ନୂଆଦିଲ୍ଲୀ,୧୬/୦୭: ଦୀର୍ଘ ୩୫ଦିନର ରୋମାଞ୍ଚ ଓ ୧୦୨ ମ୍ୟାଚର ଲଢ଼େଇ ପରେ ଚଳିତ ଫିଫା ବିଶ୍ୱକପ ଫାଇନାଲ୍ ଲାଇନ ଚୂଡ଼ାନ୍ତ ହୋଇଛି । ଡିଫେଣ୍ଡିଂ ଚାମ୍ପିଅନ ଆର୍ଜେଣ୍ଟିନା ୨-୧ ଗୋଲ୍‌ରେ ଇଂଲଣ୍ଡକୁ ହରାଇ ସ୍ପେନ ସହ ଟାଇଟଲ ଲଢ଼େଇ ପାଇଁ ସ୍ଥାନ ସୁରକ୍ଷିତ କରିଛି । ଇଂଲଣ୍ଡର ସବୁ ସ୍ୱପ୍ନ ପାଣି ଫୋଟକା ପରି ମିଳାଇ ଯାଇଛି । ୮୫ ମିନିଟ୍ ପର୍ଯ୍ୟନ୍ତ ଇଂଲଣ୍ଡ ୧-୦ ଗୋଲ୍‌ରେ ଆଗୁଆ ରହିବା ପରେ ଶେଷ ୭ ମିନିଟ୍ ମଧ୍ୟରେ ଆର୍ଜେଣ୍ଟିନା ସବୁ ଆକଳନକୁ ଓଲଟ ପାଲଟ କରି ଦେଇଥିଲା । ୮୫ତମ ମିନିଟ୍‌ରେ ଏଞ୍ଜୋ ଫର୍ଣ୍ଣାଣ୍ଡିସ ଏକ ଲଙ୍ଗ ରେଞ୍ଜ ସଟ୍ ମାରି ଗୋଲ ବରାବର(୧-୧) କରିଥିଲେ । ୯୦+୨ତମ ମିନିଟ୍‌ରେ ଲୌଟରୋ ମାର୍ଟିନେଜ ଦ୍ୱିତୀୟ ଗୋଲ୍ ଦେଇ ଆର୍ଜେଣ୍ଟିନାକୁ ବିଜୟୀ କରାଇଥିଲେ । ଉଭୟ ଗୋଲ୍‌ରେ ଲିଓନେଲ ମେସି ସହାୟତା କରିଥିଲେ ।

ଏହା ପୂର୍ବରୁ ୫୫ତମ ମିନିଟରେ ଆନ୍ଥୋନି ଗର୍ଡନ ଏକ ଗୋଲ ଦେଇ ଇଂଲଣ୍ଡକୁ ଅଗ୍ରଣୀ କରାଇଥିଲେ । ଏହି ବିଜୟ ସହ ଆର୍ଜେଣ୍ଟିନା ସପ୍ତମ ଥର ପାଇଁ ଫାଇନାଲ୍ରେ ପ୍ରବେଶ କରିଥିଲା । ଆର୍ଜେଣ୍ଟିନା ପୂର୍ବରୁ ୧୯୭୮, ୧୯୮୬ ଓ ୨୦୨୨ରେ ଚାମ୍ପିଅନ୍ ଆଖ୍ୟା ଅର୍ଜନ କରିଥିବାବେଳେ ୧୯୩୦, ୧୯୯୦ ଓ ୨୦୧୪ରେ ରନର୍ସ ଅପ୍ ହୋଇଛି । ମେସିଙ୍କୁ ଅଟକାଇବା ପାଇଁ ଇଂଲଣ୍ଡ ଏକ ସ୍ୱତନ୍ତ୍ର ରଣନୀତି ଆପଣେଇଥିଲା ଓ ଶେଷ ପର୍ଯ୍ୟନ୍ତ ସଫଳ ହୋଇଥିଲା । ମେସି ଗୋଲ୍ କରିପାରି ନଥିଲେ । ହେଲେ ତାଙ୍କ ଦକ୍ଷତା କେବଳ ଗୋଲ୍‌ରେ ସୀମିତ ନଥିବା ସେ ପ୍ରମାଣ କରିଥିଲେ । ୨ଟି ଗୋଲ୍ ସହାୟତା କରି ଇଂଲଣ୍ଡର ରଣନୀତିକୁ ସେ ପଣ୍ଡ କରି ଦେଇଥିଲେ । ମାର୍ଟିନେଜ ପ୍ରାରମ୍ଭିକ ଏକାଦଶରେ ସ୍ଥାନ ପାଇ ନଥିଲେ । ୮୧ତମ ମିନିଟ୍‌ରେ ନିକୋଲାସ ଟାଗ୍ଲିଆଫିକୋଙ୍କ ସ୍ଥାନରେ ସେ ବଦଳ ଖେଳାଳି ଭାବେ ଗ୍ରାଉଣ୍ଡକୁ ଓହ୍ଲାଇଥିଲେ ଓ ୧୧ ମିନିଟ୍ ମଧ୍ୟରେ ଆର୍ଜେଣ୍ଟିନାର ଭାଗ୍ୟ ବଦଳାଇ ଦେଇଥିଲେ । ଦୀର୍ଘ ସମୟ ଧରି ଜାରି ରହିଥିବା ଆର୍ଜେଣ୍ଟିନାର ବିଫଳ କ୍ରସକୁ ସେ ଗୋଲରେ ପରିଣତ କରିବାରେ ସଫଳ ହୋଇଥିଲେ ।

