ଫିରିଙ୍ଗିଆ, ୧୬/୦୭ : ପଥୁରିଆ ରାସ୍ତାରେ କିଛି ବାଟ ଚାଲିଚାଲି ନଦୀକୂଳରେ ପହଞ୍ଚିଲେ ତିନି ଜଣ ମହିଳା ଓ ଜଣେ ପୁରୁଷ। ଜଣେ ମହିଳାଙ୍କ କାଖରେ ଅସୁସ୍ଥ ଶିଶୁ। ସାଙ୍ଗରେ ଅଛି ବଡ଼ ଆକାରର ଏକ ରସ ହଣ୍ଡା । ନଦୀ କୂଳରେ ପହଞ୍ଚିବା ପରେ ସମସ୍ତେ ପୋଷାକ ପରିବର୍ତ୍ତନ କଲେ । କେବଳ ଗାମୁଛା ଖଣ୍ଡେ ଖଣ୍ଡେ ଦେହରେ ବେଢ଼ାଇ ପୂର୍ବରୁ ପିନ୍ଧିଥିବା ପୋଷାକ, ଚପଲ, ମୋବାଇଲ୍ ଫୋନ୍ ଇତ୍ୟାଦି ରଖିଲେ ରସ ହଣ୍ଡାରେ । ରସ ହଣ୍ଡାରେ ବସିଲା ଶିଶୁ । ଏହାପରେ ଚାରିଜଣ ହଣ୍ଡାକୁ ଧରି ପଶିଲେ ନଦୀରେ । ଆଣ୍ଠୁଏରୁ ବଢ଼ି ବଢ଼ି ପାଣି ବେକ ଟପିଲା-ଏହାପରେ ଚାରିଜଣ ହଣ୍ଡାରେ ହାତ ପକାଇ ବିପଜ୍ଜନକ ଭାବେ ପହଁରି ପହଁରି ପାର ହେଲେ ନଦୀ । ହାତ ଖସିଲେ ହଣ୍ଡାରେ ବସିଥିବା ଶିଶୁର ଅବସ୍ଥା କ’ଣ ହେବ କହିହେବନି । ସେମାନେ ଅସୁସ୍ଥ ଶିଶୁର ଚିକିତ୍ସା ପାଇଁ ଯାଉଥିଲେ ଗୋଚ୍ଛାପଡ଼ା ।
ଏହି ଦୃଶ୍ୟର ଭିଡିଓ ଭାଇରାଲ୍ ହୋଇଛି । ପ୍ରାୟ ଚାରି ମିନିଟର ଏହି ଭିଡିଓ ଦେଖାଉଛି କନ୍ଧମାଳର ସଦର ମହକୁମା ଫୁଲବାଣୀଠାରୁ ୫୦ କିଲୋମିଟର ଦୂର ଏକ ଗାଁର ସ୍ୱାସ୍ଥ୍ୟସେବା, ଗମନାଗମନ ବ୍ୟବସ୍ଥାର ଚିତ୍ର । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡ଼ା ପଞ୍ଚାୟତର ଡୁମୁରିଗାଟା ନିକଟ ବାଘ ନଦୀ ଉପରେ ପୋଲ ନଥିବାରୁ ଗ୍ରାମବାସୀଙ୍କ ଦୁର୍ଦ୍ଦଶା ପୁଣି ଥରେ ସାମ୍ନାକୁ ଆସିଛି । ଗ୍ରାମର ଭିବାନା ମଲିକ ତାଙ୍କୁ ଦୁଇ ବର୍ଷର ପୁଅର ଥଣ୍ଡାଜ୍ୱର ଚିକିତ୍ସା ପାଇଁ ନେଉଥିଲେ ଗୋଚ୍ଛାପଡ଼ା । ପୁଅକୁ ହଣ୍ଡାରେ ବସାଇ ଗଭୀର ନଦୀ ପାର କରାଇ କୂଳକୁ ଆଣିଥିଲେ, ତାପରେ ଚାଲି ଚାଲି ୫ କିମି ଦୂର ବଦାପାଜୁ ଗ୍ରାମକୁ ଆସିବା ପରେ ଦୁଇଟି ବାଇକ୍ ଯୋଗେ ସେମାନେ ଗୋଚ୍ଛାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ । ଶିଶୁର ଚିକିତ୍ସା କରାଇ ପୁଣି ନଦୀ ପାର ହୋଇ ଗ୍ରାମକୁ ଫେରିଥିଲେ । ଗୋଚ୍ଛାପଡ଼ାକୁ ଆଉ ଏକ ରାସ୍ତା ଅଛି, ଯାହା ପାହାଡ଼ ଯୋଗୁଁ ଏକପ୍ରକାର ଦୁର୍ଗମ । ଖରାଦିନେ କୌଣସି ପ୍ରକାରେ ଯାତାୟାତ ସମ୍ଭବ ହେଉଥିଲେ ମଧ୍ୟ ବର୍ଷା ଆସିଲେ ନଦୀରେ ପାଣି ବଢ଼ି ଗ୍ରାମଟି ସମ୍ପୂର୍ଣ୍ଣ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଏ । ଫଳରେ ରୋଗୀ, ଗର୍ଭବତୀ, ବୃଦ୍ଧ ଓ ସ୍କୁଲ ପିଲାଙ୍କୁ ମଧ୍ୟ ଜୀବନକୁ ବାଜି ଲଗାଇ ନଦୀ ପାର ହେବାକୁ ପଡ଼ୁଛି ।
ଗ୍ରାମରେ ପ୍ରାୟ ୧୭ରୁ ୨୦ଟି ପରିବାର ବସବାସ କରୁଥିବା ବେଳେ ଆଜି ପର୍ଯ୍ୟନ୍ତ ପୋଲ, ବିଦ୍ୟୁତ୍ ଓ ପାନୀୟ ଜଳ ପରି ମୌଳିକ ସୁବିଧା ପହଞ୍ଚିନାହିଁ। ବର୍ଷ ବର୍ଷ ଧରି ପୋଲ ନିର୍ମାଣ ପାଇଁ ବ୍ଲକ୍, ଜିଲ୍ଲା ପ୍ରଶାସନ ଏବଂ ସରକାରଙ୍କ ନିକଟରେ ଦାବି କରାଯାଉଛି, ମାତ୍ର ସୁଫଳ ମିଳିନି । ସଲାଗୁଡ଼ା ସରପଞ୍ଚ ରୋହିତ କହଁର କହିଛନ୍ତି, ପଞ୍ଚାୟତ ପକ୍ଷରୁ ବାଘ ନଦୀ ଉପରେ ପୋଲ ନିର୍ମାଣ ପାଇଁ ବାରମ୍ବାର ବ୍ଲକ୍ ଓ ଜିଲ୍ଲା ପ୍ରଶାସନଙ୍କୁ ଅବଗତ କରାଯାଇଛି । ଏନେଇ କନିଷ୍ଠ ଯନ୍ତ୍ରୀ ସୁଶୀଲ କୁମାର ମହାନ୍ତିଙ୍କ ଉତ୍ତର ଥିଲା ଗତାନୁଗତିକ, ‘ବଡ଼ପାଜୁ-ଡୁମୁରିଗାଟା ବାଘ ନଦୀ ଉପରେ ପୋଲ ନିର୍ମାଣ ପାଇଁ ପଦକ୍ଷେପ ନିଆଯିବ ।’ ଶୀଘ୍ର କାମ ଆରମ୍ଭ କରି ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
ଆହୁରି ପଢନ୍ତୁ- ବଡ଼ଦେଉଳରେ ଦତ୍ତ ମହାପାତ୍ର-କମାଣ୍ଡର ଠେଲାପେଲା, ସେବକଙ୍କୁ ସେବାରୁ ନିଲମ୍ବନ କଲା ଶ୍ରୀମନ୍ଦିର ପ୍ରଶାସନ, ସିଂହଦ୍ୱାର ଥାନାରେ ଏତଲା
ରଥଯାତ୍ରା ୨୦୨୬ LIVE, ସିଂହଦ୍ୱାରରେ ତିନି ରଥ, ଆସୁଛନ୍ତି ମହାପ୍ରଭୁ!