ନୂଆଦିଲ୍ଲୀ,୨୪/୦୧: ଜାତୀୟ  ସଙ୍ଗୀତ "ବନ୍ଦେ ମାତରମ୍"କୁ ରାଷ୍ଟ୍ର ସଙ୍ଗୀତ ସହିତ ସମାନ ସମ୍ମାନ ଦେବା ପାଇଁ ଏକ ପ୍ରୋଟୋକଲ୍ ଆଣିବାକୁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର । ଏକ ରିପୋର୍ଟ ଅନୁଯାୟୀ, ଏହି ମାସର ଆରମ୍ଭରେ ଗୃହ ମନ୍ତ୍ରଣାଳୟ ଦ୍ୱାରା ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଭାରତର ସମ୍ବିଧାନ ଅନୁଯାୟୀ, ଜାତୀୟ ସଙ୍ଗୀତ ଏବଂ ଜାତୀୟ ଗୀତ ଉଭୟ ସମାନ ସମ୍ମାନ ପାଆନ୍ତି, କିନ୍ତୁ ଆଇନଗତ ଏବଂ ବାଧ୍ୟତାମୂଳକ ପ୍ରୋଟୋକଲ୍ ଦୃଷ୍ଟିରୁ ଉଭୟ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ପାର୍ଥକ୍ୟ ରହିଛି । ଏଣିକି ଜାତୀୟ ସଙ୍ଗୀତ 'ଜନ ଗଣ ମନ' ପରି ଏଣିକି 'ବନ୍ଦେ ମାତରମ୍' ଗାନ ସମୟରେ ବି ଛିଡ଼ା ହେବା ବାଧ୍ୟତାମୂଳକ ହେବ । ଖୁବଶୀଘ୍ର ଜାତୀୟ ଗୀତ ପରି ନିୟମ ଆଣିବାକୁ ଯାଉଛନ୍ତି ସରକାର ।

ଜାତୀୟ ସଙ୍ଗୀତ ଗାନ ସମୟରେ ଛିଡ଼ା ହେବା ବାଧ୍ୟତାମୂଳକ, ଏବଂ ଏହାକୁ ଅପମାନ କରିବା ଜାତୀୟ ସମ୍ମାନ ଅପମାନ ନିବାରଣ ଆଇନ, ୧୯୭୧ ଅନୁଯାୟୀ ଦଣ୍ଡନୀୟ। ତଥାପି, ଜାତୀୟ ଗୀତ, "ବନ୍ଦେ ମାତରମ୍" ଗାନ ସମୟରେ ଠିଆ ହେବା କିମ୍ବା କୌଣସି ନିର୍ଦ୍ଦିଷ୍ଟ ଆସନ ଗ୍ରହଣ କରିବା ପାଇଁ କୌଣସି ଆଇନଗତ ଆବଶ୍ୟକତା କିମ୍ବା ଲିଖିତ ନିୟମ ନାହିଁ । ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗୃହ ମନ୍ତ୍ରଣାଳୟର ଏକ ବୈଠକରେ ଏହି ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା ।  ବୈଠକ ସମୟରେ, ଜାତୀୟ ଗୀତ ଗାନ କରିବାର ନିୟମ ଏବଂ ନିର୍ଦ୍ଦେଶାବଳୀ, ଯେଉଁଥିରେ ସମ୍ମାନର ପଦ୍ଧତି ଅନ୍ତର୍ଭୁକ୍ତ, ଆଲୋଚନା କରାଯାଇଥିଲା । ବୈଠକରେ ବନ୍ଦେ ମାତରମ୍ ଗାନ କରିବାର ସମୟ, ସ୍ଥାନ ଏବଂ ପଦ୍ଧତି ପାଇଁ ସ୍ପଷ୍ଟ ନିୟମ ସ୍ଥାପନ କରାଯିବା ଉଚିତ୍‌ କି ? ଜାତୀୟ ସଙ୍ଗୀତ ଗାନ ସମୟରେ ଛିଡ଼ା ହେବା ବାଧ୍ୟତାମୂଳକ କରାଯିବା ଉଚିତ କି ? ଯେଉଁମାନେ ଜାତୀୟ ଗୀତକୁ ଅସମ୍ମାନ କରନ୍ତି ସେମାନଙ୍କୁ କ'ଣ ଜରିମାନା କିମ୍ବା ଦଣ୍ଡିତ କରାଯିବା ଉଚିତ୍ ? ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ଏହି ପଦକ୍ଷେପ ଏପରି ସମୟରେ ନିଆଯାଇଛି ଯେତେବେଳେ କେନ୍ଦ୍ର ସରକାର ବର୍ଷବ୍ୟାପୀ 'ବନ୍ଦେ ମାତରମ୍'ର ୧୫୦ ବର୍ଷ ପୂର୍ତ୍ତୀ ପାଳନ କରୁଛନ୍ତି ।  ବିଜେପି କଂଗ୍ରେସ ଉପରେ ତୁଷ୍ଟୀକରଣ ରାଜନୀତି ଯୋଗୁଁ ଜାତୀୟ ଗୀତର ଗୁରୁତ୍ୱ ହ୍ରାସ କରୁଥିବାର ଅଭିଯୋଗ କରିଛି ।

