ନୂଆଦିଲ୍ଲୀ ୧୭/୦୩: ନିକଟରେ ରିଲିଜ୍‌ ହୋଇଛି ହଲିଉଡ୍‌  ଅଭିନେତା ବ୍ରାଡ୍‌ ପିଟ୍‌ଙ୍କର ବହୁ  ପ୍ରତିକ୍ଷୀତ ଫିଲ୍ମ ‘ଏଫ୍‌ ୱାନ୍‌’ର ଟ୍ରେଲର । ଟ୍ରେଲର ଦେଖିବା ପରେ ଫର୍ମୁଲ୍‌ ୱାନ୍‌  ଟ୍ରାକ୍‌ରେ ବ୍ରାଡ୍‌ ପିଟ୍‌ଙ୍କର ଡ୍ରାଇଭିଂ କୌଶଳକୁ  ପ୍ରଶଂସକମାନେ ଉଚ୍ଛ୍ୱସିତ ପ୍ରଶଂସା କରୁଛନ୍ତି । ସେମାନଙ୍କ ମଧ୍ୟରେ ଫର୍ମୁଲା ୱାନ୍‌ ଷ୍ଟାର ଲୁଇସ୍‌  ହାମିଲଟନ୍‌ ବି ସାମିଲ ।  

ହାମିଲଟନ୍‌ ଏହି ଫିଲ୍ମର ସହ ପ୍ରଯୋଜକ  ହୋଇଥିବାବେଳେ ଫିଲ୍ମରେ ତାଙ୍କୁ ଏକ ସଂକ୍ଷିପ୍ତ  ଭୂମିକାରେ ମଧ୍ୟ ଦେଖିବାକୁ ମିଳିବ। ଟ୍ରେଲର ରିଲିଜ୍‌ ପରେ ସେ କହିଛନ୍ତି, ଫର୍ମୁଲା ୱାନ୍‌  ଟ୍ରାକ୍‌ରେ ବ୍ରାଡ୍‌ଙ୍କୁ ଘଣ୍ଟା ପିଛା ୧୮୦ ମାଇଲ୍‌ରୁ  ଅଧିକ ବେଗରେ ଡ୍ରାଇଭିଂ କରିବାର ଦେଖିବା ବାସ୍ତବରେ ପ୍ରଭାବଶାଳୀ । କାରଣ ଏହା ଏମିତି  କିଛି କଥା ନୁହେଁ ଯାହାକୁ ରାତାରାତି ଶିଖିହେବ ।  ବ୍ରାଡ୍‌ ଏହି ପ୍ରକ୍ରିୟା ମଧ୍ୟରେ ଯେଉଁ ସମର୍ପଣ ଓ ଧ୍ୟାନ ଲଗାଇଛନ୍ତି ତାହା ଦେଖିବା ଅଦ୍ଭୁତପୂର୍ବ ।  ୬୧ ବର୍ଷୀୟ ବ୍ରାଡ୍‌ ପିଟ୍‌ଙ୍କୁ ଏହି ଫିଲ୍ମରେ ଜଣେ  ଭେଟେରାନ୍‌ କାର୍‌ ରେସର ସୋନି ହଇସଙ୍କ  ଭୂମିକାରେ ଦେଖିବାକୁ ମିଳିବ । ଫର୍ମୁଲା ୱାନ୍‌ରୁ  ଅବସର ନେବାପରେ ନିଜର ଜୁଆ ଖେଳିବାର  ଅଭ୍ୟାସ ଯୋଗୁ ସେ ଏକ ଭ୍ୟାନ୍‌ର ରହୁଛନ୍ତି ।  ତେବେ ତାଙ୍କୁ ଜଣେ ଫର୍ମୁଲା ୱାନ୍‌ ଖେଳାଳି ଜୋସୁଆ ନୋଆ ପିଅର୍ସ(ଡାମସନ୍‌ ଇଦ୍ରିସ୍‌)ଙ୍କୁ  ଗାଇଡ୍‌ କରିବାର କାମ ମିଳିଛି ଯାହାକି ତାଙ୍କୁ  ଜୀବନର ନୂଆ ଲକ୍ଷ୍ୟ ଦେଇଛି । ଜୋସେଫ୍‌  କୋସିନସ୍କି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି । ‘ଏଫ୍‌ ୱାନ୍‌’ରେ ଜାଭିଅର  ବାରଡେମ୍‌, କୋରି କଣ୍ଡନ, ଟୋବିଆସ୍‌  ମେଞ୍ଜିସ୍‌, କିମ୍‌ ବୋଡ୍‌ନିଆ ପ୍ରମୁଖଙ୍କୁ  ଦେଖିବାକୁ ମିଳିବ । ସେହିପରି ହାମିଲଟନ୍‌ଙ୍କ  ସମେତ ୨୦୨୩ ସିଜନ୍‌ରେ ଭାଗ ନେଇଥିବା  ସମସ୍ତ ଏଫ୍‌ ୱାନ୍‌ ଡ୍ରାଇଭର ନିଜ ନିଜ  ଭୂମିକାରେ ନଜର ଆସିବେ । ଜୁନ୍‌ ୨୫ରେ  ଫିଲ୍ମଟି ଅନ୍ତଜାର୍ତୀୟ ସ୍ତରରେ ରିଲିଜ୍‌ ହେବ ।  ତାର ଦୁଇଦିନ ପରେ ତାହା ଆମେରିକାରେ  ରିଲିଜ୍‌ ହେବାର ଅଛି । 

ସୂଚନାଥାଉକି, ‘ଏଫ୍‌  ୱାନ୍‌’ ଲାଗି ବ୍ରାଡ୍‌ ପିଟ୍‌  ଓ ଡାମସନ୍‌ ଇଦ୍ରିସ୍‌ଙ୍କୁ  ତାଲିମ ଦେବାରେ ୭  ଥରର ବିଶ୍ୱ ଚାମ୍ପିଅନ୍‌  ହାମିଲଟନ୍‌ଙ୍କର ଉଲ୍ଲେଖନୀୟ  ଭୂମିକା ରହିଛି । ଏଫ୍‌ ୱାନ୍‌ର ସେଟ୍‌  ଯଥାସମ୍ଭବ ବାସ୍ତବ ଲାଗିବା ପାଇଁ ସେ  ସବୁପ୍ରକାର ଉଦ୍ୟମ କରିଥିଲେ ।