ସସକାପଦର ଡବଲ ମର୍ଡର ମାମଲା, ୬ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ବୌଦ୍ଧ,୨୯/୧୧;ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ସସକାପଦର ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୨୦।୪।୨୦୧୫ ମସିହାରେ ହରିତ କର୍ଣ୍ଣ ଓ ସୁରଥ ନାୟକଙ୍କୁ ହତ୍ୟା କରାଯାଇଥିଲା । ଏହି ଡବଲ ମର୍ଡର ମାମଲାର ରାୟ ଆଜି ପ୍ରକାଶ ପାଇଛି । ବୌଦ୍ଧ ଜିଲ୍ଲା ଦୌରା ଜଜ ବିକ୍ରମ କୁମାର ପ୍ରଧାନ ଏହି ମାମଲାର ବିଚାର କରି ୬ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ସହ ଦଶ ହଜାର ଟଙ୍କା ଲେଖାଁଏ ଜରିମାନା ଆଦେଶ ଦେଇଛନ୍ତି । ଜରିମାନା ଅନାଦୟ ଦେଲେ ଆଉ ଅଧିକ ୬ ମାସ ଲେଖାଁଏ କାରାଦଣ୍ଡଦେଶ ବୋଲି ତାଙ୍କ ରାୟରେ ଶୁଣାଇଛନ୍ତି ।
ମନମୁଣ୍ଡା ଥାନା ମହତପୁର ଗ୍ରାମର ହରିତ କର୍ଣ୍ଣ ଗତ ୨୦.୪.୧୫ ତାରିଖରେ ଏକ ବାଇକରେ ଘରୁ ଯାଇ ଫେରି ନ ଥିଲେ । ୨୨.୪.୧୫ ତାରିଖରେ ହରିତ ନିଖୋଜ ଥିବା ନେଇ ତାର ଭାଇ ମନମୁଣ୍ଡା ଥାନାରେ ଅଭିଯୋଗ କରିଥିଲେ । ୨୬.୪.୧୫ ତାରିଖରେ ହରିତର ଭାଇ ଅମୀର ଜାଣିବାକୁ ପାଇଲା ଯେ, ହରିତ କର୍ଣ୍ଣ ପାଇକବାହାଲ ଗ୍ରାମର ସୁରଥ ନାୟକ,ଝାଙ୍କରପଡା ଗ୍ରାମର ବିଶ୍ୱନାଥ ପଲିଆ, ଜିତେନ ହାତୀ,ପାଇକବାହାଲ ସୁଦାମ ହାତୀ,ଶେଷ ହାତୀ, ମନମୁଣ୍ଡାର ଶ୍ରୀ କାନ୍ତ ବେହେରା ଜୁରାମୁଣ୍ଡାର ସୁମନ ସମସ୍ତେ ମିଶି ୪ଟି ବାଇକରେ ଜିତେନ ହାତୀର ବାହାଘର ଭୋଜି ୩୦.୪.୧୫ରେ ଥିବାରୁ ମେଲଛା କିଣିବାକୁ ଲହୁରପଡା,ଛଲଣ୍ଡା ଆଦି ଗ୍ରାମକୁ ଯାଇଥିଲେ। ମେଲଛା ମୁଲାଇ କରି ରାତି ପ୍ରାୟ ଦଶଟା ସମୟରେ ଘରକୁ ଫେରୁଥିଲେ । ସେମାନେ ସମସ୍ତେ ଫେରିବା ସମୟରେ ହରିତ ଓ ସୁରଥ ଗୋଟିଏ ବାଇକରେ ବସିଥିଲେ । ଏହି ସମୟରେ ସସକାପଦର