PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଏକାଧିକ କିଓସ୍କୋରେ ନାହିଁ ଇଣ୍ଟରନେଟ୍, ହେଉନି ବ୍ୟବହାର… ଖତ ଖାଉଛି ଡିଜିଟାଲ୍ କିଓସ୍କୋ
  • ||
  • ଭୁବନେଶ୍ଵର : ନନ୍ଦନକାନନକୁ ଆସିବେ ନୂଆ ଅତିଥି, ଯିବେ ୨ ବାଘ ଆସିବେ ହୁଲୁକ ଗିବନ
  • ||

ଫାଶରେ ପଡ଼ି ବାଘ ମୃତ୍ୟୁ ଘଟଣା: ଡିଏଫଓଙ୍କ ବିତଣ୍ଡା ଯୁକ୍ତି, ମୃତ କଲରାପତରିଆ ଭିନ୍ନକ୍ଷମ ଥିଲା

ବଲାଙ୍ଗୀର,୬ା୨(ଆପ୍ର): ବାଘ ମଲା । ଦିନଟିଏ ହୋ ହଲ୍ଲା ହେଲା । ତା ପରେ ମାମଲା ଥଣ୍ଡା ପଡ଼ିଲା । ବାଘର ବ୍ୟବଚ୍ଛେଦ ପରେ ମୃତ ଦେହକୁ ପୋତି ଦିଆଗଲା । ଏବେ ରିପୋର୍ଟ ଉପସ୍ଥାପନ କରିବାର ବେଳା । ଅଧିକାରୀମାନେ ଯାହା କହିବେ ତାହାହିଁ ହେବ ତଥ୍ୟ । ବନ ବିଭାଗ ଅଧିକାରୀ ଦେଇଥିବା ତଥ୍ୟ(ସୂଚନା) ଅନୁସାରେ, ମୃତ ବାଘଟି କୁଆଡେ ଭିନ୍ନକ୍ଷମ ଥିଲା । ତାହାର ଗୋଡ଼ ଛିଣ୍ଡି ନାହିଁ । ଖାଲି ଏତିକି ନୁହେଁ, ଦୀର୍ଘଦିନ ଧରି ବାଘଟି ବନ ବିଭାଗର ନଜରରେ ରହିଥିଲା ବୋଲି ବଲାଙ୍ଗୀର ଡିଏଫଓ ସମୀର ଶତପଥୀ କହିଛନ୍ତି ।
ଗତ ବର୍ଷ ଫେବୃୟାରୀ ମାସରେ ବାଘ ଗଣନା ସମୟରେ ଜିଲ୍ଲାରେ ବାଘ ସଂଖ୍ୟା କେତେ ବୋଲି ପଚରାଯିବାରୁ ଡିଏଫଓ ଶ୍ରୀ ଶତପଥୀ କୌଣସି ସଠିକ୍‌ ତଥ୍ୟ ଦେଇପାରିନଥିଲେ । ଏପରିକି ବଡ଼ମାଳ ନିକଟସ୍ଥ ବର୍ଣ୍ଣି ଜଙ୍ଗଲରେ ବାଘ ଥିବା ସମ୍ପର୍କରେ ସେମାନେ ଜାଣିବି ନଥିଲେ । କିଛିଦିନ ପରେ ବର୍ଣ୍ଣି ଜଙ୍ଗଲରେ ବାଘ ଦେଖାଯିବାରୁ ସେଠାରେ ୩ଟି ବାଘ ରହିଥିବା ସମ୍ପର୍କରେ ଶ୍ରୀ ଶତପଥୀ କହିଥିଲେ । ଗତକାଲି ବାଘ ମୃତ୍ୟୁ ପରେ ଉକ୍ତ ୩ ବାଘ ମଧ୍ୟରୁ ଏହା କୌଣସିଟି ନୁହଁ । ବରଂ ଏହା ଅନ୍ୟ ଏକ ବାଘ ବୋଲି ସେ କହିଥିଲେ । ଆଜି କିନ୍ତୁ ଓଲଟା ତଥ୍ୟଦେଇ ମୃତ ବାଘଟି ଉପରେ ନଜର ରଖାଯାଇଥିଲା ଏବଂ ଜନ୍ମରୁ ତାର ପାପୁଲି ନଥିଲା ବୋଲି କହିଛନ୍ତି । ତେବେ ଡିଏଫଓଙ୍କର କେଉଁ କଥାଟି ସତ? ତାହକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଦୋଷ ମୁଣ୍ଡାଇବାକୁ ଅଧିକାରୀମାନେ ଅମଙ୍ଗ କାହିଁକି ବୋଲି ସାଧାରଣରେ ପ୍ରଶ୍ନ କରାଯାଇଛି ।
