ନୟାଗଡ,୨୬/୦୯: ନୟାଗଡ ଟାଉନ୍‌ ଥାନା ନବଘନପୁରରୁ ସିରିଜ୍ ଚୋରି ହୋଇଛି । ବିଳମ୍ବିତ ରାତିରେ ଦୁଇଟି ଘରୁ ଲକ୍ଷାଧିକ ନଗଦ ଟଙ୍କା ସହ ବହୁ ସୁନାଗହଣା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଆଉ ଦୁଇଟି ଘରୁ ଚୋରି ଉଦ୍ୟମ ବେଳେ ଲୋକ ଉଠିପଡିବାରୁ ଚୋର ପଳାଇଯାଇଥିବା ଅନୁମାନ କରାଯାଉଛି ।

ସୂଚନା ମୁତାବକ, ଗୁରୁବାର ରାତିରେ ଗାଁର ପାଣୁଚରଣ ପାଳଙ୍କ ଝରକା ଗ୍ରିଲ୍ ତାଡ଼ି ଘରେ ପଶିଥିଲେ ଦୁର୍ବୃତ୍ତ ।  ୭୦ଗ୍ରାମରୁ ଅଧିକ ସୁନା ଅଳଙ୍କାର ସହ ରୁପା ଗହଣା ଏବଂ ୫୫ହଜାର ଟଙ୍କା ଲୁଟ୍ କରିଛନ୍ତି । ପାଣୁଙ୍କ ପରିବାର ଲୋକେ ଦୁଇଟି ବଖରାରେ ଶୋଇଥିବା ବେଳେ ଠାକୁର ଘରେ ପଶି ଦୁର୍ବୃତ୍ତମାନେ ଏହି ଚୋରି କରିଥିଲେ ।

ସେହିପରି ଗାଁର ଅନ୍ୟ ଏକ ସାହିରେ ରହୁଥିବା ପାଣୁଙ୍କ ସମ୍ପର୍କୀୟ ଭାଇ ଅକୃର ପାଳଙ୍କ ଘରୁ ଚୋରମାନେ ୬୨ହଜାର ଟଙ୍କା ସହ ୪୦ଗ୍ରାମରୁ ଅଧିକ ସୁନାଗହଣା ଲୁଟ୍ କରିନେଇଛନ୍ତି । ଦୁଇଟି ଘରୁ ସମାନ ଉପାୟରେ ଝରକା ଗ୍ରିଲ୍ ତାଡି ଚୋରି ହୋଇଛି । ଅକୃରଙ୍କ ଘରେ ମଧ୍ୟ ପରିବାର ଲୋକେ ଦୁଇଟି ବଖରାରେ ଶୋଇଥିବାବେଳେ ଠାକୁର ଘର ଝରକା ଗ୍ରିଲ୍ ତାଡି ଚୋର ଲୁଟ୍ କରିଥିଲେ । ଏସମ୍ପର୍କରେ ଖବର ପାଇ ଟାଉନ ଥାନା ଆଇଆଇସିଙ୍କ ଅନ୍ୟ ପୁଲିସ ଅଧିକାରୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚି  ତଦନ୍ତ କରିଛନ୍ତି । ଏହା ସହିତ ସାଇଣ୍ଟିଫିକ ଟିମ୍ ଏବଂ ଡଗ୍ ସ୍କ୍ୱାଡ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଗତ ଜୁନ୍ ମାସ ୩୦ତାରିଖରେ ନବଘନପୁର ଗାଁରେ ବଡଧରଣର ଚୋରି ହୋଇଥିବାବେଳେ ପୁଲିସ ଏପର୍ଯ୍ୟନ୍ତ ଚୋରଙ୍କୁ ଧରିପାରିନାହିଁ ।