ଗ୍ରାମମୁଣ୍ଡ ନାଳ ପାଖରେ ଠେଙ୍ଗା, ବାଡି ଧରି ସସକାପଦର ଗ୍ରାମର ଚିତରଂଜନ କହଁର, ଦଶରଥ କହଁର, ବିଘ୍ନେଶ୍ୱର କହଁର,ବିଜୁ କହଁର, ଲିବେଶ୍ୱର କହଁର,ବାରକୁତୁଲି ଗ୍ରାମର ଅକୁର କହଁର ପାଖ ଗାଁ ବାରକୁତୁଳି, ଞ୍ଚେର,ଆଡସିଙ୍ଗ,ଡୁଡସିଙ୍ଗ ଆଦି ଗ୍ରାମର ଦଶ ବାର ଜଣ ଲୋକଙ୍କୁ ଡାକି ଠେଙ୍ଗା ଓ ବାଡିରେ ହରିତ ଓ ସୁରଥଙ୍କ ମୁଣ୍ଡ ଓ ଦେହକୁ ମାଡ ମାରିଥିଲେ । ଫଳରେ ଘଟଣାସ୍ଥଳରେ ହରିତ ଓ ସୁରଥର ମୃତ୍ୟୁ ହୋଇଥିଲା । ଭୟରେ ଅନ୍ୟ ଛଅ ଜଣ ବାଇକ ଛାଡି ଦୌଡି ପଳାଇ ଲୁଚିଯାଇଥିଲେ ।
ମୃତ୍ୟୁ ପରେ ଅଭିଯୁକ୍ତମାନେ ଶବ ଦୁଇଟିକୁ କାକଟପଙ୍ଗା ଜଙ୍ଗଲର ଜୁନାଢିହି ଠାରେ ପୋଡିଦେଇଥିଲେ । ତାପରେ ବାଘନଦୀର ପଦ୍ମଦୋର ରେ ବାଇକ ଗୁଡିକୁ ଫିଙ୍ଗି ଦେଇଥିଲେ । ଏହି ମାମଲାରେ ମନମୁଣ୍ଡା ଏତଲା ଦେବା ପରେ ମନମୁଣ୍ଡା ପୁଲିସ ଚିତରଂଜନ କହଁର ଓ ଅନ୍ୟ ଦୁଇ ନାବାଳକଙ୍କୁ ଆଣି ଜେରା କରିଥିଲା । ଜେରା ସମୟରେ ପୁଲିସ ସମସ୍ତ ଘଟଣା ଜାଣିବାକୁ ପାଇଥିଲା। ସେମାନଙ୍କୁ ନେଇ ପୋଡି ଦେଇଥିବା ସ୍ଥାନକୁ ଯାଇ ହାଡ ଓ ପାଉଁଶ ଜବତ କରିଥିଲା ଏବଂ ଅଗ୍ନିଶମ ବାହିନୀ ସାହାର୍ଯ୍ୟରେ ପାଣିରେ ପଡିଥିବା ବାଇକ ଗୁଡିକୁ ଉଦ୍ଧାର କରାଯାଇଥିଲା । ପରବର୍ତ୍ତି ସମୟରେ ପୁଲିସ ଅଭିଯୁକ୍ତ ଚିତରଂଜନ କହଁର, ଦଶରଥ କହଁର, ବିଘ୍ନେଶ୍ୱର କହଁର,ବିଜୁ କହଁର, ଲିବେଶ୍ୱର କହଁର,ବାରକୁତୁଲି ଗ୍ରାମର ଅକୁର କହଁରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ମାମଲାରେ ୧୬ ଜଣ ସାକ୍ଷୀଙ୍କ ବୟାନ ଓ ପ୍ରମାଣକୁ ଭିତ୍ତିକରି କୋର୍ଟ ଅଭିଯୁକ୍ତମାନଙ୍କୁ ଆଜୀବନକାରା ଦଣ୍ଡାଦେଶ ଦେବା ସହ ଜରିମାନା ଆଦେଶ ପ୍ରଦାନ କରିଛନ୍ତି । ସରକାରଙ୍କ ପକ୍ଷରୁ ଏହି ମାମଲାକୁ ସରକାରୀ ଓକିଲ ସବିତା କୁମାରୀ ପଣ୍ଡା ପରିଚାଳନା କରୁଥିଲେ ।