ସପ୍ତମ ଥର ଫାଇନାଲରେ ଆର୍ଜେଣ୍ଟିନା- ସବୁ ଆଲୋଚକଙ୍କୁ ଚୁପ୍ କରିଛି ଆର୍ଜେଣ୍ଟିନା । ଇଂଲଣ୍ଡର ୬୦ ବର୍ଷର ଅପେକ୍ଷାରେ ପୁଣି ଥରେ ପୂର୍ଣ୍ଣଚ୍ଛେଦ ପକାଇଛି । ୨-୧ ଗୋଲ୍‌ ଇଂଲଣ୍ଡକୁ ହରାଇ ଆର୍ଜେଣ୍ଟିନା ସପ୍ତମ ଥର ପାଇଁ ଫାଇନାଲ୍‌ରେ ପ୍ରବେଶ କରିଛି । ୮୫ମିନିଟ୍ ପର୍ଯ୍ୟନ୍ତ ୦-୧ ଗୋଲ୍ରେ ପଛୁଆ ରହିବା ପରେ ଶେଷ ୭ ମିନିଟ୍ ମଧ୍ୟରେ ୨ଟି ଗୋଲ୍ ଦେଇ ଆର୍ଜେଣ୍ଟିନା ବିଜୟ ହାସଲ କରିଛି । ଲିଓନେଲ ମେସିଙ୍କ ଡବଲ୍ ଗୋଲ ସହାୟତା ଆଜେଣ୍ଟିନାକୁ କ୍ରମାନ୍ୱୟରେ ଦ୍ୱିତୀୟ ଥର ପାଇଁ ଫାଇନାଲ୍‌ରେ ପହଞ୍ଚାଇଛି । ମ୍ୟାଚ ଆରମ୍ଭରୁ ଉଭୟ ଦଳ କେବଳ ବଲ୍ ପୋଜେସନ ଉପରେ ଗୁରୁତ୍ୱ ଦେଇଥିଲେ । ଇଂଲଣ୍ଡ ଆକ୍ରମଣ କରିଥିଲା । ଆର୍ଜେଣ୍ଟିନା ପ୍ରତି ଆକ୍ରମଣକୁ ପ୍ରାଧାନ୍ୟ ଦେଇଥିଲା । ପ୍ରଥମ ଜଳପାନ ବିରତି ପର୍ଯ୍ୟନ୍ତ ସେଭଳି କୌଣସି ଗୋଲ୍ ସୁଯୋଗ ସୃଷ୍ଟି ହୋଇ ନଥିଲା । ଇଂଲଣ୍ଡ ଥରେ ମାତ୍ର ଆର୍ଜେଣ୍ଟିନା ଗୋଲ ପୋଷ୍ଟ ନିକଟତର ହୋଇଥିଲା । ଅଷ୍ଟମ ମିନିଟ୍‌ରେ ଇଂଲଣ୍ଡ ପ୍ରଥମ କର୍ଣ୍ଣର ହାସଲ କରିଥିଲା । ଜବାବରେ ୨୪ତମ ମିନିଟ୍ରେ ଆର୍ଜେଣ୍ଟିନା ଏକ କର୍ଣ୍ଣର ପାଇଥିଲା ।

