ନୂଆଦିଲ୍ଲୀ, ୨୫।୩: ମଧ୍ୟ-ପ୍ରାଚ୍ୟରେ ଜାରି ରହିଥିବା ଭୟଙ୍କର ଯୁଦ୍ଧକୁ ରୋକିବାକୁ ଆମେରିକାର ବଡ଼ କୂଟନୈତିକ ଚାଲ୍ । ଆମେରିକା ଏବଂ ଇରାନ ମଧ୍ୟରେ ଏକ ସମ୍ଭାବ୍ୟ ଚୁକ୍ତି ପାଇଁ ୧୫ଟି ଅତ୍ୟନ୍ତ କଠୋର ସର୍ତ୍ତ ରଖାଯାଇଛି । କିନ୍ତୁ ବଡ଼ ପ୍ରଶ୍ନ ହେଉଛି, ଏହି ସର୍ତ୍ତଗୁଡ଼ିକୁ ମାନିବା ଇରାନ ପାଇଁ ଶାନ୍ତି ଆଣିବ ନା ଏହା ଏକ 'ରଣନୈତିକ ଆତ୍ମସମର୍ପଣ' ହେବ ?

ଇରାନ ପାଇଁ ରଖାଯାଇଥିବା ଆମେରିକାର ୧୫ଟି କଠୋର ସର୍ତ୍ତ:  

ମାସକର ସିଜ୍‌ଫାୟାର: ପ୍ରଥମେ ଏକ ମାସ ପାଇଁ ଯୁଦ୍ଧବିରତି ଘୋଷଣା କରିବାକୁ ହେବ ।

ପରମାଣୁ କାର୍ଯ୍ୟକ୍ରମ ବନ୍ଦ: ନିଜର ପରମାଣୁ କାର୍ଯ୍ୟକ୍ରମକୁ ପ୍ରାୟତଃ ସମ୍ପୂର୍ଣ୍ଣ ଶେଷ କରିବାକୁ ପଡ଼ିବ ।

ୟୁରେନିୟମ ସମୃଦ୍ଧିକରଣ ଉପରେ ରୋକ୍: ୟୁରେନିୟମ ସମ୍ୱର୍ଦ୍ଧନ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବାକୁ ହେବ ।

IAEAକୁ ହସ୍ତାନ୍ତର: ସମସ୍ତ ପରମାଣୁ ସାମଗ୍ରୀ 'ଆନ୍ତର୍ଜାତୀୟ ପରମାଣୁ ଶକ୍ତି ଏଜେନ୍ସି' (IAEA)କୁ ହସ୍ତାନ୍ତର କରିବାକୁ ପଡ଼ିବ ।

ପରମାଣୁ କେନ୍ଦ୍ର ନଷ୍ଟ: ନତାଞ୍ଜ, ଫୋର୍ଡୋ ଏବଂ ଇସଫାହାନ ଭଳି ପ୍ରମୁଖ ପରମାଣୁ କେନ୍ଦ୍ରଗୁଡ଼ିକୁ ଧ୍ୱଂସ କରିବାକୁ ହେବ ।

ସ୍ୱାଧୀନ ତଦନ୍ତ: IAEAର ପ୍ରତିନିଧିଙ୍କୁ ଇରାନର ଯେକୌଣସି ସ୍ଥାନରେ ଯେକୌଣସି ସମୟରେ ଯାଞ୍ଚ ପାଇଁ ପୂର୍ଣ୍ଣ ସ୍ୱାଧୀନତା ଦେବାକୁ ହେବ ।

ପ୍ରକ୍ସି ରଣନୀତିର ଅନ୍ତ: ହମାସ, ହିଜବୁଲ୍ଲା ଏବଂ ହୁତି ବିଦ୍ରୋହୀଙ୍କ ସହ ସମସ୍ତ ସମ୍ପର୍କ ଛିନ୍ନ କରିବାକୁ ପଡ଼ିବ ।

ଅର୍ଥ ଓ ଅସ୍ତ୍ରଶସ୍ତ୍ର ଯୋଗାଣ ବନ୍ଦ: ଏହି ସଙ୍ଗଠନଗୁଡ଼ିକୁ ଦିଆଯାଉଥିବା ଆର୍ଥିକ ଏବଂ ସାମରିକ ସହାୟତା ବନ୍ଦ କରିବାକୁ ହେବ ।

ହୋର୍ମୁଜ ପ୍ରଣାଳୀ: 'ଷ୍ଟେଟ୍ ଅଫ୍ ହୋର୍ମୁଜ'କୁ ଆନ୍ତର୍ଜାତୀୟ ଜାହାଜ ଚଳାଚଳ ପାଇଁ ସର୍ବଦା ଖୋଲା ରଖିବାକୁ ହେବ ।

