ଭୁବନେଶ୍ୱର,୧୭/୧୦: ଅଲୋକ ଭୋଳ ଓରଫ  ଟୁଙ୍ଗୁରୁ(୨୪) ପୁଣି ଗିରଫ ହୋଇଛନ୍ତି । ଏକ ଚୋରି ମାମଲାରେ  ଭରତପୁର ଥାନା ପୁଲିସ ଟୁଙ୍ଗୁରୁଙ୍କୁ ଗିରଫ କରିଛି । ତାଙ୍କ ଠାରୁ  ଏକ ୱେଲ୍ଡିଂ ମେସିନ, ହ୍ୟାଣ୍ଡ୍‌ କଟର ଓ କିଛି ତମ୍ବା ତାର ଜବତ  ହୋଇଛି । ଟୁଙ୍ଗୁରୁଙ୍କ ଘର ଗଞ୍ଜାମ ଟିକିରି । ସେ ଭରତପୁର  ଥାନା ଅନ୍ତର୍ଗତ ପାତ୍ରପଡ଼ା ଫୁଲେଶ୍ୱରୀ ବସ୍ତିରେ ରହୁଥିଲେ । 

ପୁଲିସ ସୂଚନା ଅନୁଯାୟୀ, ଗତ ଏପ୍ରିଲ ୧୧ ତାରିଖରେ  ଭରତପୁର ଥାନା ଅନ୍ତର୍ଗତ ଶ୍ରୀକ୍ଷେତ୍ର ବିହାରସ୍ଥିତ ଏକ  ଗ୍ୟାରେଜ୍‌ରୁ ୱେଲ୍ଡିଂ ମେସିନ, ହ୍ୟାଣ୍ଡ୍‌ କଟର ଓ କିଛି ତମ୍ବା ତାର  ଚୋରି ହୋଇଥିଲା । ଚୋରି ସମୟର ଦୃଶ୍ୟ ଉକ୍ତ ଗ୍ୟାରେଜରେ  ଲାଗିଥିବା ସିସି କ୍ୟାମେରାରେ ଉତ୍ତୋଳିତ ହୋଇଥିଲା । ଗ୍ୟାରେଜ  ମାଲିକ ମଣ୍ଟୁ ପ୍ରଧାନ ଏହା ଜାଣିବା ପରେ ଏନେଇ ଭରତପୁର  ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଏକ ମାମଲା ରୁଜୁକରି  ତଦନ୍ତ ଚଳାଇଥିଲା । ଆଜି ସକାଳେ ପୁଲିସ ଆଇଗିଣିଆ ଅଞ୍ଚଳରୁ  ଟୁଙ୍ଗୁରୁଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ଚୋରି ସାମଗ୍ରୀ ଜବତ  କରିଥିଲା । ପୁଲିସ ତଦନ୍ତରୁ ଟୁଙ୍ଗୁରୁଙ୍କ ନାମରେ ପୂର୍ବରୁ ଭରତପୁର,  ଚନ୍ଦକା ଓ ଘଟଗାଁ ଥାନାରେ ୪ଟି ମାମଲା ଥିବା ଜଣା ପଡ଼ିଥିଲା । 

ସୂଚନା ଥାଉକି, ବର୍ଷା ନାମକ ଜଣେ ମହିଳାଙ୍କ ସହ  ପ୍ରେମ ସଂପର୍କକୁ ନେଇ ୨ବର୍ଷ ତଳେ ଅଟୋ ଚାଳକ ଟୁଙ୍ଗୁରୁ  ଭୋଳ ସାରା ରାଜ୍ୟରେ ଚର୍ଚ୍ଚାରେ ଥିଲେ । ଟୁଙ୍ଗୁରୁ ଓ ବର୍ଷାଙ୍କ  ପ୍ରେମ କାହାଣୀକୁ ନେଇ କେତେକ ପ୍ରଯୋଜକ ଆଲ୍‌ବମ ମଧ୍ୟ  ନିର୍ମାଣ କରିଥିଲେ । ପରେ ଉଭୟଙ୍କ ପ୍ରେମରେ ଭଟ୍ଟା ପଡ଼ିଥିଲା ।  ଏହାପରେ ଟୁଙ୍ଗୁରୁ ଚୋରି ମାମଲାରେ ଚନ୍ଦକା ଓ ଭରତପୁର  ଥାନାରେ ଗିରଫ ହୋଇ ଜେଲ୍‌ ଯାଇଥିଲେ । ଜାମିନରେ  ଆସି ସେ ପୁଣି ଚୋରି କରିବା ଆରମ୍ଭ କରି ଦେଇଥିଲେ ।