ମୁମ୍ବାଇ, ୨/୧୨ : ମହାରାଷ୍ଟ୍ରର ଜୁନ୍ନାର ଅଞ୍ଚଳରେ ଆଖୁକ୍ଷେତରେ ରହୁଥିବା କଲରାପତରିଆ ବାଘଙ୍କୁ ଏବେ ‘ସୁଗାର ବେବି’ କୁହାଯାଉଛି । ମଣିଷର ଉପସ୍ଥିତି ସହ ଏମାନେ ଏଭଳି ଅଭ୍ୟସ୍ତ ହୋଇଯାଇଛନ୍ତି ଯେ ପାରମ୍ପରିକ ବନ୍ୟଜୀବ ପରିଚାଳନା ଉପାୟ କାମ କରୁନାହିଁ । ଜଙ୍ଗଲରେ ଛଡ଼ାଯିବା ପରେ ବି ଏମାନେ ପୁଣି ଫେରିଆସୁଥିବା ବନ ଅଧିକାରୀ ପ୍ରକାଶ କରିଛନ୍ତି । ସ୍ଥିତି ଏମିତି ହୋଇଛି ଯେ ଏବେ ପଶ୍ଚିମ ମହାରାଷ୍ଟ୍ରର ଆଖୁ କ୍ଷେତରେ ସେହି ଅଞ୍ଚଳର ୭୦ ପ୍ରତିଶତ କଲରାପତରିଆ ବାଘ ରହୁଛନ୍ତି । ଏହାଦ୍ୱାରା ଆଖୁ ଅମଳ ସମୟରେ ମଣିଷଙ୍କ ସହ ସେମାନଙ୍କ ସଂଘର୍ଷର ବିପଦ ବଢ଼ିବା ଆଶଙ୍କା କରାଯାଉଛି । ଏହି ଅଞ୍ଚଳରେ କଲରାପତରିଆ ବାଘମାନେ ପିଢ଼ି ପରେ ପିଢ଼ି ଜଙ୍ଗଲରେ ନୁହେଁ, ସଂପୂର୍ଣ୍ଣ ଭାବେ ମଣିଷର ଉପସ୍ଥିତି ମଧ୍ୟରେ ବଡ଼ ହୋଇଛନ୍ତି । ତେଣୁ ସେମାନଙ୍କ ଆଚରଣ, ଗତିବିଧି ଏବଂ ବଞ୍ଚିବାର ଢାଞ୍ଚା ଜଙ୍ଗଲ ଜନ୍ମିତ କଲରାପତରିଆ ବାଘଙ୍କଠାରୁ ଭିନ୍ନ । ଏହା ମଣିଷ-ବନ୍ୟଜୀବ ସଂଘର୍ଷକୁ ରୋକିବାକୁ ଦୀର୍ଘ ସମୟ ଧରି ଗ୍ରହଣ କରାଯାଉଥିବା ଉପାୟ ସମ୍ପର୍କରେ ବନ ଅଧିକାରୀଙ୍କୁ ପୁଣିଥରେ ଚିନ୍ତା କରିବାକୁ ବାଧ୍ୟ କରୁଛି ।

ଉପ ବନ-ସଂରକ୍ଷକ ପ୍ରଶାନ୍ତ ଖାଡ଼େଙ୍କ ଅନୁସାରେ ଜୁନ୍ନାର ଅଞ୍ଚଳରେ ବାଘ କେବେ ବି ଜଙ୍ଗଲ ବାତାବରଣରେ ରହିନାହାନ୍ତି । ଟ୍ରାକ୍ଟର, ଜଳସେଚନ ପମ୍ପ, ଲୋକଙ୍କ ଗହଣରେ ବଞ୍ଚିବା ଶିଖିଛନ୍ତି । ତେଣୁ ଏମାନେ ମଣିଷର ଉପସ୍ଥିତିକୁ ବିପଦ ନୁହଁ, ବରଂ ସାଧାରଣ ସ୍ଥିତି ଭାବେ ଗ୍ରହଣ କରୁଛନ୍ତି । ଏମାନଙ୍କୁ ଧରି ନିକଟବର୍ତ୍ତୀ ଜଙ୍ଗଲରେ ଛାଡ଼ିବା ଉଦ୍ୟମ ବି କାମ କରୁନାହିଁ । ଏହାଦ୍ୱାରା କେବଳ ସମୟ ଏବଂ ସଂସାଧନର ଅପଚୟ ହେଉଛି । ଜଙ୍ଗଲରେ ଛଡ଼ାଯିବାର କିଛି ଦିନ ମଧ୍ୟରେ ବାଘମାନେ ପୁଣି ନିଜ ମୂଳ ବାସସ୍ଥାନକୁ ଫେରି ଆସୁଛନ୍ତି । ପୂର୍ବରୁ ଗ୍ରାମବାସୀ ବାଘଙ୍କୁ ଡରାଇବା ଲାଗି ବାଣ ଫୁଟାଉଥିଲେ । କିମ୍ବା ଟିଣ ଡବା ବାଡ଼ାଉଥିଲେ । ଏବେ କିନ୍ତୁ ଏହି ଉପାୟ ଆଉ କାମ କରୁନାହିଁ । କାରଣ ବାଘମାନେ ବିଭିନ୍ନ ଉତ୍ସବ ଏବଂ ଚାଷ କାମ ସମୟରେ ଏଭଳି ଶବ୍ଦ ସହ ଅଭ୍ୟସ୍ତ ହୋଇଯାଇଛନ୍ତି ।

