ଟିଡିପି, ସିପିଆଇ ଓ ଟିଜେଏସର ଘୋଷଣା: ତେଲେଙ୍ଗାନାରେ କଂଗ୍ରେସକୁ କରିବେ ସମର୍ଥନ

ହାଇଦ୍ରାବାଦ,୨୬।୩:ଟିଡିପି, ସିଆଇ ଓ ଟିଜେଏସ୍ ତେଲେଙ୍ଗାନାରେ ଲୋକସଭା ନିର୍ବାଚନରେ କଂଗ୍ରେସକୁ ସମର୍ଥନ କରିବେ ବୋଲି ଆଜି ଘୋଷଣା କରିଛନ୍ତି। ଏହାଦ୍ବାରା ରାହୁଲ ଗାନ୍ଧିଙ୍କ କଂଗ୍ରେସକୁ ତେଲେଙ୍ଗାନା ରାଷ୍ଟ୍ର ସମିତି(ଟିଆରଏସ୍) ସହିତ ମୁକାବିଲ କରିବା ପାଇଁ ଆଉ କିଛି ଅଧିକ ଶକ୍ତି ମିଳିଯାଇଛି। ଏହି ଦଳ ଗୁଡିକ ଗତ ବର୍ଷ ଡିସେମ୍ବରେ ବିଧାନସଭା ନିର୍ବାଚନ ବେଳେ କଂଗ୍ରେସର ମୋର୍ଚ୍ଚା ‘ପ୍ରାଜକୁଟୁମ୍ବୀ’ର ଅଂଶ ଥିଲେ। କିନ୍ତୁ ଏହା ଭିତରେ ୧୧ ଅପ୍ରେଲ ଲୋକସଭା ନିର୍ବାଚନ ପାଇଁ କୌଣସି ଔପଚାରିକ ମେଣ୍ଟ ହୋଇନଥିଲା। କଂଗ୍ରେସ ଏବେ ରାଜ୍ୟର ସମସ୍ତ ୧୭ଟି ଆସନରେ ନିର୍ବାଚନ ଲଢୁଛି।
ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ତେଲେଙ୍ଗାନାରେ ନିର୍ବାଚନ ନଲଢିବାର ନିଷ୍ପତ୍ତି ନେଇଛି। ଟିଡିପି ମୁଖପାତ୍ର ନେଲ୍ଲୋର ଦୁର୍ଗା ପ୍ରସାଦ କହିଛନ୍ତି ‘ଆମେ ଟିଆରଏସ୍ ଓ ବିଜେପି ବିରୋଧରେ ରହିଛୁ।’ ପ୍ରସାଦ ଦଳ ପକ୍ଷରୁ କଂଗ୍ରେସକୁ ସମର୍ଥନ କରିବା ନେଇ ସଙ୍କେତ ଦେଇ କହିଛନ୍ତି ଟିଡିପି ସଂସଦୀୟ କ୍ଷେତ୍ରରେ ଟିଆରଏସ୍ ଓ ବିଜେପି ବିରୋଧରେ ଲଢୁଥିବା କୌଣସି ପ୍ରମୁଖ ଦଳକୁ ସମର୍ଥନ କରିବ।
ତେଲେଙ୍ଗାନା ଜନ ସମିତି(ଟିଜେଏସ୍) ଅଧ୍ୟକ୍ଷ ଏମ କୋଦନଦରମ କହିଛନ୍ତି ତାଙ୍କ ଦଳ ୩ଟି ପ୍ରମୁଖ କ୍ଷେତ୍ର ମେହବୁବାବାଦ, ଖମ୍ମମ ଓ ହାଇଦ୍ରାବାଦରେ ପ୍ରାର୍ଥୀଙ୍କୁ ଆଣିବ ଓ ବାକି ୧୪ଟି ଆସନରେ କଂଗ୍ରେସ ପ୍ରାର୍ଥୀଙ୍କୁ ସମର୍ଥନ କରିବ। ସିପିଆଇ ଓ ମାକପା ୪ଟି ଆସନକୁ ନେଇ ଆସନ ବଣ୍ଟନ ବୁଝାମଣା କରିଛି। ସେ ଅନୁସାରେ ସିପିଆଇ ମେହବୁବାବାଦ ଓ ଭାଙ୍ଗିର ତଥା ମାକପା ଖମ୍ମମ ଓ ନଲଗୋଡାରୁ ନିର୍ବାଚନ ଲଢିବ।