କୋଲକାତା,୦୨/୦୬: କୋଲକାତା ଇସ୍କନ୍‌ର ପ୍ରସିଦ୍ଧ ଜଗନ୍ନାଥ ରଥଯାତ୍ରାରେ ରଥର ଚକାକୁ ଦୀର୍ଘ  ୪୮ ବର୍ଷ ପରେ ବଦଳା ଯାଇଛି । ଏଥର ରଥରେ  ସୁଖୋଇ ବିମାନର ଟାୟାର ଲଗାଯାଉଛି । ରୁଷୀ  ଯୁଦ୍ଧ ବିମାନ ସୁଖୋଇର ଉଡ଼ାଣ ବେଗ ଘଣ୍ଟା ପିଛା  ୨୮୦ କିଲୋମିଟର ହୋଇଥାଏ । ତେବେ ରଥ ଘଣ୍ଟା  ପିଛା ୧.୪ କିଲୋମିଟର ଗତିରେ ଚାଲିବ ।

ଇସ୍କନ୍‌  କୋଲକାତା ପକ୍ଷରୁ କୁହାଯାଇଛି ଯେ ଅନେକ ବର୍ଷ  ଧରି ରଥକୁ ଚଳାଇବାରେ ସମସ୍ୟା ହେଉଥିଲା ।  ଆୟୋଜକ ୧୫ ବର୍ଷ ହେଲା ନୂଆ ଟାୟାର  ସନ୍ଧାନରେ ରହିଥିଲେ । ବୋଇଙ୍ଗ୍‌ ବିମାନର ପୁରୁଣା  ଟାୟାର ବ୍ୟବହାର କରାଯାଉଥିଲା । କିନ୍ତୁ ଏବେ  ଏହା ବଜାରରେ ମିଳିବା କଷ୍ଟକର ହୋଇପଡ଼ିଛି । ଏହାପରେ ଆୟୋଜକମାନେ ସୁଖୋଇ ବିମାନର  ଟାୟାରକୁ ରଥରେ ଲଗାଇବାକୁ ନିଷ୍ପତ୍ତି ନେଇଥିଲେ । କାରଣ ଏହାର ବ୍ୟାସ ବୋଇଙ୍ଗ୍‌ ଟାୟାର ସହ ମେଳ  ଖାଉଛି । ଇସ୍କନ୍‌ ମ୍ୟାନେଜମେଣ୍ଟ ସମ୍ପୃକ୍ତ କମ୍ପାନିଠାରୁ  ସୁଖୋଇର ୪ଟି ଟାୟାର କ୍ରୟ କରିଛି । ଗୋଟିଏ  ଟାୟାରର ଓଜନ ୧୧୦ କିଲୋଗ୍ରାମ ଓ ବ୍ୟାସ ୪  ଫୁଟ । ଏବେ ସେଗୁଡ଼ିକୁ ରଥରେ ଲଗାଯାଉଛି ।  ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ପ୍ରତିବର୍ଷ ଆଷାଢ଼ ମାସ  ଶୁଳ୍କ ପକ୍ଷ ଦ୍ୱିତୀୟା ତିଥିରେ ଆରମ୍ଭ ହୋଇଥାଏ ।  ଏଥର ରଥଯାତ୍ରା ଜୁନ୍‌ ୨୭ରେ ଆରମ୍ଭ ହେବ । ଏହା  ୮ ଦିନ ଧରି ଚାଲି ଜୁଲାଇ ୫ରେ ଶେଷ ହେବ ।