ଲକ୍ଡାଉନ୍ରେ ଖାଲି ରାସ୍ତା ପାଲଟିଛି ଏଣ୍ଟରଟେନ୍ମେଣ୍ଟ ଜୋନ୍ : ହାତରେ ଖଣ୍ଡେ ଖଣ୍ଡେ ସେଲ୍ଫି ଷ୍ଟିକ୍ ଓ ଡିଏସ୍ଏଲ୍ଆର ଧରି ଚାଲୁଛି ମ୍ୟୁଜିକ୍ ଭିଡିଓ ସୁଟିଂ, ଖୁଲମଖୁଲା ବାଇକ୍ ଷ୍ଟଣ୍ଟ

ଚନ୍ଦ୍ରଶେଖରପୁର ୩୧/୦୫: ଅପରାହ୍ନ ହେବା କ୍ଷଣି ହାତରେ ଖଣ୍ଡେ ଖଣ୍ଡେ ସେଲ୍ଫି ଷ୍ଟିକ୍ ଆଉ ଡିଏସ୍ଏଲ୍ଆର କ୍ୟାମେରା ଧରି ପହଞ୍ଚି ଯାଉଛନ୍ତି । କିଏ ସାଙ୍ଗମାନଙ୍କ ସହ ସେଲ୍ଫି ନେଉଛି ତ କିଏ କ୍ୟାମେରାରେ ମ୍ୟୁଜିକ୍ ଭିଡିଓ ସୁଟିଂ କରୁଛି । ଆଉ କିଛି ଜଣ ବାଇକ୍ରେ ଷ୍ଟଣ୍ଟ କରି ଆତଙ୍କ ଖେଳାଉଛନ୍ତି। ନାଁ ଅଛି ସେମାନଙ୍କୁ କରୋନା କଟକଣା ଭୟ ନାଁ ଅଛି ପୁଲିସର ତାଗିଦ୍ । ଲକଡାଉନ୍ ଭଳି କଡା କଟକଣାରେ ଖୁଲମଖୁଲା ଆଇନ ଉଲ୍ଲଙ୍ଘନ କରୁଛନ୍ତି ଅମାନିଆମାନେ। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ନୀଳାଦ୍ରି ବିହାର ବୁଦ୍ଧ ପାର୍କ ପଛ ପଟେ ଦେଇ ଯାଇଥିବା ଦୁଇ ଶହ ଫୁଟିଆ ରାସ୍ତାରେ । ମଝିରେ ମଝିରେ ପୁଲିସ ଭ୍ୟାନ ଆସୁଛି, ତାଗିଦ୍ କରି ଯାଉଛି । ହେଲେ ପୁଲିସର ତାଗିଦ୍ ସେମାନଙ୍କ ଉପରେ ଟିକେ ବି ପ୍ରଭାବ ପକାଉନାହିଁ ।
କରୋନା ଭୟାବହତାକୁ ଦୃଷ୍ଟିରେ ରଖି ସରକାର ଲକଡାଉନ୍ ସଟଡାଉନ୍ କଟକଣା କରିଛନ୍ତି । ସମସ୍ତଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ହେଲେ ଅପରାହ୍ନ ୪ଟା ହେବା କ୍ଷଣି ଏହି ରାସ୍ତାରେ ଅମାନିଆଙ୍କ ଭିଡ ଜମୁଛି । ମାଳ ମାଳ ଯୁବକ ଯୁବତୀ ଚକ୍କର କାଟୁଛନ୍ତି । ରାସ୍ତା ଉପରେ ମ୍ୟୁଜିକ୍ ଭିଡିଓ ଓ ଫଟୋ ଉଠାଉଛନ୍ତି । ଆଉ କିଛି ଯୁବକ ସ୍ପୋଟ୍ସ ବାଇକରେ ରାସ୍ତା ଉପରେ ବିପଦପୂର୍ଣ୍ଣ ଭାବରେ ଷ୍ଟଣ୍ଟ କରୁଛନ୍ତି । କେବଳ ଯୁବ ଗୋଷ୍ଠୀ ନୁହେଁ ପାଖ କଲୋନୀ ରହୁଥିବାରୁ ସନ୍ଧ୍ୟା ସମୟରେ ବରିଷ୍ଠ ନାଗରିକ ଏବଂ ଛୋଟ ଛୁଆଙ୍କ ଭିଡ ବି ଦେଖବାକୁ ମିଳୁଛି । ସବୁଠୁ ବଡ କଥା ହେଲା ଏହି ସମୟରେ କାହା ମୁହଁରେ ମାସ୍କ ରହୁନି । ସାମଜିକ ଦୂରତା କଥା ନକହିବା ଭଲ । ସମସ୍ତେ ମେଳି ବାନ୍ଧି ଖଟି ଜମାଉଛନ୍ତି । ଏ ଦୃଶ୍ୟକୁ ଦେଖି ସତେ ଯେମିତି ଲାଗୁଛି ଭୁବନେଶ୍ୱର କରୋନା ମୁକ୍ତ ହୋଇଯାଇଛି । ଆଜି ସନ୍ଧ୍ୟାରେ ପୁଲିସ ପାଟ୍ରୋଲିଂ ଭ୍ୟାନ ପହଞ୍ଚି କିଛି ଅମାନିଆଙ୍କୁ ତାଗିଦ୍ କରି ଜରିମାନା ଆଦାୟ କରିଥିଲା । ସେ ରାସ୍ତାରେ ପୁଲିସ ମୁତୟନ କରିବା ଲାଗି ଲୋକେ ଦାବି କରିଛନ୍ତି ।