ଭୁବନେଶ୍ଵର, ୧୪/୧୦ : ବିଜେଡିରେ ବଢୁଛି କନ୍ଦଳ। ପରସ୍ପର ଉପରେ ଆରୋପ ପ୍ରତ୍ୟାରୋପ କରି ମୁହାଁମୁହିଁ ହେଉଛନ୍ତି ନେତା। ବରିଷ୍ଠ ବିଜେଡି ନେତା ଅମର ଶତପଥୀଙ୍କୁ ଦଳ ଛାଡି ପଲାଇବାକୁ କହିଲେ ଲେନିନ୍ ମହାନ୍ତି। ସେପଟେ ଲେନିନ୍ଙ୍କ ବିସ୍ଫୋରକ ବୟାନ ପରେ କଡ଼ା ଜବାବ ଦେଲେ ଅମର ଶତପଥୀ।
ଲେନିନ୍ ମହାନ୍ତି କହିଛନ୍ତି ଯେ, ଯାହାଙ୍କୁ ଦଳରେ ଅଣନିଶ୍ଵାସୀ ଲାଗୁଛି ସେ ଦଳ ଛାଡି ପଳାଇଲେ ଭଲ ହୁଅନ୍ତା। ସେ ନିଜ ପୁତୁରାଙ୍କୁ ବିଜେପିକୁ ଛାଡିଛନ୍ତି, ଏବେ ନିଜେ ପଳାନ୍ତୁ। ଦଳ ତାଙ୍କୁ ୬ ଥର ବିଧାୟକ କରିଛି, ବିଭିନ୍ନ ପଦ ପଦବୀ ଦେଇଛି। ତାପରେ ଯଦି ତାଙ୍କୁ ଅଣନିଶ୍ଵାସୀ ଲାଗୁଛି, ସେ ଦଳ ଛାଡି ପଳାଇଲେ ଭଲ ହେବ। ସେ ଚାଲିଗଲେ ଦଳର ପଇସାଟିଏ କ୍ଷତି ହେବନି। ଯେଉଁମାନେ ଦଳରୁ ଡେଇଁଛନ୍ତି, ସେମାନେ ବିଜେପି ସମ୍ପର୍କରେ ଥିଲେ। ସେ ବିଜେପିକୁ ଯାଉ ନାହାଁନ୍ତି, ବିଜେପି ତାଙ୍କୁ ପ୍ରଧାନମନ୍ତ୍ରୀ କରିଦେବ। ଯେଉଁମାନେ ବିଜେଡି ଛାଡି ଯିବାକୁ ଚାହୁଁଛନ୍ତି, ସେମାନେ ଯାଆନ୍ତୁ। ଦଳ ଆହୁରି ସୁଦୃଢ ହେବ।
ସେହିପରି ଅମର ଶତପଥୀ କହିଛନ୍ତି ଯେ, ମୁଁ ବିଜେଡିରେ ନାହିଁ। ମୁଁ ଏବେ ସ୍ଵାଧୀନ। ସଭ୍ୟ ସଂଗ୍ରହ ଅଭିଯାନରେ ମୁଁ ମୋ ସଭ୍ୟପଦ ନବୀକରଣ କରିନି। ସେଠାରେ ମୋର ଆବଶ୍ୟକତା ନଥିବା ଅନୁଭବ କରି ନବୀକରଣ କରିନି। ସଭ୍ୟପଦ ନେଇନି ମାନେ ମୁଁ ଟେକ୍ନିକାଲି ବିଜେଡିରେ ନାହିଁ। ଦିନ ଥିଲା ମୁଁ ବିଜେଡିରେ ଟିକେଟ ବାଣ୍ଟୁଥିଲି। ଏବେ କିଛି ଦିନ ହେଲା ମୁଁ ସକ୍ରିୟ ରାଜନୀତିରୁ ନିବୃତ ରହିଛି। ଲେନିନ୍ଙ୍କ ଅପରିପକ୍ଵତା ପ୍ରତି ମୋର ଦୟା ଆସୁଛି। ମୋର କୌଣସି ପୁତୁରା ବିଜେପିକୁ ଯାଇ ନାହାଁନ୍ତି। ସେ ନାଁ କହିଲେ ଭଲ ହେବ। ବିଜେପି ସହ ଅନେକ ଦଳ ମୋ ସହ ଯୋଗାଯୋଗରେ ଅଛନ୍ତି।