କଟକ,୨୭/୦୫: ଦିନ କେଇଟା ପରେ ବର୍ଷା ପ୍ରଭାବ ଆରମ୍ଭ ହୋଇଯିବ । ଦିନକୁ ଦିନ ବର୍ଷା ମାତ୍ରା ବୃଦ୍ଧି ପାଇବ । ଏମିତିକି  ଲଘୁଚାପ ପାଇଁ ପାଖାପାଖି ୭ଦିନ ପର୍ଯ୍ୟନ୍ତ ବର୍ଷା ଛେଚିବ । ଏନେଇ  କଟକକୁ ପାଣିପାଗ ବିଭାଗ ପୂର୍ବରୁ ସତର୍କ କରାଇସାରିଲାଣି । କିନ୍ତୁ  ଆଶ୍ଚର୍ଯ୍ୟର କଥା ହେଉଛି ଯେ, ବର୍ଷା ମୁକାବିଲା ନେଇ କଟକ  ମହାନଗର ନିଗମ(ସିଏମ୍‌ସି)ର ପ୍ରସ୍ତୁତି ସମ୍ପୂର୍ଣ୍ଣ ଶୂନ । ଏମିତିକି  ପାଖାପାଖି ୨ମାସ ହେବ ପଙ୍କୋଦ୍ଧାର ସାରିବାକୁ ପ୍ରଶାସନିକ ସ୍ତରରେ  ଅନେକ ଆଲୋଚନା କରାଯାଇଥିଲେ ବି ଠିକା ସଂସ୍ଥାକୁ ଦାୟିତ୍ୱ  ଦେଇ ପୁଣି ଚୁପ୍‌ ରହିଗଲେ କର୍ତ୍ତୃପକ୍ଷ । ପରିଣାମ ସ୍ୱରୂପ ସହରରେ  ପଙ୍କୋଦ୍ଧାର କାର୍ଯ୍ୟ ଶେଷ ହୋଇ ନ ଥିବା ଏଥର ମଧ୍ୟ ଲଘୁଚାପ  ବର୍ଷାରେ ସହରରେ ଜଳବନ୍ଦୀ ସୃଷ୍ଟି ହେବା ନେଇ ଆଶଙ୍କା ଉପୁଜିଛି ।  

ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ  ଲଘୁଚାପ ସୃଷ୍ଟି ହୋଇଛି । ଏହା ପ୍ରଭାବରେ ରାଜ୍ୟରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ  ପୂର୍ବାନୁମାନ କରିଛି । କିଛି ସ୍ଥାନରେ ଭାରି ବର୍ଷା ହୋଇପାରେ ।  ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ପାଣିପାଗ  ବିଭାଗ ଏହାକୁ ନେଇ ସତର୍କ କରାଇଛି । ଏହାର ପ୍ରଭାବରେ ବର୍ଷା ଆରମ୍ଭ ହୋଇଯିବା ନେଇ ସମ୍ଭାବନା ଦେଖାଦେଇଛି । ଏଥିରେ  କଟକକୁ ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ  ଦେଇଛନ୍ତି । 

ଏହି କ୍ରମରେ ୨୩ ତାରିଖରେ ସିଏମ୍‌ସି କାଉନ୍‌ସିଲ୍‌  ବୈଠକରେ ବର୍ଷା ମୁକାବିଲା ପାଇଁ ଆଲୋଚନା ହୋଇଥିଲା । ଏଥିରେ  ପଙ୍କୋଦ୍ଧାର କରାଯାଇ ନ ଥିବା ନେଇ ସବୁ କର୍ପୋରେଟର୍‌ ଅସନ୍ତୋଷ  ଝାଡ଼ିଥିଲେ । ଏମିତିକି ସମସ୍ତଙ୍କ ଛୁଟି ବାତିଲ କରାଯାଇ ଆଜି ଏକ  ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଡାକିଥିଲେ ମେୟର ସୁବାସ ସିଂହ ।  କିନ୍ତୁ ବର୍ଷା ନ ହେବା ଆଳରେ କାହାରି ଦେଖା ନ ମିଳିବାରୁ ଆଜି  ବୈଠକ ବାତିଲ୍‌ କରାଯାଇଥିଲା । ଏଭଳି ସ୍ଥିତିରେ ଆଜି ପର୍ଯ୍ୟନ୍ତ  ତଳିଆ ଅଞ୍ଚଳରେ ପମ୍ପ୍‌ସେଟ୍‌ ଲାଗି ପାରିନାହିଁ । ସବୁଠୁ ବଡ଼ କଥା  ହେଉଛି ଯେ, ପ୍ରତିବର୍ଷ ଭଳି ଏଥର ମଧ୍ୟ ସିଏମ୍‌ସି ଛୋଟ ଓ ଶାଖା  ଡ୍ରେନ୍‌ରୁ ପଙ୍କୋଦ୍ଧାର କରିବାରେ ଫେଲ୍‌ ମାରିଛି । ସମାନ ଢଙ୍ଗରେ  ଠିକା ସଂସ୍ଥା ଉପରେ ଦାୟିତ୍ୱ ନିୟୋଜିତ କରି କାମ ସାରିଦେଇଥିଲେ ।  

ଏମିତିକି ଏପ୍ରିଲ୍‌ ମାସ ସୁଦ୍ଧା ପଙ୍କୋଦ୍ଧାର ରିପୋର୍ଟ ନ ଦେଲେ  ଦରମା ବନ୍ଦ ଭଳି ନିର୍ଦ୍ଦେଶ ଦେଇଥିଲେ କମିସନର ଅନାମ ଚରଣ  ପାତ୍ର । କିନ୍ତୁ ପରବର୍ତ୍ତୀ ସମୟରେ ସବୁକିଛି ଭୁଲିଗଲେ । ଫଳରେ  ଏବେ ଗଙ୍ଗା ମନ୍ଦିର, କାଜିବଜାର, ହରିପୁର ଆଦି ସ୍ଥାନରେ ମୁଖ୍ୟ  ଡ୍ରେନ୍‌ରୁ ପଙ୍କୋଦ୍ଧାର ହୋଇପାରିନାହିଁ । ଏହାସହ ବକ୍ସ ଡ୍ରେନ୍‌  ସଫେଇ ଧୀମା ଗତିରେ ଚାଲୁଥିଲାବେଳେ କିଭଳି ବର୍ଷା ଜଳ  ନିଷ୍କାସନ ହେବ ତାହା ଚିନ୍ତାର ବିଷୟ । ଏନେଇ ମେୟର ସୁବାସ  ସିଂହ କହିଛନ୍ତି ଯେ, ଯୁଦ୍ଧକାଳୀନ ଭିତ୍ତିରେ କାମ ହେବ । ମଙ୍ଗଳବାର  ସବୁ ଅଧିକାରୀଙ୍କୁ ନେଇ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ କରାଯିବ ।