ଆର୍ଜେଣ୍ଟିନା ପକ୍ଷରୁ ୧୩ତମ ମିନିଟ୍‌ରେ ଗ୍ୟୁଲିଆନୋ ସିମନ ଓ ୨୧ତମ ମିନିଟ୍ରେ ଲିଓନେଲ ମେସି ଇଂଲଣ୍ଡ ବକ୍ସ ନକଟକୁ ବଲ ନେଇଥିଲେ ହେଁ ଉଭୟ ଥର ଅଫ ସାଇଡ୍ ହୋଇଥିଲା । ୩୨ତମ ମିନିଟ୍‌ରେ ଜ୍ୟୁଡ ବେଲିଂହାମ ଦ୍ରୁତ ବେଗରେ ବଲ୍ ନେଇ ଆର୍ଜେଣ୍ଟିନା ଗୋଲ୍ ପୋଷ୍ଟ ଆଡକୁ ଅଗ୍ରସର ହେଉଥିବାବେଳେ ତାଙ୍କୁ ଏଞ୍ଜୋ ଫର୍ଣ୍ଣାଣ୍ଡିସ ଫାଉଲ ମାରିଥିଲେ । ଇଂଲଣ୍ଡକୁ ଏକ ଫ୍ରି-କିକ ମିଳିଥିଲା । ଡେକଲାନ ରାଇସଙ୍କ ଏହି ଫ୍ରି-କିକଙ୍କୁ ହେଡ୍ କରି ଜନ ଷ୍ଟୋନ୍ସ ଗୋଲ୍ କରିବାକୁ ପ୍ରୟାସ କରିଥିଲେ । ମାତ୍ର ବଲ୍ ସଠିକ୍ ସ୍ଥାନରେ ପହଞ୍ଚି ନଥିଲା । ପୁନର୍ବାର ୩୫ତମ ମିନିଟ୍ରେ ଇଂଲଣ୍ଡକୁ ଏକ ଫ୍ରି-କିକ ମିଳିଥିଲା । ରିସ ଜେମ୍ସଙ୍କ ପ୍ରୟାସ ଏଥର ମଧ୍ୟ ବିଫଳ ହୋଇଥିଲା । ଜବାବରେ ଆର୍ଜେଣ୍ଟିନା ପ୍ରତି ଆକ୍ରମଣ ସୁଯୋଗ ପାଇଥିଲା ।

ମେସି ବଲ୍ ନେଇ ଆଗେଇ ଚାଲିଥିବାବେଳେ ତାଙ୍କୁ ଅଟକାଇବାକୁ ଯାଇ ଏଲିୟଟ୍ ଆଣ୍ଡରସନ ଫାଉଲ ମାରିଥିଲେ । ୩୮ତମ ମିନିଟ୍‌ରେ ଏଞ୍ଜୋ ଏକ ଶକ୍ତିଶାଳୀ ସଟ୍ ମାରିଥିଲେ । ହେଲେ ବଲ୍ଟି ଗୋଲ୍ ପୋଷ୍ଟ ଉପର ଦେଇ ଆଉଟ୍ ଲାଇନ ଅତିକ୍ରମ କରିଥିଲା । ଆର୍ଜେଣ୍ଟିନାର ଏହା ପ୍ରଥମ ଗୋଲ ପ୍ରୟାସ ରହିଥିଲା । ପରବର୍ତ୍ତୀ ୭ ମିନିଟ୍ ମଧ୍ୟରେ କୌଣସି ସୁଯୋଗ ସୃଷ୍ଟି ହୋଇ ନଥିଲା । ଦ୍ୱିତୀୟାର୍ଦ୍ଧରେ ଆର୍ଜେଣ୍ଟିନା ଜୋରଦାର ଆକ୍ରମଣ କରିଥିଲା । ୪୭ତମ ମିନିଟରେ ଜୁଲିଆନ ଆଲଭାରେଜ ଏକ ଶକ୍ତିଶାଳୀ ସଟ୍ ମାରିଥିଲେ । ଏହାକୁ ଇଂଲଣ୍ଡ ଗୋଲ୍ କିପର ଜୋର୍ଡାନ ପିକଫୋର୍ଡ ଅଟକାଇ ଦେଇଥିଲେ । ଆର୍ଜେଣ୍ଟିନାକୁ କର୍ଣ୍ଣର ମିଳିଥିଲା । ହେଲେ କିଛି ଫଳ ମିଳି ନଥିଲା ।

୫୫ତମ ମିନିଟ୍‌ରେ ଡାହାଣ ୱିଙ୍ଗ୍ରୁ ମୋର୍ଗାନ ରୋଜର୍ସ ଆର୍ଜେଣ୍ଟିନା ପୋଷ୍ଟ ସମ୍ମୁଖକୁ ଏକ କ୍ରସ୍ ପଠାଇଥିଲେ । ଏଡାକୁ ଆନ୍ଥୋନି ଗର୍ଡନ ଗୋଲ୍ରେ ପରିଣତ କରିଥିଲେ । ଇଂଲଣ୍ଡ ୧-୦ ଗୋଲ୍ରେ ଆଗେଇଥିଲା । ଏହାପରେ ଆର୍ଜେଣ୍ଟିନା ଜୋରଦାର ଆକ୍ରମଣ କରିଥିଲା । ଦ୍ୱିତୀୟ ଜଳପାନ ବିରତି ପର୍ଯ୍ୟନ୍ତ ଆର୍ଜେଣ୍ଟିନା ଏକାଧିକ ସୁଯୋଗ ସୃଷ୍ଟି କରିଥିଲା । ଇଂଲଣ୍ଡ ସବୁ ଶକ୍ତି ଲଗାଇ ଆର୍ଜେଣ୍ଟିନାକୁ ଅଟକାଇଥିଲା । ଦ୍ୱିତୀୟ ଜଳପାନ ବିରତି ପରେ ଆର୍ଜେଣ୍ଟିନା ସବୁ ଶକ୍ତି ଲଗାଇ ଇଂଲଣ୍ଡ ଗୋଲ୍ ପୋଷ୍ଟ ଉପରେ ଆକ୍ରମଣ କରିଥିଲା ।

ଏହା ବି ପଢନ୍ତୁ...CSK ର ଆଗାମୀ କୋଚ୍ କିଏ ? ଧୋନୀ ନେଇପାରନ୍ତି ନିଷ୍ପତ୍ତି

ଶେଷରେ ୮୫ତମ ମିନିଟ୍‌ର ପରିଶ୍ରମର ମୂଲ ମିଳିଥିଲା । ମେସିଙ୍କ ଏକ ପାସ୍କୁ ଏଞ୍ଜୋ ଗୋଲ୍‌ରେ ପରିଣତ କରିଥିଲେ । ୧-୧ରେ ସ୍ଥିତି ବରାବର ହୋଇଥିଲା । ଏହା ପୂର୍ବରୁ ଏଞ୍ଜୋ ଅନେକ ଥର ବକ୍ସ ବାହାରୁ ପ୍ରୟାସ କରିଥିଲେ । ଏଥର ତାଙ୍କ ପ୍ରୟାସର ଫଳ ମିଳିଥିଲା । ଇଂଲଣ୍ଡ ଆଉ ମ୍ୟାଚକୁ ଫେରି ପାରି ନଥିଲା । ୯୦+୨ତମ ମିନିଟ୍‌ରେ ଆର୍ଜେଣ୍ଟିନା ଦ୍ୱିତୀୟ ଗୋଲ୍ କରିଥିଲା । ମେସିଙ୍କ ପାସ୍‌କୁ ଲୌଟରୋ ମାର୍ଟିନେଜ ଗୋଲ୍‌ରେ ପରିଣତ କରିଥିଲେ । ଇଂଲଣ୍ଡର ସବୁ ଆଶା ମଉଳି ଯାଇଥିଲା ।