ଭୁବନେଶ୍ୱର,୨୫/୦୫: ଭୁବନେଶ୍ୱର ଉପକଣ୍ଠ କେସୁରା ଗ୍ରାମର ସୁମତୀ ସାହୁଙ୍କ ଗାଈ ହଠାତ୍ ଅସୁସ୍ଥ ହୋଇପଡ଼ିଲା । ସକାଳ ସମୟ । ସୁମତୀ ସ୍ଥାନୀୟ ଅଞ୍ଚଳରେ ଥିବା ପ୍ରାଣୀଧନ ନିରୀକ୍ଷକ(ଏଲଆଇ)ଙ୍କୁ ଯୋଗାଯୋଗ କଲେ । ହେଲେ ଜଣାପଡ଼ିଲା, ଦୀର୍ଘଦିନ ହେବ ସଂପୃକ୍ତ ଏଲଆଇଙ୍କ ବଦଳି ହେବାପରେ କେସୁରାରେ ଆଉ କେହି ନାହାନ୍ତି । ଉତ୍ତର ଆସିଲା, ପଳାଶୁଣିରୁ ଏଲଆଇ ଆସି ଗାଈ ଦେଖିବେ । ରାତିରେ ଯାଇ ଏଲଆଇ ଆସିଲେ । କେବଳ କେସୁରା ନୁହେଁ, ଭୁବନେଶ୍ୱର ଉପଖଣ୍ଠ ଅନ୍ତର୍ଗତ ୪ଟି ବ୍ଲକ ଭୁବନେଶ୍ୱର ଓ ସହର, ଜଟଣୀ, ବାଲିଅନ୍ତା ଓ ବାଲିପାଟଣାରେ ୫୭ଜଣ ପ୍ରାଣୀଧନ ନିରୀକ୍ଷକ(ଏଲଆଇ) ରହିବା କଥା । ହେଲେ ଅଛନ୍ତି ମାତ୍ର ୧୯ଜଣ । ଅର୍ଥାତ ୮୦ପ୍ରତିଶତ ଏଲ୍ଆଇ ନାହାନ୍ତି । ସେଥିମଧ୍ୟରେ ଭୁବନେଶ୍ୱର ବ୍ଲକରେ ଖାରବେଳ ନଗର, ବଡ଼ଗଡ଼, ରେତଙ୍ଗ, ପଳାଶୁଣି, କଳାରାହାଙ୍ଗ, ଚନ୍ଦକା, ଦାରୁଠେଙ୍ଗ, ଇଟିପୁରରେ ଜଣେ ଲେଖାଏଁ ଏଲ୍ଆଇ ଅଛନ୍ତି । ହେଲେ ନହରକଣ୍ଟା, କେସୁରା, ଗାଡ଼କଣ, ଡୁମଡୁମା, ପାତ୍ରପଡ଼ା, ବିଜେବି ନଗର, ବାଙ୍କୁଆଳ, ଦାଢା଼, ମେଣ୍ଢାଶାଳ, କଣ୍ଟାବାଡ଼, ମଳିପଡ଼ାରେ ଏଲଆଇ ପଦବି ଖାଲିଅଛି । ଗାଈ, ବାଛୁରୀ, ବଳଦ, ଛେଳି, ମେଣ୍ଢାଙ୍କ ଚିକିତ୍ସାରେ ପ୍ରାଣୀଧନ ନିରୀକ୍ଷକଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ । ଅସୁସ୍ଥ ଗାଈଙ୍କ ଚିକିତ୍ସା, ଟୀକାକରଣ, ପ୍ରାଣୀଧନ ତଥ୍ୟ ସଂଗ୍ରହ, କ୍ଷୀର ଉତ୍ପାଦନ ରେକର୍ଡ ରଖିବା ଓ ବ୍ରିଡିଂ(ପ୍ରଜନନ) ଆଦି ଅନେକ ଗୁରୁତ୍ୱପୂର୍ଣ୍ଣ କାମ କରିବା ପ୍ରାଣୀଧନ ନିରୀକ୍ଷକଙ୍କ ଦାୟିତ୍ୱ । ହେଲେ ସାରା ରାଜ୍ୟରେ ଏବେ ୪୦ ପ୍ରତିଶତ ଏଲଆଇ ପଦବି ଖାଲିପଡ଼ିଛି ।

ଅଧିକ ପଢ଼ନ୍ତୁ :- AC servicing: ଖରାରେ ଏୟାର କଣ୍ଡିସନର ଖରାପ ହେଲେ ସରିଲା କଥା.. ରାତି ପାହିଲେ ଏସି ମେକାନିକ୍‌ଙ୍ କଲ୍, ଟିକେ ଶୀଘ୍ର ଆସନ୍ତେନି

ବିଶେଷକରି ପଶ୍ଚିମଓଡ଼ିଶାର ନୂଆପଡ଼ା, ବୌଦ୍ଧ, କଳାହାଣ୍ଡି, ବଲାଙ୍ଗିର, ଦକ୍ଷିଣ ଓଡ଼ିଶାର ନବରଙ୍ଗପୁର, ରାୟଗଡ଼ା, ଗଂଜାମ ସହ ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଜିଲ୍ଲାରେ ଆବଶ୍ୟକ ଅନୁସାରେ ଏଲଆଇ ନାହାନ୍ତି । ଏଲଆଇ ନଥିବାରୁ ଗୋପାଳକମାନେ ବାଧ୍ୟ ହୋଇ ଗାଁରେ ବୁଲୁଥିବା କ୍ୱାକ୍ମାନଙ୍କ ଉପରେ ନିର୍ଭର କରୁଛନ୍ତି । ଏବେ ଖରାଦିନ ଥିବାରୁ ଗାଈମାନଙ୍କ ପେଟଜନିତ ସମସ୍ୟା, ହିଟ୍‌ଷ୍ଟ୍ରୋକ, ପାଟିରୁ ଫେଣ ବାହାରିବା ସହ ଅନ୍ୟ ରୋଗ ହୁଏ । ଏଭଳି ସ୍ଥିତିରେ ସେମାନଙ୍କୁ ଚଲେଇ ଚଲେଇ ପ୍ରାଣୀ ଚିକିତ୍ସା ହସ୍ପିଟାଲ ନେବା ଅସମ୍ଭବ । ତେଣୁ ଏଲଆଇମାନେ ଆସି ଘରେ ଗାଈଗୋରୁଙ୍କ ଚିକିତ୍ସା କରନ୍ତି । ମାତ୍ର ଏବେ ଏଲଆଇ ନଥିବାରୁ ଗୋପାଳକମାନେ ଚିନ୍ତାରେ ରହିଛନ୍ତି । ଭୁବନେଶ୍ୱର ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ବାଳକୃଷ୍ଣ ଦ୍ୱିବେଦୀଙ୍କ କହିବା କଥା, ଯେଉଁଠି ଏଲଆଇ ନାହାନ୍ତି, ସେଠି ଆମେ ଅନ୍ୟ ଏଲଆଇଙ୍କୁ ଚାର୍ଜ ଦେଇଛୁ । ଗୋରୁଙ୍କ ଚିକିତ୍ସାରେ କେବେବି ହେଳା ହେବନି ।