ସୋର, ୦୭/୦୭: ଗ୍ୟାସ୍ କଟରରେ ଏଟିଏମ୍‌ କାଟି ଲୁଟିନେଲେ ଟଙ୍କା । ବାଲେଶ୍ୱର ଜିଲ୍ଲା ସୋର ଥାନା ବାଗୁଡ଼ି ଯୋଡ଼ାମ୍ବ ଛକରେ ଥିବା ଏସବିଆଇ ଏଟିଏମରୁ ଲୁଟ୍‌ ହୋଇଛି । ତେବେ ଏଟିଏମ୍‌ରେ କେତେ ଟଙ୍କା ଥିଲା ତାହା ଜଣାପଡ଼ିନାହିଁ । ସୋର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

ସୂଚନା ମୁତାବକ, ରବିବାର ବିଳମ୍ୱିତ ରାତିରେ ବାଲେଶ୍ୱର ଜିଲ୍ଲା ସୋର ଥାନା ବାଗୁଡ଼ି ଯୋଡ଼ାମ୍ବ ଛକରେ ଥିବା ଏସବିଆଇ ଏଟିଏମରୁ ଲୁଟ୍‌ ହୋଇଛି । ଲୁଟେରାମାନେ ସିସିଟିଭି କ୍ୟାମେରାରେ କଳା ରଙ୍ଗ ସ୍ପ୍ରେ କରି ଏଟିଏମ୍‌ ସଟର ତାଲା କାଟି ଭିତରକୁ ପଶିଥିଲେ । ପରେ ଗ୍ୟାସ କଟରରେ ଏଟିଏମ୍‌ କାଟି ଟଙ୍କା ଲୁଟ୍‌ କରିଥିଲେ । ତେବେ ଏସମ୍ପର୍କରେ ଘର ମାଲିକଙ୍କୁ ତାଙ୍କ ଅଫିସରୁ କିଛି ଲୋକ ଫୋନ ଜଣାଇଥିଲେ । ଏବିଷୟରେ ଜାଣି କିଛି ଲୋକଙ୍କୁ ଡାକି ଘର ବାହାରକୁ ଆସିବା ବେଳକୁ ଲୁଟେରା ମାନେ ପୁଣି ସଟର ଟାଣି ଫେରାର ହୋଇଯାଇଥିଲେ । ତେବେ ଏହି ଏଟିଏମ୍‌ରେ ଗତ ଶନିବାର ଦିନ ଟଙ୍କା ଭର୍ତ୍ତି ହୋଇଥିବା ବେଳେ ଏଟିଏମ୍‌ରେ କେତେ ଟଙ୍କା ଥିଲା ତାହା ଜଣାପଡ଼ିନାହିଁ । ଘଟଣା ସମ୍ପର୍କରେ ଖବର ପାଇ ସୋର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।