ନୂଆଦିଲ୍ଲୀ,୨୩/୦୫: ଆମେରିକାର ଜଣେ ବ୍ୟକ୍ତିଙ୍କ ଉପରେ ନିକଟରେ ଭାଗ୍ୟଦେବୀ ପ୍ରସନ୍ନ ହୋଇଛନ୍ତି । ଏକ ପୁରୁଣା ପ୍ୟାଣ୍ଟ ପକେଟ୍ରୁ ସେ ଗତମାସରେ ଏକ ଲଟେରୀ ଟିକଟ ପାଇଥିଲେ । ତାକୁ ଯାଞ୍ଚ କରିବା ପରେ ସେହି ଟିକଟ ଯୋଗୁ ସେ ଭାରତୀୟ ମୁଦ୍ରାରେ ପ୍ରାୟ ୫୭ କୋଟି ଜିତିଛନ୍ତି । ରିପୋର୍ଟ ଅନୁସାରେ, ନ୍ୟୁଜର୍ସିର ବାସିନ୍ଦା ବ୍ୟକ୍ତିଜଣକ ଗତବର୍ଷ ଏକ ପେଟ୍ରୋଲ ପମ୍ପରୁ ସେହି ଲଟେରୀ ଟିକଟ କିଣିଥିଲେ । ସେହି ପେଟ୍ରୋଲ ପମ୍ପକୁ ସେ ନିୟମିତ ତେଲ ପକାଇବାକୁ ଯାଉଥିଲେ । ପରେ ତାଙ୍କର ସେହି ଲଟେରୀ ଟିକଟଟି ହଜିଯାଇଥିଲା । ସେ ମଧ୍ୟ ସେଥିପ୍ରତି ଏତେ ଧ୍ୟାନ ଦେଇନଥିଲେ ।
ଆହୁରି ପଢନ୍ତୁ- ଦୁର୍ଘଟଣାରେ ଗୋଡ଼ ହରାଇଥିଲେ, ହାତରେ ଚାଲି ଏଭରେଷ୍ଟ ଦଖଲ କଲେ ରୁଷ୍ ପର୍ବତାରୋହୀ
ଗତମାସରେ ଲଟେରୀର ସମୟ ସୀମା ଶେଷ ହେବା ପୂର୍ବରୁ ଅଧିକାରୀମାନେ ଘୋଷଣା କରିଥିଲେ ଯେ, ଅଦ୍ୟାବଧି କେହି ପୁରସ୍କାର ରାଶି ନେଇନାହାନ୍ତି । ତାର ବୈଧତା ଖୁବ୍ ଶୀଘ୍ର ସମାପ୍ତ ହେବାକୁ ଯାଉଛି । ସେ ଯେଉଁ ପେଟ୍ରୋଲ ପମ୍ପରେ ତେଲ ପକାନ୍ତି ସେଇଠୁ ବିଜୟୀ ଟିକଟଟି କିଣାଯାଇଥିବା ସେମାନେ ସୂଚନା ଦେଇଥିଲେ । ଏହାପରେ ସୌଭାଗ୍ୟବଶତଃ ଆଲମିରାରେ ରଖିଥିବା ପୁରୁଣା ପ୍ୟାଣ୍ଟ ପକେଟ୍ରୁ ବ୍ୟକ୍ତିଙ୍କୁ ସେହି ଟିକଟଟି ମିଳିଥିଲା । ତାହା ଏବେ ତାଙ୍କର ଭାଗ୍ୟ ବଦଳାଇ ଦେଇଛି । ତାକୁ ଦେଖାଇ ସେ ଲଟେରୀ ଅଧିକାରୀଙ୍କ ନିକଟରୁ ୫୭.୧୧ କୋଟିର ପୁରସ୍କାର ପାଇବାରେ ସଫଳ ହୋଇଛନ୍ତି ।