ମିସାଇଲ୍ କାର୍ଯ୍ୟକ୍ରମ: ମିସାଇଲର ସଂଖ୍ୟା ଏବଂ ଏହାର ରେଞ୍ଜ୍ ଉପରେ କଟକଣା ଲାଗୁ ହେବ ।

ସୀମିତ ସାମରିକ ଶକ୍ତି: ଇରାନର ସାମରିକ କ୍ଷମତା କେବଳ 'ଆତ୍ମରକ୍ଷା' ପାଇଁ ସୀମିତ ରହିବ ।

ପ୍ରତିବନ୍ଧକ ହଟାଇବା: ସର୍ତ୍ତ ମାନିଲେ ଇରାନ ଉପରୁ ସମସ୍ତ ଆର୍ଥିକ କଟକଣା ହଟାଇ ଦିଆଯିବ ।

ନାଗରିକ ପରମାଣୁ ପ୍ରକଳ୍ପ: ବୁଶେହର ପରମାଣୁ ପାୱାର ପ୍ଲାଣ୍ଟ ଭଳି ପ୍ରକଳ୍ପରେ ଆନ୍ତର୍ଜାତୀୟ ସହାୟତା ମିଳିବ ।

ସ୍ନାପବ୍ୟାକ୍ ବ୍ୟବସ୍ଥାର ଅନ୍ତ: ହଠାତ୍ ପୁଣି ଥରେ ପ୍ରତିବନ୍ଧକ ଲଗାଇବାର ବ୍ୟବସ୍ଥାକୁ ଉଠାଇ ଦିଆଯିବ ।

ଲିଖିତ ଗ୍ୟାରେଣ୍ଟି: ଭବିଷ୍ୟତରେ କେବେ ବି ପରମାଣୁ ଅସ୍ତ୍ର ତିଆରି ନ କରିବା ପାଇଁ ଇରାନକୁ ଆନୁଷ୍ଠାନିକ ଗ୍ୟାରେଣ୍ଟି ଦେବାକୁ ହେବ ।

ଲିବିଆ ପରିସ୍ଥିତିର ପୁନରାବୃତ୍ତି ହେବ କି ?

ଇରାନ ପାଇଁ ସବୁଠାରୁ ବଡ଼ ଚିନ୍ତାର ବିଷୟ ହେଉଛି 'ଲିବିଆ ମଡେଲ' । ୨୦୦୩ ମସିହାରେ ଲିବିଆର ଶାସକ ମୁଆମ୍ମର ଗଦାଫି ଆମେରିକାର ସର୍ତ୍ତ ମାନି ନିଜର ପରମାଣୁ କାର୍ଯ୍ୟକ୍ରମ ବନ୍ଦ କରିଦେଇଥିଲେ । କିନ୍ତୁ, ୨୦୧୧ରେ ନାଟୋ ସହାୟତାରେ ତାଙ୍କ ସତ୍ତାକୁ ଓଲଟାଇ ଦିଆଗଲା ଏବଂ ଗଦାଫିଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଗଲା । ଇରାନ ଭୟ କରୁଛି ଯେ, ଯଦି ସେ ନିଜର ସାମରିକ ଶକ୍ତି ଏବଂ ପରମାଣୁ ସାମର୍ଥ୍ୟ ହରାଇବ, ତେବେ ତା’ର ସୁରକ୍ଷା କବଚ ଭାଙ୍ଗିଯିବ ।

ବିଶେଷଜ୍ଞଙ୍କ କହିବାନୁସାରେ, "ଯଦି ଇରାନ ଏହି ଚୁକ୍ତି କରେ, ତେବେ ତାକୁ ନିଜ ଦେଶର ସାମରିକ ଶକ୍ତି ରିଭାସ୍ୟୁସନାରୀ ଗାର୍ଡ (IRGC)ର ବିଦ୍ରୋହର ସାମ୍ନା କରିବାକୁ ପଡ଼ିପାରେ ।" ଇରାନ ପାଖରେ ଏବେ ଦୁଇଟି ରାସ୍ତା ଅଛି । ପ୍ରଥମଟି ହେଉଛି ସର୍ତ୍ତ ମାନି ଆର୍ଥିକ ସଙ୍କଟରୁ ମୁକ୍ତି ପାଇବା ଏବଂ ଶାନ୍ତି ଦିଗରେ ବଢ଼ିବା । ଦ୍ୱିତୀୟଟି ନିଜର ରଣନୈତିକ ଶକ୍ତି ବଜାୟ ରଖି ଯୁଦ୍ଧ ଜାରି ରଖିବା । ଏହି ନିଷ୍ପତ୍ତି କେବଳ ଇରାନ ପାଇଁ ନୁହେଁ, ବରଂ ସମଗ୍ର ବିଶ୍ୱର ଭବିଷ୍ୟତ ଏବଂ ମଧ୍ୟ-ପ୍ରାଚ୍ୟର ମାନଚିତ୍ର ବଦଳାଇ ଦେବାର କ୍ଷମତା ରଖୁଛି ।

ଆହୁରି ପଢ଼ନ୍ତୁ... ​​​​​​​​​​​​​​ହୋର୍ମୁଜ ପାର କରିବାକୁ ପାକିସ୍ତାନୀ ଜାହାଜକୁ ମିଳିଲାନି ଅନୁମତି, ଗୋଡ଼ାଇ ଗୋଡ଼ାଇ ତଡ଼ିଲା ଇରାନୀ ନୌସେନା