ଲଣ୍ଡନ, ୨୧/୦୫: ଆଗାମୀ ଫିଫା ବିଶ୍ୱକପ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍ ଆର୍ଜେଣ୍ଟିନା ଟାଇଟଲ ବଜାୟ ରଖିବା ପାଇଁ ପ୍ରସ୍ତୁତ ରହିଛି । ଏଥର ବିଶ୍ୱକପ୍ ସହ ଦଳର ବିଶ୍ୱ ପ୍ରସିଦ୍ଧ ଖେଳାଳି ଲିଓନେଲ ମେସି କିଛି ରେକର୍ଡ ସ୍ଥାପନ କରିବାର ସୁଯୋଗ ରହିଛି ।

ଷଷ୍ଠ ବିଶ୍ୱକପ୍ ଖେଳିବାକୁ ଯାଉଥିବା ମେସି ଏଥର ବିଶ୍ୱକପ୍‌ରେ ସର୍ବାଧିକ ଗୋଲ ସ୍କୋରର୍ ଭାବେ ରେକର୍ଡ କରିବା ସମ୍ଭାବନା ରହିଛି । ସେ ବିଶ୍ୱକପ୍‌ରେ ୨୬ଟି ମ୍ୟାଚ ଖେଳି ମୋଟ୍ ୧୩ଟି ଗୋଲ ସ୍କୋର କରିବା ସହ ୮ଟି ଗୋଲ୍‌ ସହାୟତା କରିସାରିଛନ୍ତି । ଆଉ ୪ଟି ଗୋଲ୍ କଲେ ସେ ଜର୍ମାନୀର ମିରୋସ୍ଲାଭ କ୍ଲୋଜଙ୍କ ନାମରେ ରହିଥିବା ୧୬ଗୋଲ୍ ରେକର୍ଡ ଭାଙ୍ଗି ପାରିବେ । କ୍ଲୋଜଙ୍କ ନାମରେ ସର୍ବାଧିକ ଗୋଲ୍ ରେକର୍ଡ ରହିଥିବାବେଳେ ବ୍ରାଜିଲ୍‌ର ରୋନାଲ୍ଡୋ ନାଜାରିଓ ବିଶ୍ୱକପ୍ରେ ୧୫ଟି ଗୋଲ୍, ଜର୍ମାନୀର ଗ୍ରେଡ ମୁଲର ୧୪ଟି ଗୋଲ୍ କରି ପରବର୍ତ୍ତୀ ସ୍ଥାନରେ ରହିଛନ୍ତି ।

୨୦୦୬ ଜର୍ମାନୀ ବିଶ୍ୱକପ୍‌ରେ ମେସି ପଦାର୍ପଣ କରିଥିଲେ ଓ ସର୍ବିୟା ବିପକ୍ଷରେ କ୍ୟରିୟର୍ର ପ୍ରଥମ ବିଶ୍ୱକପ୍ ଗୋଲ୍ ଦେଇଥିଲେ । ୨୦୧୦ ଦକ୍ଷିଣ ଆଫ୍ରିକା ବିଶ୍ୱକପରେ ସେ ଗୋଲ୍ କରିପାରି ନଥିଲେ । ୨୦୧୪ ବ୍ରାଜିଲ ବିଶ୍ୱକପ୍‌ରେ ମେସି ୪ଟି ଗୋଲ୍ ଦେଇଥିଲେ । ବୋସନିଆ ଓ ହାର୍ଜିଗୋଭିନା ବିପକ୍ଷରେ ୨ଟି, ଇରାନ ଓ ନାଇଜେରିଆ ବିପକ୍ଷରେ ଗୋଟିଏ ଲେଖାଏଁ ଗୋଲ୍ କରିଥିଲେ ମେସି ।

୨୦୧୮ ବିଶ୍ୱକପ୍‌ରେ ସେ କେବଳ ନାଇଜେରିଆ ବିପକ୍ଷରେ ଗୋଟିଏ ଗୋଲ୍ ଦେଇଥିଲେ । ୨୦୨୨ କତାର ବିଶ୍ୱକପ୍‌ରେ ମେସି ୭ଟି ଗୋଲ୍ ଦେଇ ଦଳକୁ ଚାମ୍ପିଅନ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିବା ସହ ଫ୍ରାନ୍ସର ଜଷ୍ଟ ଫଣ୍ଟାଇନଙ୍କ ୧୩ ଗୋଲ୍ ରେକର୍ଡ ସହ ସମକକ୍ଷ ହୋଇଥିଲେ । ସେ ସାଉଦି ଆରବ, ମେକ୍ସିକୋ, ଅଷ୍ଟ୍ରେଲିଆ, ନେଦରଲାଣ୍ଡ୍ସ ଓ କ୍ରୋଏସିଆ ବିପକ୍ଷରେ ଗୋଟିଏ ଲେଖାଏଁ ଗୋଲ୍ କରିଥିବାବେଳେ ଫାଇନାଲ୍‌ରେ ଫ୍ରାନ୍ସ ବିପକ୍ଷରେ ୨ଟି ଗୋଲ୍ ଦେଇଥିଲେ ।

ଅଧିକ ପଢ଼ନ୍ତୁ :- FIFA World Cup: ଫିଫା ବିଶ୍ୱକପ୍ ପାଇଁ ପର୍ତ୍ତୁଗାଲ ଦଳ ଘୋଷଣା, କ୍ୟାରିୟରରେ ଷଷ୍ଠ ୱାର୍ଲ୍ଡକପ୍ ଖେଳିବେ କ୍ରିଷ୍ଟିଆନୋ ରୋନାଲ୍ଡୋ

ବିଶ୍ୱକପ୍ ଇତିହାସରେ ମେସି ଏକମାତ୍ର ଖେଳାଳି ଭାବେ ୨ଥର ଗୋଲଡେନ ବଲ୍ ପୁରସ୍କାର ହାସଲ କରିଛନ୍ତି । ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳିଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ । ମେସି ୨୦୧୪ ଓ ୨୦୨୨ ବିଶ୍ୱକପ୍ରେ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ । ବିଶ୍ୱକପ୍‌ର ନକ୍ ଆଉଟ୍ ରାଉଣ୍ଡ୍ରେ ସର୍ବାଧିକ ଗୋଲ୍ ସହାୟତା ରେକର୍ଡ ଭାଙ୍ଗିବାର ସୁଯୋଗ ମେସିଙ୍କ ନିକଟରେ ରହିଛି । ସେ ନକ୍ ଆଉଟ୍ରେ ମୋଟ୍ ୬ଟି ଗୋଲ୍ରେ ସହାୟତା କରି ବ୍ରାଜିଲର କିମ୍ବଦନ୍ତୀ ଫୁଟବଲ୍ ଖେଳାଳି ପେଲେଙ୍କ ରେକର୍ଡ ସହ ସମକକ୍ଷ ରହିଛନ୍ତି ।