ଅଧିକ ପଢନ୍ତୁ...୧୮ତମ ରୋଜଗାର ମେଳା, ୬୧ ହଜାରରୁ ଅଧିକ ଚାକିରି ଦେଉଛନ୍ତି ପ୍ରଧାନମନ୍ତ୍ରୀ : ଦେଖନ୍ତୁ LIVE ଭିଡିଓ

କ'ଣ ବିବାଦର କାରଣ ? ୧୯୭୩ ମସିହାରେ କଂଗ୍ରେସ ଅଧିବେଶନ ସମୟରେ, ବନ୍ଦେ ମାତରମର କିଛି ପଦକୁ ହଟାଇ ଦିଆଯାଇଥିଲା । ବିଜେପି ଅଭିଯୋଗ କରିଛି ଯେ, ଏହି ନୀତି ବିଭାଜନର ମୂଳଦୁଆ ପକାଇଥିଲା, ଯେତେବେଳେ କଂଗ୍ରେସ କହିଛି ଯେ ବିଜେପି ଇତିହାସକୁ ବିକୃତ କରୁଛି ଏବଂ ଆଗାମୀ ପଶ୍ଚିମବଙ୍ଗ ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ପ୍ରସଙ୍ଗକୁ ମୁଦ୍ଦା କରିଛି । ଗତ କିଛି ବର୍ଷ ମଧ୍ୟରେ, ବନ୍ଦେ ମାତରମକୁ ଜାତୀୟ ସଙ୍ଗୀତ ସହିତ ସମାନ ଏକ ଢାଞ୍ଚା ଦେବା ପାଇଁ କୋର୍ଟରେ ଅନେକ ଆବେଦନ ଦାଖଲ କରାଯାଇଛି । ୨୦୨୨ ମସିହାରେ, କେନ୍ଦ୍ର ସରକାର ସୁପ୍ରିମକୋର୍ଟକୁ କହିଥିଲେ ଯେ ଜାତୀୟ ଗୀତ ପାଇଁ ଏପର୍ଯ୍ୟନ୍ତ ଏପରି କୌଣସି ଦଣ୍ଡ ବ୍ୟବସ୍ଥା କିମ୍ବା ନିର୍ଦ୍ଦେଶନାମା ଜାରି କରାଯାଇ ନାହିଁ ।

ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଦ୍ୱାରା ଲିଖିତ "ବନ୍ଦେ ମାତରମ୍", ସ୍ୱଦେଶୀ ଆନ୍ଦୋଳନ (୧୯୦୫-୦୮) ସମୟରେ ସ୍ୱାଧୀନତାର ସବୁଠାରୁ ପ୍ରମୁଖ ସ୍ଲୋଗାନ ଭାବରେ ଉଭା ହୋଇଥିଲା। ବର୍ତ୍ତମାନ, ସରକାର ଏହାର ପୂର୍ବ ଗୌରବ ଫେରାଇ ଆଣିବାକୁ ଚେଷ୍ଟା କରୁଛନ୍ତି । ​​​​​​​

​​​​​​​