ସହାୟକ ବନ ସଂରକ୍ଷକ ସ୍ମିତା ରାଜହଂସଙ୍କ ଅନୁସାରେ ଏକ କଲରା ପତରିଆ ବାଘ ସେହି ଅଞ୍ଚଳ ଛାଡ଼ି ପଳାଇବା ପରେ କିମ୍ବା ତା’ର ମୃତ୍ୟୁ ହେଲେ ନିକଟବର୍ତ୍ତୀ ଅଞ୍ଚଳରେ ରହୁଥିବା ଅନ୍ୟ ବାଘଦଳ ସେହି ସ୍ଥାନକୁ ତୁରନ୍ତ କବ୍‌ଜା କରିନେଉଛନ୍ତି । ଏଭଳି ସ୍ଥିତିରେ ଆଗାମୀ ୩-୪ ମାସ ମଧ୍ୟରେ ଆଖୁ ଅମଳ ହେବାର ଥିବାବେଳେ ସେହି ଅଞ୍ଚଳରେ ମଣିଷ ସହ ସେମାନଙ୍କ ସଂଘର୍ଷ ଘଟଣା ବଢ଼ିପାରେ । ପଶ୍ଚିମ ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡର ଆଖୁ କ୍ଷେତରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳୁଛି । ବିଜନୌରରୁ ନେଇ ହରିଦ୍ୱାର ଯାଏ ଆଖୁକ୍ଷେତ ଧୀରେ ଧୀରେ କଲରାପତରିଆ ବାଘଙ୍କ ଆଶ୍ରୟସ୍ଥଳୀ ପାଲଟିଛି । ସେଠାରେ ଆଖୁକ୍ଷେତରେ ଦୀର୍ଘବର୍ଷ ଧରି ରହିଯିବା ଯୋଗୁ ବହୁ ବାଘ ଏବେ ଜଙ୍ଗଲକୁ ଫେରିବା ସ୍ଥିତିରେ ନାହାନ୍ତି ।

ବନ ବିଭାଗ ଅନୁସାରେ, ଏହି ପଶୁଙ୍କର ଓଜନ ବଢ଼ିଯାଇଛି, ଗତି ମନ୍ଥର ହୋଇଛି । ସେମାନେ ଲୋକଙ୍କ ଗହଣରେ ଚଳିବାରେ ସହଜ ଅନୁଭବ କରୁଛନ୍ତି । ସେମାନଙ୍କ ବ୍ୟବହାରରେ ଏହି ଦୀର୍ଘମିଆଦି ପରିବର୍ତ୍ତନ ଯୋଗୁ ମଣିଷଙ୍କ ସହ ସଂଘର୍ଷର ବିପଦ ବଢ଼ୁଛି । ତେଣୁ ଏହି ସବୁ ଅଞ୍ଚଳରୁ ଧରାପଡୁଥିବା ବାଘଙ୍କୁ ଏବେ ଜଙ୍ଗଲ ପରିବର୍ତ୍ତେ ଚିଡ଼ିଆଖାନାକୁ ପଠାଇବାକୁ ଅଧିକାରୀମାନେ ବାଧ୍ୟ ହେଉଛନ୍ତି । କେବଳ ବିଜନୌରରେ ବିଗତ ୪ ବର୍ଷ ମଧ୍ୟରେ ଧରାପଡ଼ିଥିବା ୯୨ଟି କଲରାପତରିଆ ବାଘ ମଧ୍ୟରୁ ୪୦ଟିକୁ ଜଙ୍ଗଲରେ ଛଡ଼ାଯାଇନାହିଁ । ଉତ୍ତରାଖଣ୍ଡରେ ୨୦୨୧ରୁ ଅଦ୍ୟାବଧି ୯୬ଟି କଲରାପତରିଆ ବାଘ ଉଦ୍ଧାର କରାଯାଇଛି । ଉଦ୍ଧାର ପରେ ସେମାନଙ୍କୁ ରାଜାଜୀ ବ୍ୟାଘ୍ର ଅଭୟାରଣ୍ୟରେ ଛଡ଼ାଯାଇଥିଲା । ତେବେ ରେଡିଓ କଲାର ଟ୍ରାକିଂରୁ ଅନେକ ଚିତାବାଘ ୩୦ କିମି ଅତିକ୍ରମ କରି ପୁଣି ଆଖୁ କ୍ଷେତକୁ ଫେରିଆସିଥିବା ଦେଖାଯାଇଥିଲା । ଗହଳିଆ ଆଖୁ କ୍ଷେତରେ ଲୁଚିବାକୁ ସୁବିଧା ହେଉଥିବାରୁ ସେମାନେ ଆଖୁ କିଆରୀକୁ ବାସସ୍ଥାନ ଭାବେ ବାଛୁଥିବା କୁହାଯାଉଛି ।