ଚନ୍ଦନେଶ୍ଵର, ୬/୬ : ପଶ୍ଚିମବଙ୍ଗ ଦୀଘା ଜଗନ୍ନାଥ ମନ୍ଦିରକୁ ନେଇ ନୂଆ ବିବାଦ। ନିଯୁକ୍ତିରେ ପାତରଅନ୍ତର ଅଭିଯୋଗ। ସ୍ଥାନୀୟ ଅଞ୍ଚଳର ଶିକ୍ଷିତ ବେକାର ଯୁବକ ଯୁବତୀଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ କରି ସ୍ଥାନୀୟ ଲୋକେ ଆନ୍ଦୋଳନ କରିଛନ୍ତି। ରାମନଗର ବିଧାୟକ ଅଖିଲ ଗିରି ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ସମାଧାନ କରିବାକୁ ପ୍ରତିଶୃତି ଦେଇଛନ୍ତି।
ସୂଚନାନୁଯାୟୀ, ପଶ୍ଚିମବଙ୍ଗ ସରକାର ଦୀଘା ରେଳ ଷ୍ଟେସନ ନିକଟରେ ୨୨ ଏକର ଜାଗାରେ ୨୫୦ କୋଟି ଟଙ୍କା ବ୍ୟୟରେ ଏକ ଭବ୍ୟ ଜଗନ୍ନାଥ ମନ୍ଦିର ତିଆରି କରିଛନ୍ତି। ଗତ ଏପ୍ରିଲ ୨୮ ତାରିଖରେ ଏହାର ଉଦଘାଟନ ହୋଇଥିଲା। ଏହାପରେ ଦୀଘା ଦିଅଁଙ୍କୁ ନେଇ ବିବାଦ ମୁଣ୍ଡ ଟେକିଥିଲା। ଦୀଘାକୁ ଜଗନ୍ନାଥ ଧାମ ଲେଖିବା, ପଥର ମୂର୍ତ୍ତିକୁ ପୂଜାର୍ଚ୍ଚନା କରିବା ଏବଂ ଗ୍ୟାସ ଚୁଲ୍ଲାରେ ପ୍ରସାଦ ରୋଷେଇ କରିବା ଆଦି ଘଟଣା ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ କୁଠାରାଘାତ କରିଥିଲା। ଏବେ ପୁଣି ଦୀଘା ମନ୍ଦିରକୁ ନେଇ ନୂଆ ବିବାଦ ମୁଣ୍ଡ ଟେକିଛି। ମନ୍ଦିରରେ ନିଯୁକ୍ତିକୁ ନେଇ ପାତରଅନ୍ତର କରାଯାଉଥିବା ଅଭିଯୋଗ ଆସିଛି। ସ୍ଥାନୀୟ ଲୋକଙ୍କଠୁ ଜାଗା ନେଇ ସରକାର ମନ୍ଦିର ନିର୍ମାଣ କରିଥିବା ବେଳେ ଏବେ ସେମାନଙ୍କୁ ଅଣଦେଖା କରୁଛନ୍ତି।
ମନ୍ଦିର ଭିତରେ ଏବେ ୧୦୦ ସିକ୍ୟୁରିଟିଙ୍କ ନିଯୁକ୍ତି ପ୍ରକ୍ରିୟା ଚାଲିଛି। ପୂର୍ବ ମେଦିନୀପୁର ଜିଲ୍ଲା ପ୍ରଶାସନ ଏକ ଏନଜିଓକୁ ନିଯୁକ୍ତି ଭାର ଟେକି ଦେଇଛି। ଯାହାଫଳରେ ସ୍ଥାନୀୟ ଯୁବକ ଯୁବତୀଙ୍କୁ ଚାକିରି ମିଳୁନି। ତେଣୁ ସ୍ଥାନୀୟ ଲୋକମାନେ ଆଜି ଆନ୍ଦୋଳନ କରିଛନ୍ତି। ଏନେଇ ଖବର ପାଇବା ପରେ ରାମନଗର ବିଧାୟକ ଅଖିଲ ଗିରି ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ସମାଧାନ କରିବାକୁ ପ୍ରତିଶୃତି ଦେଇଛନ୍ତି। ଏନେଇ ସେ ପୂର୍ବ ମେଦିନୀପୁର ଜିଲ୍ଲାପାଳ, ଏସପି ଏବଂ ଦୀଘା ଶଙ୍କରପୁର ଉନ୍ନୟନ କର୍ତ୍ତୃପକ୍ଷଙ୍କ ସହିତ କଥାବାର୍ତ୍ତା ହୋଇଛନ୍ତି। ନିଯୁକ୍ତି ପ୍ରକ୍ରିୟାକୁ ଏବେ ସ୍ଥଗିତ ରଖାଯାଇଛି। ଆଲୋଚନା ପରେ ନିଯୁକ୍ତି ଦିଆଯିବ ବୋଲି ସୂଚନା ମିଳିଛି।
ଅପରପକ୍ଷରେ ଦୀଘା ଶାଖର ସଭାପତି ଦେବବ୍ରତ ଦସ, ଦୀପେଶ ସାତରାଙ୍କ କହିବା ଅନୁଯାୟୀ, ଏଜେନ୍ସି କମ୍ପାନୀ ସ୍ଥାନୀୟ ଯୁବକଙ୍କୁ ଅଣଦେଖା କରି ବନ୍ଦର ଆସୁଥିବା ଲୋକଙ୍କୁ ଗୁରୁତ୍ବ ଦେଉଛି। ଏଭଳି ହେଲେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର୍ ହେବ।