ବ୍ରହ୍ମପୁର,୨୫/୦୫: ସକାଳୁ ଗରମ ଗୁଳୁଗୁଳି ଅଥୟ କରୁଛି । ପଙ୍ଖା ପବନ କାମ କରୁନି । ତେବେ ସ୍ୱଚ୍ଛଳ ବର୍ଗଙ୍କ ଘରେ ଗରମ ମୁକାବିଲା ପାଇଁ ରହିଛି ଏୟାର କଣ୍ଡିସନର (ଏସି) । କେବଳ ସ୍ୱଚ୍ଛଳ ବର୍ଗ କାହିଁକି, ଘରେ ବୟସ୍କ ଲୋକ ଥିଲେ ବି ବାଧ୍ୟ ହୋଇ ଏସି ଲଗାଉଛନ୍ତି । ଦିନ ରାତି କଟୁଛି ଏସିରେ । ସେପଟେ ଖରାଦିନେ ଏସି ମରାମତିର ଆବଶ୍ୟକତା ପଡୁଛି । ଏପରି ସ୍ଥିତିରେ ଖୋଜା ପଡ଼ନ୍ତି ଏସି ମେକାନିକ । କିନ୍ତୁ ଏବେ ସେମାନଙ୍କର ବହୁତ ଚାହିଦା । କମ୍ପାନି ପକ୍ଷରୁ ନୂଆ ଇନ୍ଷ୍ଟଲ ହୋଇଯାଉଛି । କିନ୍ତୁ ପୁରୁଣା ଏସି ମରାମତି ପାଇଁ ଏସି ମେକାନିକ୍ଙ୍କ ଫୋନ୍ କରି ଦିନ ଦିନ ଧରି ଅପେକ୍ଷା କରିବାକୁ ହେଉଛି । ସହରରେ ଏସି ସାଙ୍ଗକୁ ମେକାନିକ୍ ସଂଖ୍ୟା ବଢ଼ିଛି । ତଥାପି ପର୍ଯ୍ୟାପ୍ତ ମେକାନିକ୍ ନଥିବାରୁ ସମସ୍ୟା ଦେଖା ଯାଉଥିବା ମେକାନିକ୍ କହିଛନ୍ତି ।
ରାତି ପାହୁ ପାହୁ ମୋକାନିକ୍ଙ୍କ ପାଖକୁ ଆସୁଛି ଏକାଧିକ କଲ୍ । ସମସ୍ତେ କହୁଛନ୍ତି ଟିକେ ଶୀଘ୍ର ଆସନ୍ତୁ । ଗୋଟିଏ ଘର କାମ ସାରି ଅନ୍ୟ ଘରକୁ ଯାଉଛନ୍ତି । ନିଜେ ଖରା ଗରମରେ କାମ କରୁଛନ୍ତି । ମେକାନିକଙ୍କ ହାତ କି ଫୋନ୍କୁ ବିଶ୍ରାମ ନାହିଁ । କଲ୍ ଆସିଲେ ମେକାନିକ୍ ମନା କରୁ ନାହାନ୍ତି । ଆସିବି କହି ସମୟରେ ଆସିପାରନ୍ତିନି ।
ଜଣେ ମେକାନିକ୍ ଟ୍ୱିଙ୍କଲ ଜେନା କହିଛନ୍ତି, ୨୦୧୦ରୁ କାମ କରୁଛି । ବାପା ସହରର ଏକ ଫିଲ୍ମ ହଲରେ ସେଣ୍ଟ୍ରାଲ୍ ଏସି ମେକାନିକ୍ କାମ କରୁଥିଲେ । ତାଙ୍କଠାରୁ ଶିଖି ଏସି ମରାମତି କରୁଛି । ଦୈନିକ ୪ରୁ ୫ଟି ଏସି କାମ ହେଉଛି । ମାର୍ଚ୍ଚ ପହିଲାରୁ ଜୁଲାଇ ଶେଷ ପର୍ଯ୍ୟନ୍ତ ଆମକୁ ବିଶ୍ରାମ ମିଳେନାହିଁ । ଅନ୍ୟ ଦିନରେ ୱାସିଂ ମେସିନ୍, ଟିଭି, ରେଫ୍ରିଜରେଟର ଆଦି ମରାମତି କରୁ ବୋଲି ସେ କହିଛନ୍ତି ।
ଅଧିକ ପଢ଼ନ୍ତୁ :- Heatwave Alert: ଆହୁରି ୪ ଦିନ ଜଳିବ, ପଶ୍ଚିମରେ ନିଆଁ ବର୍ଷା, ଉପକୂଳରେ ଗୁଳୁଗୁଳି, ୨୯ରୁ କାଳବୈଶାଖୀ ବଢ଼ିବ
ମେକାନିକ ଆକାଶ ଦାଶ କୁହନ୍ତି ଖରା ଦିନ ପୂର୍ବରୁ ଏସି ସର୍ଭିସିଂ ଜରୁରୀ । ନିୟମିତ ଡଷ୍ଟ ଫିଲ୍ଟର ସଫା କରନ୍ତୁ । ଶୀତ ଦିନେ ମାସକୁ ଦୁଇ ଥର ମେସିନ୍ ଚଲାନ୍ତୁ । ସମ୍ପୂର୍ଣ୍ଣ ବନ୍ଦ ରଖିବା ସମୟରେ ଆସୁଥିବା ସ୍ୱତନ୍ତ୍ର କଭରରେ ଏହାକୁ ଘୋଡ଼ାଇ ରଖନ୍ତୁ । ଫଳରେ ଆପଣଙ୍କ ଏସି ବହୁତ କମ ଖରାପ ହେବ ଓ ମରାମତି ମାଗିବ ନାହିଁ ।
ମେକାନିକ ଅଶୋକ ଦାଶ କହିଛନ୍ତି, କୋଭିଡ ପରଠୁ ଏସି ମରାମତି କରୁଛି । ଖରାଦିନେ ନୂଆ ଏସି ଫିଟିଂ ସହ ମରାମତି ପାଇଁ ଅଧିକ ମେକାନିକ୍ ଆବଶ୍ୟକ ପଡୁଛି । ନୂଆ ଏସି ଲଗାଇବା ପାଇଁ ଇଲେକ୍ଟ୍ରିକ୍ ବ୍ୟବସ୍ଥା ବି କରିବାକୁ ପଡୁଛି । ନିଜେ ଇଲେକ୍ଟ୍ରି ତାର ଲଗାଉଛୁ । ଉଭୟ କାମ ଏକା ସାଥିରେ ମିଳୁଥିବାରୁ ଗ୍ରାହକ ଖୁସି ହେଉଛନ୍ତି ।