• ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ
  • ଡିଜିଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ
  • ଏଭଳି ଭିଡ଼ ହତ୍ୟା ଘଟଣାର ପୁନରାବୃତ୍ତି ନ ହୁଏ, ସେଥିପ୍ରତି ସତର୍କ ରହିବାକୁ ପରାମର୍ଶ
  • ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୁକ୍ରବାର ଯିବେ ବାଲିଅନ୍ତା

ଭୁବନେଶ୍ୱର,୭।୫ : ଭୁବନେଶ୍ୱରର ବାଲିଅନ୍ତା ଅଞ୍ଚଳରେ ଜଣେ ଯୁବକଙ୍କୁ ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏହି ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ପୋଲିସ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆଙ୍କ ସହିତ କଥା ହୋଇଛନ୍ତି। ଘଟଣାର ପୁଙ୍ଖାନୁପୁଙ୍ଖ ଯାଞ୍ଚ୍ କରିବା ସହିତ ଦୋଷୀମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଏଭଳି ଭିଡ଼ ହତ୍ୟା ଘଟଣାର ଯେପରି ପୁନରାବୃତ୍ତି ନହୁଏ, ସେଥିପ୍ରତି ପୋଲିସ ପ୍ରଶାସନ ଓ ପୋଲିସ ବାହିନୀ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ରାଜ୍ୟରେ ଆଇନର ଶାସନ ପ୍ରତିଷ୍ଠା କରିବା ପାଇଁ ପୋଲିସ କଠୋରରୁ କଠୋରତମ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତିଙ୍କ ସହିତ ମଧ୍ୟ ଆଲୋଚନା କରିଛନ୍ତି। ଘଟଣାର ସମସ୍ତ ଦିଗ ପ୍ରତି ସଚେତନ ରହି ପ୍ରକୃତ ସତ୍ୟ ଖୋଜି ବାହାର କରିବା ପାଇଁ କହିଛନ୍ତି। ଏହି ଘଟଣାରେ ଯେଉଁ ମହିଳାମାନଙ୍କ ସହିତ ଦୁର୍ବ୍ୟବହାର ହୋଇଥିବାର ଅଭିଯୋଗ ହୋଇଛି, ସେମାନଙ୍କ ସହିତ ଆଲୋଚନା କରିବାକୁ ଅଧ୍ୟକ୍ଷା ଶ୍ରୀମତୀ ମହାନ୍ତି ଶୁକ୍ରବାର ବାଲିଅନ୍ତା ଯିବେ ବୋଲି ଜଣା ଯାଇଛି।

ସୂଚନାଯୋଗ୍ୟ ଯେ, ଏହି ଘଟଣାରେ ପୋଲିସ ବର୍ତ୍ତମାନ ସୁଦ୍ଧା ୪ ଜଣଙ୍କୁ ଗିରଫ କରିବା ସହିତ ତା’ର ଅନୁସନ୍ଧାନ ଜାରି ରଖିଛି ।

ଆହୁରି ପଢନ୍ତୁ : ଯୁବକଙ୍କୁ ପିଟି ପିଟି ମାରିଦେବା ଘଟଣା : ୪ ଗିରଫ, ବାଲିଅନ୍ତା ଥାନାରେ ଉତ୍ତେଜନା