ଅପରପକ୍ଷେ ବାଘ ମୃତ୍ୟୁପରେ ପରିବେଶବିତ୍‌ମାନେ ଏ କଥାକୁ ଗ୍ରହଣ କରିବାକୁ ନାରାଜ । ବାଘଙ୍କ ଉପରେ ଦୀର୍ଘଦିନ ଧରି ଗବେଷଣା କରୁଥିବା ପ୍ରାଣୀ ବିଜ୍ଞାନ ଅଧ୍ୟାପକ ଅରିନ୍ଦମ ପରିଚ୍ଛା ଏହାକୁ ଜଙ୍ଗଲ ମାଫିଆଙ୍କ ଦ୍ୱାରା ଯୋଜନାବଦ୍ଧ ଶିକାର ବୋଲି କହିଛନ୍ତି । ଜନ୍ତୁ ଶିକାର ପାଇଁ ଫାଶ ଲଗାଯାଇଥିବା ଫାଶରେ ପଡ଼ି ବାଘର ମୃତ୍ୟୁ ହୋଇଛି ବୋଲି ସେ ଦାବି କରିଛନ୍ତି । ତେବେ ଡେବ୍ରିଗଡ଼ ଅଭୟାରଣ୍ୟରେ ବି ବାଘ ଶିକାରକୁ ବନ ବିଭାଗ କର୍ତ୍ତୃପକ୍ଷ ମନା କରିଆସୁଥିଲେ । ମାତ୍ର ଏନଟିସିଏ(ନ୍ୟାସନାଲ ଟାଇଗର କନ୍‌ଜରଭେସନ ଅଥରିଟି)ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବାପରେ ସତକଥା ସାମ୍ନାକୁ ଆସିଥିଲା । ତେଣୁ ଏଠାରେ ମଧ୍ୟ କେବଳ ବ୍ୟବଚ୍ଛେଦ ରିପୋର୍ଟକୁ ନଦେଖି ଏନଟିସିଏତଦନ୍ତ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ ଯେ ଗତକାଲି ବାଘର ମୃତଦେହ ସମ୍ପର୍କରେ ଖବର ପାଇବା ପରେ ବନ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା । ଘଟଣାସ୍ଥଳକୁ ଯାଇଥିବା ବଙ୍ଗୋମୁଣ୍ଡା, ଲୋଇସିଂହା, ସଇଁନ୍ତଳା ଏବଂ ଟିଟିଲାଗଡ଼ର ପ୍ରାଣୀଧନ ଚିକିତ୍ସକମାନେ ଶବ ବ୍ୟବଚ୍ଛେଦ କରିବା ପରେ ଆବଶ୍ୟକ ଅଙ୍ଗକୁ କାଟି ରଖିଥିଲେ । ପରେ ଗୋଳାବାରୁଦ କାରଖାନାର ଉଚ୍ଚପଦସ୍ଥ ଅଧିକାରୀଙ୍କଠାରୁ ନିଆଁ ଜାଳିବା ପାଇଁ ଅନୁମତି ମାଗିଥିଲେ । ଦୀର୍ଘ ସମୟର ଅପେକ୍ଷା ପରେ ଗୋଳାବାରୁଦ କାରଖାନାର ସୁରକ୍ଷାଅଧିକାରୀ ସେଠାରେ ପହଞ୍ଚି ନିଜେ ଆଣିଥିବା ଏକ ମାଚିସ୍‌କୁ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ(ୱାଇଲ୍ଡଲାଇଫ ୱାର୍ଡ଼ନ)ଡ.ଦୋଳଗୋବିନ୍ଦ ବିଶିଙ୍କୁ ଦେଇଥିଲେ । ଘଟଣାସ୍ଥଳରେ ଦମକଳବାହିନୀର ଉପସ୍ଥିତିରେ ବାଘର ମୃତଦେହକୁ ନିଆଁ ଲଗାଯାଇଥିଲା । ବାଘର ମୃତଦେହ ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହେବା ପରେ ଜେସିବି ସାହାଯ୍ୟରେ ଘଟଣାସ୍ଥଳରୁ ୫୦ମିଟର ଦୂରରେ ୨ଫୁଟ ଗଭୀରର ଏକ ଗାତ ଖୋଳାଗଲା । ସେଠାରେ ପାଉଁଶ ସବୁକୁ ପକାଯାଇ ମାଟିପୋତି ଦିଆଯାଇଥିବା କୁହାଯାଇଛି । ଆଶ୍ଚର୍ଯ୍ୟର ବିଷୟ ଉକ୍ତ ଅଞ୍ଚଳ ଗୋଳାବାରୁଦ କାରଖାନା ପରିସରରେ ଥିବାରୁ ତାକୁ ସାଧାରଣ ଲୋକେ ଯିବା ଅସମ୍ଭବ । ଏପରିକି ବାଘ ଗଣନା ସମୟରେ ବି ଅନୁମତି ମିଳୁନଥିବାରୁ ସେଠାରେ ବନ ବିଭାଗ ଗଣନା କରିନଥାଏ । ତେବେ ଶ୍ରୀ ପରିଚ୍ଛାଙ୍କ ଯୁକ୍ତି ଅଧାରରେ ଡିଏଫଓ ଶ୍ରୀ ଶତପଥିଙ୍କୁ ପଚାରିବାରୁ ବାଘର ଶବ ବ୍ୟବଚ୍ଛେଦ ସରିଛି । ସେଠାରୁ ରିପୋର୍ଟ ମିଳିବା ପରେ କୌଣସି ସୂଚନା ଦିଆଯାଇପାରିବ ବୋଲି ସେ କହିଛନ୍ତି ।