୍ତ୍ର ପରିଧାନ କରି ରଥରେ ଅବସ୍ଥାନ କରନ୍ତି ।
ସେପଟେ ଦର୍ଜୀ ସେବକମାନେ ଦୁଆରଘଡ଼ାର ଚନ୍ଦ୍ରଶାଳୀରେ ଫୁଲ, ଚିକଣ ଜରି ଲେସ୍ ସହ ଡାଳିଲତା ସହ ରଥ ସାରଥିଙ୍କ ପାଇଁ ପୋଷାକ ତିଆରି କରୁଛନ୍ତି । ଓଝା ସେବକମାନେ କମାର ଶାଳରେ ଜରୁରିକାଳୀନ ସ୍ଥିତି ପାଇଁ କଣ୍ଟା ଆଦି ଲୁହା ସାମଗ୍ରୀ ତିଆରୁଛନ୍ତି ।