ସାଲେପୁର, ୧୮/୧୧ : ଥାନାରୁ ଦୁର୍ଘଟଣାଗ୍ରସ୍ତ ଗାଡି ଚୋରି। କଟକ ଜିଲ୍ଲା ଜଗତପୁର ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି। ଥାନା ପରିସରରୁ ଗାଡି ଚୋରିକରି ନେଇ ଜଣେ ଦୁର୍ବୃତ୍ତ ମଦ୍ୟପାନ କରି ରାସ୍ତା କଡ଼ରେ ପଡ଼ିଥିବା ବେଳେ ଗାଡି ମାଲିକ ଚିହ୍ନଟ କରିଛନ୍ତି।
ସୂଚନାନୁଯାୟୀ, ଜଗତପୁର ଥାନା କଟକ ଚାନ୍ଦବାଲି ରାସ୍ତାର ପଦ୍ମପୁର ଠାରେ ଏକ ଟ୍ରକ୍ ସହ ସ୍କୁଟି ଧକ୍କା ହୋଇଥିଲା। ଘଟଣାରେ ଜଗତପୁର ଥାନା ମୁତାରିଫା ଗାଁର ସାଉରୀ ଗୋଛାୟତ ଓ ଦେବେନ୍ଦ୍ର ଗୋଛାୟତ ଏବେ ଚିକିତ୍ସାଧୀନ ଅଛନ୍ତି। ଦୁର୍ଘଟଣାଗ୍ରସ୍ତ ସ୍କୁଟିଟିକୁ ଜଗତପୁର ପୋଲିସ ଜବତକରି ଥାନା ପରିସରରେ ରଖିଥିଲା। ହେଲେ କେହି ଦୁର୍ବୃତ୍ତ ଗାଡିଟିକୁ ଥାନାରୁ କୌଶଳକ୍ରମେ ଚୋରିକରି ପଦ୍ମପୁର ବଜାର ନିକଟରେ ରାସ୍ତା ପାର୍ଶ୍ୱରେ ରଖି ମଦ୍ୟପାନ କରି ପଡିଥିବାବେଳେ ଗାଡିଟିକୁ ପରିବାର ଲୋକେ ଦେଖି ଚିହ୍ନଟ କରିଥିଲେ। ଏନେଇ ପରିବାର ଲୋକେ ଜଗତପୁର ଥାନାକୁ ଜଣାଇଥିଲେ। ଜଗତପୁର ଥାନା ଘଟଣାସ୍ଥଳରେ ପହଞ୍ଚି ଗାଡି ଜବତ କରିଛି। ତେବେ ଥାନା ପରିସରରୁ ଗାଡି କିଭଳି ଭାବେ ଚୋରି ହେଲା ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।