କୁଚିଣ୍ଡା,୧୨।୧୦ : କୁଚିଣ୍ଡା ଉପଖଣ୍ଡ ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅନ୍ତର୍ଗତ ସଗରା ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ସଶସ୍ତ୍ର ଡକାୟତି ହୋଇଛି। ସ୍ବାମୀ- ସ୍ତ୍ରୀଙ୍କୁ ଘରେ ବାନ୍ଧି ଲକ୍ଷାଧିକ ଟଙ୍କାର ସୁନାଗହଣା  ଓ ଟଙ୍କା ଲୁଟି ନେଇଛନ୍ତି।  ଲୁଟର ଶିକାର ହୋଇଛନ୍ତି ସଗରା ଗ୍ରାମର  ଭୁବନେଶ୍ବର ନାୟକ ।

ଶନିବାର ରାତି ପ୍ରାୟ ଦୁଇଟା ସମୟରେ ଗ୍ରାମର ଭୁବନେଶ୍ୱର ନାଏକଙ୍କ ଘରେ ଚାରିଜଣ ମୁଖାପିନ୍ଧା ଡକାୟତ ପଶିଥିଲେ। ଶ୍ରୀ ନାଏକ ସପତ୍ନି ଘରେ ଉପସ୍ଥିତି ଥିବା ବେଳେ ଡକାୟତମାନେ ପ୍ରଥମେ ଭୁଜାଲି ଦେଖାଇ ଭୟଭୀତ କରି ଉଭୟ ସ୍ଵାମୀ ସ୍ତ୍ରୀଙ୍କୁ ଚାଦର ଚିରି ବାନ୍ଧି ଦେବାସହ ଶୋଇବା କୋଠରୀରେ ବନ୍ଦ କରି ଦେଇଥିଲେ।

ପରେ ଘରର ୬ ଟି କୋଠରୀରେ ଥିବା ଆଲମିରା, ପଲଙ୍କ ଓ ବାକ୍ସ ଭାଙ୍ଗି ୧୦ ଭରି ସୁନାଗହଣା ସହ ନଗଦ ୪୦ ହଜାର ଟଙ୍କା ଲୁଟି ନେଇ ଭୋର ଚାରିଟା ସମୟରେ ଫେରାଇ ହୋଇଯାଇଥିଲେ। ଉଭୟ ସ୍ଵାମୀ ସ୍ତ୍ରୀ ବନ୍ଦ କୋଠରୀରେ ଅଣନିଶ୍ୱଶି ହେବା ସତ୍ତ୍ୱେ କବାଟ ଭାଙ୍ଗି ବାହାରକୁ ଆସିଥିଲେ। ଖବର ପାଇ ଗୋବିନ୍ଦପୁର ଥାନାଧିକାରୀ ରାଜେନ୍ଦ୍ର ବେହେରା ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଜାରୀ ରଖିଛନ୍ତି।